ପରମହଂସ ଶ୍ରୀମଦ୍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ପୁଣ୍ୟ ଆବିର୍ଭାବ ତିଥି ଅବସରରେ

ପରମହଂସ ଶ୍ରୀମଦ୍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଭାରତୀୟ ଆଧ୍ୟାତ୍ମିକ ଜଗତର ଜଣେ ଉଜ୍ବଳ ଜ୍ୟୋତିଷ୍କ ଥିଲେ । ସେ ଭାରତର ପଶ୍ଚିମ ବଙ୍ଗ ରାଜ୍ୟର ନଦିଆ ଜିଲ୍ଲାର କୁତବପୁର ଗ୍ରାମର ଗୋଟିଏ ବ୍ରାହ୍ମଣ ପରିବାରରେ ୧୨୮୭ ସାଲ (୧୮ ଅଗଷ୍ଟ ୧୮୮୦) ଝୁଲଣ ପୂର୍ଣିମା ତିଥି ରେ, ଜନ୍ମ ଗ୍ରହଣ କରିଥିଲେ । ଭାରତର ସେ ଜଣେ ଅସାଧାରଣ ଶକ୍ତି ସମ୍ପନ୍ନ ସଦଗୁରୁ ଥିଲେ । ସନ୍ୟାସୀ ଗ୍ରହଣ ପରେ ପରମହଂସ ଶ୍ରୀମଦ୍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବ ନାମରେ ବିଖ୍ୟାତ ହେଲେ । ବିଶ୍ୱାସ ଯୋଗ୍ୟ ଯେ,ଏହି ମହାତ୍ମା ତନ୍ତ୍ର, ଯୋଗ, ଜ୍ଞାନ ଓ ପ୍ରେମ ଚତୁର୍ବିଧ ସାଧନାରେ ସିଦ୍ଧହୋଇ ନିର୍ବିକଳ୍ପ ଭୂମିରୁ ଗୁରୁ ରୂପେ ଅବତୀର୍ଣ୍ଣ ହୋଇଥିଲେ । ଠାକୁର ନିଗମାନନ୍ଦ ନିର୍ବିକଳ୍ପ ଭୂମିରୁ ଫେରି ଗୁରୁ ଭାବ ଘେନି ଲୋକାଳୟକୁ ଆସିବା ପରେ ସମାଜର ଦୁର୍ଗତି ସନ୍ଦର୍ଶନ ଓ ଉପଲବ୍ଧି କରି ଏହାକୁ ଦୃଢ଼ ଓ ପ୍ରାଣବନ୍ତ କରିବା ଉଦ୍ଦେଶ୍ୟରେ ସେ ବ୍ରହ୍ମଚର୍ଯ୍ୟ ସାଧନ, ଯୋଗୀ ଗୁରୁ , ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁ ଓ ପ୍ରେମିକଗୁରୁ ଗ୍ରନ୍ଥମାନ ବଙ୍ଗଳା ଭାଷାରେ ପ୍ରଣୟନ କରିଥିଲେ ।ପରବର୍ତ୍ତୀ ସମୟରେ ଏହି ଗ୍ରନ୍ଥମାନର ଓଡ଼ିଆ ଭାଷାନ୍ତର ଦୁର୍ଗାଚରଣ ମହାନ୍ତିଙ୍କଦ୍ୱାରା ସମ୍ଭବପର ହୋଇ ପାରିଥିଲା । ସ୍ୱାମୀ ନିଗମାନନ୍ଦ ପରମହଂସ ଶଙ୍କର ସମ୍ପ୍ରଦାୟ ସରସ୍ୱତୀ ଶାଖା ଭୁକ୍ତ ଥିଲେ । ସ୍ୱୟଂ ନିର୍ମାଣ କରିଥିବା ଆସାମସ୍ଥିତ କୋକିଳାମୁଖ (ଜୋରହାଟ)ରେ ସାରସ୍ୱତ ମଠ ଓ ଓଡ଼ିଶାର ପୁରୀରେ ନୀଳାଚଳ ସାରସ୍ୱତ ସଙ୍ଘ ତାଙ୍କର ବିଶିଷ୍ଟ ଅବଦାନ ।

ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ନଦିୟା ଜିଲ୍ଲାର କୁତବପୁର ଗ୍ରାମରେ ୧୨୮୭ ସାଲ ଝୁଲଣ ପୂର୍ଣ୍ଣିମା ତିଥିରେ ମାତା ମାଣିକ୍ୟସୁନ୍ଦରୀଙ୍କ କୋଳ ମଣ୍ଡଳ କରି ଆର୍ଭିଭୁତ ହୋଇଥିଲେ । ତାଙ୍କ ପିତା ଭୁବନମୋହନ କୋଷ୍ଠୀ ବିଚାର କରାଇ ପୁତ୍ରଙ୍କ ନାମ ରଖିଥିଲେ ନଳିନୀକାନ୍ତ । ବାଲ୍ୟ ଅବସ୍ଥାରେ ତାଙ୍କ ମାତୃଦେବୀ ମାଣିକ୍ୟ ସୁନ୍ଦରୀଙ୍କ ଦେହାବସାନ ହୋଇଯାଇଥିଲା । ସେହି ସମୟରେ ନଳିନୀକାନ୍ତ ମାତୁଳାଳୟ ରାଧାକାନ୍ତପୁରରେ ମାଉସୀମାନଙ୍କ ତତ୍ତ୍ୱାବଧାନରେ ରହି ବିଦ୍ୟା ଶିକ୍ଷା କରୁଥିଲେ।

ସଂସାରିକ ଜୀବନ: ସପ୍ତଦଶ ବର୍ଷ ବୟସରେ ହାଲି ସହର ନିବାସୀ ସ୍ୱର୍ଗତ ବୈଦ୍ୟନାଥ ମୁଖୋପାଧ୍ୟାୟଙ୍କ କନ୍ୟା ତ୍ରଯଦସ ବର୍ଷୀୟା ସୁଧାଂଶୁବାଳାଙ୍କ ସହିତ ନଳୀନିକାନ୍ତଙ୍କର ବିବାହ ସମ୍ପନ୍ନ ହୋଇଥିଲ। ଇତି ମଧ୍ୟରେ ନଳିନୀକାନ୍ତ ସର୍ଭେ ପାଶ୍ କରି ଦୀନାଜପୁର ଜମିଦାରୀରେ ଚାକିରି କରୁଥିବା ବେଳେ ନାରାୟଣପୁର କଚେରୀରେ ଦିନେ ସନ୍ଧ୍ୟାରେ କର୍ମରତ ଅବସ୍ଥାରେ ପତ୍ନୀ ସୁଧାଦେବୀଙ୍କ ଛାୟାମୂର୍ତ୍ତି ଦର୍ଶନ କରି ଚମକୃତ ହେଲେ । କିଛି କ୍ଷଣ ପରେ ସେହି ମୂର୍ତ୍ତି ଅନ୍ତର୍ହିତା ହୋଇଗଲା । ପରେ ସେ ଗ୍ରାମକୁ ଯାଇ ଜାଣିଲେ ଯେ, ସୁଧାଦେବୀ ଆଉ ଇହଜଗତରେ ନାହାନ୍ତି । ଏହି ଘଟଣାରେ ତାଙ୍କର ପରକାଳ ପ୍ରତି ବିଶ୍ୱାସ ଜାତ ହେଲା । ମୃତ୍ୟୁ ସହିତ ପରଲୋକର ସମ୍ପର୍କ ଘନିଷ୍ଠ ବୋଲି ଜାଣି ସେ ମୃତ୍ୟୁ ଓ ପରଲୋକତତ୍ତ୍ୱ ଜାଣିବା ନିମିତ୍ତ ମାନ୍ଦ୍ରାଜସ୍ଥିତ ଥିଓସୋଫି ସମ୍ପ୍ରଦାୟରେ ମିଶି ସେହି ବିଦ୍ୟା ଶିକ୍ଷା କଲେ । ସେ ପରଲୋକଗତା ସୁଧାଦେବୀଙ୍କୁ ସାକ୍ଷାତ୍ ଭାବରେ ଚାହୁଁଥିଲେ । ତେଣୁ ମିଡିୟମ ଭିତର ଦେଇ ତାଙ୍କ ଆତ୍ମାକୁ ଆନୟନ କରି ସେଥିରେ ସେ ତୃପ୍ତ ହୋଇପାରିଲେ ନାହିଁ । ପରେ ଜାଣିଲେ ଯେ, କେବଳ ହିନ୍ଦୁଯୋଗୀ ମାନଙ୍କ କୃପାରୁ ତାଙ୍କର ପ୍ରତ୍ୟକ୍ଷ ଜ୍ଞାନ ଲାଭ ହୋଇପାରିବ । ତେଣୁ ସେ ମାନ୍ଦ୍ରାଜ୍ରୁ ଫେରି ହିନ୍ଦୁ ଯୋଗୀଙ୍କ ଅନୁସନ୍ଧାନରେ ପ୍ରବୃତ୍ତ ହେଲେ ।

