ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଦୂରଦର୍ଶୀ

ପାରଳାଖେମୁଣ୍ଡି: ଆଦିବାସୀବହୁଳ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବ ଆଦିବାସୀ ଦିବସ ଆଡ଼ମ୍ବରରେ ପାଳିତ ହୋଇଛି। ଏସବୁ ଜାଗାରେ ଆଦିବାସୀଙ୍କ ସମାବେଶରେ ସେମାନଙ୍କ ଭାଷା, ପରମ୍ପରାର ସଂରକ୍ଷଣ ଓ ପ୍ରସାର ଉପରେ ଗୁରୁତ୍ବାରୋପ କରାଯାଇ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆଦିବାସୀଙ୍କ ବିକାଶ ନିମନ୍