ସାଧକ ଜୀବନ: ଦିନେ ରାତ୍ରିରେ ନଳିନୀକାନ୍ତ ଦେଖିଲେ, ତାଙ୍କ ଶଯ୍ୟା ନିକଟରେ ଜଣେ ଜ୍ୟୋତିର୍ମ୍ମୟ ମହାପୁରୁଷ ଦଣ୍ଡାୟମାନ ହୋଇ କହିଲେ – ବତ୍ସ ଏହି ତୁମର ମନ୍ତ୍ର ଗ୍ରହଣ କର । ଏତିକି କହି ସେ ନଳିନୀକାନ୍ତଙ୍କୁ ବିଲ୍ୱ ପତ୍ରରେ ଲିଖିତ ଏକାକ୍ଷରୀ ମନ୍ତ୍ର ପ୍ରଦାନପୂର୍ବକ ନିମିଷକ ମଧ୍ୟରେ ଅନ୍ତର୍ହିତ ହୋଇଗଲେ । ତତ୍ପରେ ନଳିନୀକାନ୍ତ ବହୁତ ଅନୁସନ୍ଧାନ କଲେ ମଧ୍ୟ କେହି ସେ ମନ୍ତ୍ରରହସ୍ୟ ତାଙ୍କୁ ବୁଝାଇ ଦେଇ ପାରିଲେ ନାହିଁ । ଯେତେବେଳେ ନିତାନ୍ତ ଭଗ୍ନୋତ୍ସାହ ହୋଇ ନଳିନୀକାନ୍ତ ଆତ୍ମହତ୍ୟାର ସଂକଳ୍ପ ନେଇ ନିଦ୍ରା ଯାଇଥିଲେ, ସେତେବେଳେ ସ୍ୱପ୍ନରେ ଜଣେ ବୃଦ୍ଧ ବ୍ରାହ୍ମଣ ତାଙ୍କୁ କହିଲେ – ବାବା ତୁମର ଗୁରୁ ହେଉଛନ୍ତି ତାରାପୀଠର ବାମାକ୍ଷେପା ।

ନଳିନୀକାନ୍ତ ବୀରଭୂମ ଜିଲ୍ଲାର ତାରା ପୀଠରେ ବାମାକ୍ଷେପାଙ୍କ ନିକଟରେ ଉପନୀତ ହୋଇ ତାଙ୍କ କୃପାରୁ ସାଧନ ପ୍ରଣାଳୀ ଶିକ୍ଷା କରି ଅତି ଅଳ୍ପ ଦିନ ମଧ୍ୟରେ ତାରାଦେବୀଙ୍କୁ ସୁଧାଂଶୁବାଳା ମୁର୍ତ୍ତିରେ ଦର୍ଶନ କରି ତାଙ୍କ ସହିତ ବାକ୍ୟାଳାପ କଲେ କିନ୍ତୁ ସ୍ପର୍ଶ କରିବାକୁ ଅକ୍ଷମ ହେଲେ । ଏହାର ତତ୍ତ୍ୱ ଜାଣିବା ନିମିତ୍ତ ତାନ୍ତ୍ରିକଗୁରୁ ବାମାକ୍ଷେପାଙ୍କ ଉପଦେଶରେ ସେ ସନ୍ନ୍ୟାସୀ ଗୁରୁ ଅନୁସନ୍ଧାନରେ ବ୍ରତୀ ହେଲେ |

ଗୁରୁ ଅନ୍ୱେଷଣ ନିମିତ୍ତ ଭାରତର ବହୁ ସ୍ଥାନ ଭ୍ରମଣ କରି ଶେଷରେ ପୁଷ୍କର ତୀର୍ଥରେ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ୱତୀ ଦେବଙ୍କ ଦର୍ଶନ ପାଇ ତାଙ୍କର ଚରଣାଶ୍ରିତ ହୋଇ ତାଙ୍କ ଆଦେଶରେ ବିବିଧ ଶ୍ରମଜନକ କାର୍ଯ୍ୟ କରି ଗୁରୁଦେବଙ୍କୁ ସନ୍ତୋଷ ବିଧାନ କରିବା ଫଳରେ ଗୁରୁଦେବ ତାଙ୍କୁ ସନ୍ନ୍ୟାସ ଦୀକ୍ଷା ପ୍ରଦାନ ପୂର୍ବକ ନାମ ଦେଲେ ନିଗମାନନ୍ଦ । ସନ୍ନ୍ୟାସ ଗ୍ରହଣ ପରେ ତତ୍ତ୍ୱ ଅନ୍ତରରେ ଉପଲବ୍ଧି ନିମିତ୍ତ ପୁନରାୟ ଜ୍ଞାନୀଗୁରୁଙ୍କ ଆଦେଶରେ ତାଙ୍କଠାରୁ ବିଦାୟ ନେଇ ଯୋଗୀଗୁରୁ ଅନୁସନ୍ଧାନରେ ବହିର୍ଗତ ହେଲେ |

ଅବଶେଷରେ ଯୋଗୀଗୁରୁଙ୍କ ସନ୍ଧାନକାଳରେ ସନ୍ଧ୍ୟା ସମାଗତ ହୋଇଯିବାରୁ ବସ୍ତିକୁ ଫେରି ନପାରି ଗୋଟିଏ ବୃକ୍ଷକୋଟରରେ ରାତ୍ରି ଯାପନ କଲେ । ନିଶାବସାନରେ ପରିବ୍ରାଜକ ସେହି ବୃକ୍ଷମୂଳରେ ଜଣେ ବିରାଟକାୟ ତେଜୀୟାନ୍ ସାଧୁଙ୍କ ଦର୍ଶନ ଲାଭ କରି ତାଙ୍କ ଇଙ୍ଗିତରେ ତାଙ୍କୁ ଅନୁସରଣ କଲେ । ପରେ ସେହି ସାଧୁ ପରିବ୍ରାଜକ ନିଗମାନନ୍ଦ ନିଜ ପରିଚୟ ଦେଇ ନିଜ କୁଟୀରରେ ଅବସ୍ଥାପିତ କଲେ । ସେହି ସାଧୁଙ୍କ ଆଶ୍ରୟରେ ରହି ସ୍ୱାମୀଜୀ ଯୋଗସାଧନ କୌଶଳ ଅବଗତ ହେଲେ । ତାଙ୍କର ସେହି ଯୋଗ ଶିକ୍ଷାଦାତା ଗୁରୁଙ୍କ ନାମ ଉଦାସୀନାଚ୍ଚାର୍ଯ୍ୟ ସୁମେରୁ ଦାସ ମହାରାଜ ।

ଲୋକାଳୟକୁ ଆସି ନିଗମାନନ୍ଦ ଗୁରୁଙ୍କ ଠାରୁ ଶିକ୍ଷିଥିବା ଯୋଗସାଧନ କୌଶଳ ଅଭ୍ଯାସ କଲେ । ସାଧନାଦ୍ୱାରା ସବିକଳ୍ପ ସମାଧି ଲାଭ କରି ପରେ କାମାଖ୍ୟା ପାହାଡ଼ରେ ଉପସ୍ଥିତ ହୋଇ ନିର୍ବିକଳ୍ପ ସମଧିମଗ୍ନ ହୋଇ ମୁଁ ଗୁରୁ ଏହି ସ୍ୱରୂପ ଜ୍ଞାନ ନେଇ ଫେରିଥିଲେ ।

ପୂର୍ଣ୍ଣତ୍ୱର ଅଭିମାନ ବହନକରି ସ୍ୱାମୀ ନିଗମାନନ୍ଦ କାଶୀଧାମ(ବାରଣାସୀ)ରେ ଉପନୀତ ହେଲେ । ସେଠାରେ ମା ଅନ୍ନପୂର୍ଣ୍ଣା ତାଙ୍କ ଭିତରେ ଅପୂର୍ଣ୍ଣ ବୋଧର ଜାଗରଣ କରାଇଦେଇ କହିଲେ – “ତୁମେ ବ୍ରହ୍ମଜ୍ଞାନ ଲାଭ କରିଛ ସତ୍ୟ; କିନ୍ତୁ ଅବରବ୍ରହ୍ମଜ୍ଞାନ ବା ପ୍ରେମ ଭକ୍ତି ପଥରେ ଯେଉଁ ଭଗବତ୍ଜ୍ଞାନ ତାହା ତୁମର ଲାଭ ହୋଇ ନାହିଁ , ତେଣୁ ତୁମେ ପୂର୍ଣ୍ଣ ନୁହଁ ।

ତତ୍ପରେ ଶ୍ରୀ ନିଗମାନନ୍ଦ ଦେବ ପ୍ରେମସିଦ୍ଧା ଗୌରୀ ଦେବୀଙ୍କ କୃପାରୁ ଅବରବ୍ରହ୍ମଜ୍ଞାନ ଲାଭ କରି ସିଦ୍ଧି ପ୍ରାପ୍ତ ହେଲେ । ପ୍ରେମସିଦ୍ଧି ପରେ ସ୍ୱାମୀ ନିଗମାନନ୍ଦ ଦେବଙ୍କ ଇଷ୍ଟଦେବୀ ମହାବିଦ୍ୟା ତାରା ତାଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେଇ କହିଲେ ଯେ, ତୁମେ ଶିବ ସ୍ୱରୂପ, ତେଣୁ ତୁମେ ହିଁ ସାର୍ବଭୌମ ଗୁରୁ । ଜଗଦ ବାସୀ ତୁମର ସନ୍ତାନ; ତୁମେ ଶିଷ୍ୟ ଭକ୍ତମାନଙ୍କୁ ସ୍ୱରୂପଜ୍ଞାନ ଦାନ କର” । ତାରା ଦେବୀଙ୍କ ବାକ୍ୟରେ ନିଗମାନନ୍ଦ ନିଜକୁ ପୂର୍ଣ୍ଣ ବୋଲି ଜ୍ଞାନ କଲେ ।

ପରମହଂସ ପଦ ପ୍ରାପ୍ତି: ନଳିନୀକାନ୍ତ ସନ୍ନ୍ୟାସ ଗ୍ରହଣ ପରେ ପରମହଂସ ଶ୍ରୀ ମଦ୍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବ ନାମରେ ପରିଚିତ ହେଲେ। ଗୁରୁଙ୍କୁ ଦର୍ଶନ କରିବା ନିମିତ୍ତ କୁମ୍ଭମେଳା ରେ ଉପସ୍ଥିତହୋଇ ପ୍ରଥମେ ନିଜଗୁରୁ ସଚ୍ଚିଦାନନ୍ଦ ଙ୍କୁ ପ୍ରଣାମକରି ପରେ ଜଗଦ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ପ୍ରଣାମ କରିବାରୁ ଅନ୍ଯ ସାଧୁମାନେ ଏଥିରେ ଆପତ୍ତି ଦର୍ଶାଇଲେ | ସ୍ୱାମୀ ନିଗମାନନ୍ଦ ତାହାର ଯଥୋପଯୁକ୍ତ ପ୍ର ତ୍ଯୁତ୍ତର ଦେଇ ଜଗଦଗୁରୁଙ୍କୁ ସନ୍ତୁଷ୍ଟ କଲେ । ଜଗଦଗୁରୁ ତାଙ୍କୁ ପରମହଂସ ଉପାଧିରେ ଭୂଷିତ କରିବାକୁ ଗୁରୁ ସଚ୍ଚିଦାନନ୍ଦଙ୍କୁ ନିର୍ଦ୍ଦେଶ ଦେଲେ | ସାଧୁ ମଣ୍ଡଳିଙ୍କ ସମ୍ମତିରେ ଗୁରୁ ସଚ୍ଚିଦାନନ୍ଦ ସ୍ୱାମୀ ନିଗମାନନ୍ଦଙ୍କୁ ପରମହଂସ ଉପାଧି ପ୍ରଦାନ କଲେ ।

ଆସାମର କୋକିଳମୁଖଠାରେ ହିମାଳୟର ନିଭୃତ ପ୍ରଦେଶରେ ଶାନ୍ତି ଆଶ୍ରମ ବା ସାରସ୍ୱତ ମଠ ସ୍ଥାପନ କଲେ । ଦେଶବାସୀଙ୍କ ମନୋଭାବ ରେ ପରିବର୍ତ୍ତନ ଆଣି ସେମାନଙ୍କୁ ପ୍ରବୃତ୍ତି ପଥରୁ ନିବୃତ୍ତି ପଥକୁ ଆକର୍ଷଣ କରିବା ନିମିତ୍ତ ଶ୍ରୀ ନିଗମାନନ୍ଦ ଦେବ, ଯୋଗୀ ଗୁରୁ , ଜ୍ଞାନୀଗୁରୁ, ବ୍ରହ୍ମଚର୍ଯ୍ୟ ସାଧନ, ତାନ୍ତ୍ରିକ ଗୁରୁ, ଓ ପ୍ରେମିକଗୁରୁ ପ୍ରଭୁତି ଗ୍ରନ୍ଥ ପ୍ରଣୟନ କଲେ ଏବଂ ସନାତନ ଧର୍ମର ମୁଖପତ୍ର ଆର୍ଯ୍ୟ ଦର୍ପଣ ନାମକ ମାସିକ ପତ୍ରିକା ପ୍ରକାଶ କଲେ ଏହା ବ୍ୟତୀତ ସତ୍ ଶିକ୍ଷା ବିସ୍ତାର ଓ ସନାତନ ଧର୍ମପ୍ରଚାର ଉଦ୍ଦେଶ୍ୟରେ ସଂଘ ସମ୍ମିଳନୀ ଅନୁଷ୍ଟାନ କଲେ । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ସଂଘ ଓ ଭକ୍ତ ସମ୍ମିଳନୀ ମାଧ୍ୟମରେ ଆଦର୍ଶ ଗୃହସ୍ଥ ସମାଜ ଗଠନ, ସଂଘ ଶକ୍ତିର ପ୍ରତିଷ୍ଠା ଓ ଭାବ ବିନିମୟ । ନାରାୟଣ ଜ୍ଞାନରେ ଜୀବସେବା କରିବାକୁ ଉପଦେଶ ଦେଇ ଯାଇଛନ୍ତି ।

ସେ ଉତ୍କଳବାସୀ ଭକ୍ତମାନଙ୍କୁ ସଂଘ ବଦ୍ଧ କରିବା ଉଦ୍ଦେଶ୍ୟରେ ତାଙ୍କ ଶୁଭ ଜନ୍ମଦିବସ ୧୯୩୪ ଖ୍ରୀଷ୍ଟାବ୍ଦର ଝୁଲଣ ପୂର୍ଣ୍ଣିମା ତିଥିରେ ନୀଳାଚଳ ଧାମ ପୁରୀରେ ନୀଳାଚଳ ସାରସ୍ୱତ ସଂଘ ପ୍ରତିଷ୍ଠା କରି ତାଙ୍କ ଆଧ୍ୟାତ୍ମିକ ଭାବ ଧାରାର ପ୍ରଚାର ନିମିତ୍ତ ନିର୍ଦ୍ଦେଶ ଦେଇଥିଲେ ।

ମହା ସମାଧି (ସମ୍ପାଦନା)

ପୁରୀଧାମ ନୀଳାଚଳ କୁଟୀରରେ ଅବସ୍ଥାନ କରୁଥିବା ବେଳେ ସାମାନ୍ଯ ଅସୁସ୍ଥତା ନେଇ କଲିକତା ଯାତ୍ରା କଲେ ଏବଂ ୧୯୩୫ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୯ ତାରିଖ ମାର୍ଗଶୀର ଶୁକ୍ଳ ଚତୁର୍ଥୀ ତିଥିରେ ସେହି ମହାନଗରୀର ଏକ ନିର୍ଜ୍ଜନ ଗୃହରେ ମହାସମାଧି ଗ୍ରହଣ କରିଥିଲେ ।

ଦର୍ଶନ: • ଭକ୍ତିମାର୍ଗ ଓ ଜ୍ଞାନମାର୍ଗ ଭିତରୁ ଗୋଟିଏ ପଥ ଅବଲମ୍ବନ କଲେ ପୂର୍ଣ୍ଣ ସଚ୍ଚିଦାନନ୍ଦ ଉପଲବଧି ହୋଇପାରେ ନାହିଁ । ଉଭୟ ମାର୍ଗରେ ଅର୍ଥାତ୍ ଜ୍ଞାନ ଭକ୍ତିର ସମନ୍ୱୟ ମାର୍ଗରେ ଗତି କଲେ ମାନବ ହୃଦୟରେ ଜ୍ଞାନ-ଭକ୍ତିର ମିଳନ ହୋଇ ତାଙ୍କଠାରେ ବିଦ୍ୱେଷ ରହିବ ନାହିଁ । ସେ ସବୁ ସମ୍ପ୍ରଦାୟରେ ମିଶି, ସବୁ ରସରେ ରସଯୁକ୍ତ ହୋଇ , ଚିର ଆନନ୍ଦ ଲାଭ କରି ପାରିବେ ।

• ଶଂକର(ଜ୍ଞାନ) ଓ ଗୌରାଙ୍ଗ(ଭକ୍ତି)ଙ୍କ ମିଳନ ହିଁ ପୂର୍ଣ୍ଣ ସତ୍ଯ-ପ୍ରକୃତ ଧର୍ମ । ସୁତରାଂ ସାଧକ ମାତ୍ରେ ଶଂକର ଓ ଗୌରାଙ୍ଗଙ୍କୁ ଏକ ଆସନରେ ସ୍ଥାପନ କରିବା କର୍ତ୍ତବ୍ଯ । ଯାହାଙ୍କର ହୃଦୟରେ ଶଂକର ଓ ଗୌରାଙ୍ଗଙ୍କ ଗୋଟିଏ ସିଂହାସନ ସ୍ଥାପିତ ହୋଇପାରିଛି, ଯାହାଙ୍କର ହୃଦୟରେ ଭକ୍ତି ଗଙ୍ଗା ଜ୍ଞାନସମୁଦ୍ର ମିଳିତ ହୋଇଛନ୍ତି, ସେହି ବ୍ଯକ୍ତି ହିଁ ଜୀବନ୍ମୁକ୍ତ ।

• ଇଷ୍ଟ ଏବଂ ଗୁରୁ ଅଭିନ୍ନ ଓ ଏକ । ଦୁଗଧ ଓ ତାର ଧବଳତା ଯେପରି ଅଭେଦ,ଶକ୍ତି ଓ ଶକ୍ତିମାନ୍ ସେହିପରି ଅଭେଦ ।

ନିଗମ ଉପଦେଶ:

୧. ତୁମେମାନେ ଗୌରାଙ୍ଗଦେବଙ୍କ ପଥରେ ଅର୍ଥାତ୍ ଭକ୍ତି ପଥରେ, ଶଂକରଙ୍କ ମତ ଅନୁରୁପ ଜ୍ଞାନ ଲାଭ କରି ଆଦର୍ଶ ମନୁଷ୍ୟ ହୁଅ । ଏହାହିଁ ନୂତନ ବର୍ଷରେ ମୋର ଆଶୀର୍ବାଦ । ତୁମେମାନେ ନିଜ ପାଇଁ ନିଶ୍ଚିନ୍ତ ରୁହ, କାରଣ ତୁମେମାନେ ସଦଗୁରୁଙ୍କ ଅନ୍ତରଙ୍ଗ ପାର୍ଶଦ । ଜଗତ ନିମିତ୍ତ ତୁମମାନଙ୍କ ଜୀବନ, ତୁମେମାନେ ଜଗତରେ ମନୁଷ୍ୟତ୍ୱରେ ଆଦର୍ଶ ପ୍ରତିଷ୍ଠା କରିଯାଅ । ମୋର ଆଶୀର୍ବାଣୀ ତୁମମାନଙ୍କର ଧ୍ୟାନର ବସ୍ତୁ ହେଉ ।
୨. ବତ୍ସ, ତୁମମାନଙ୍କର ବାହୁରେ ଶକ୍ତି ଓ ଭକ୍ତିର ପ୍ରକାଶ ହେଉ, ନବବର୍ଷରେ ମୁଁ ତୁମମାନଙ୍କୁ ଏହି ଆଶୀର୍ବାଦ କରୁଅଛି ।
ଗୁରୁଗୀତା
୩. ଯଦି କେହି ସିଦ୍ଧଗୁରୁ ବା ସିଦ୍ଧମନ୍ତ୍ର ପ୍ରାପ୍ତ ଗୁରୁ ମିଳନ୍ତି ତେବେ କିଛି ବିଚାର ନ କରି ତତ‌କ୍ଷଣାତ‌୍ ସେହି ଗୁରୁ ଓ ମନ୍ତ୍ରଗ୍ରହଣ କରିବା ବିଧେୟ ।
୪. ଗୁରୁ ଶିଷ୍ୟ ସମ୍ବନ୍ଧ ଅଭେଦ । ଇଷ୍ଟ, ଗୁରୁ ଓ ମନ୍ତ୍ର ଅଭିନ୍ନ ।
୫. ଶଙ୍କରଙ୍କ ମତ ଓ ଗୌରାଙ୍କଙ୍କ ପଥ ହିଁ ହେଲା ତୁମମାନଙ୍କର ଆଦର୍ଶ ।
୬. ନିତ୍ୟଲୋକରେ ରାଧାକୃଷ୍ଣଙ୍କ ଯୁଗଳ ମିଳନ ଅବସ୍ଥା ନିତ୍ଯଭାବରେ ବିରାଜିତ । ରାଧା ପୂର୍ଣ୍ଣ ପ୍ରେମର ମୂର୍ତ୍ତି ଓ କୃଷ୍ଣ ପୂର୍ଣ୍ଣ ଜ୍ଞାନର ଘନ ବିଗ୍ରହ ।
୭. ତୁମେମାନେ ସଙ୍ଘବଦ୍ଧ ହୁଅ । ଏହା ମୋର ଗୋଟିଏ ଇଛା ।

Comments are closed.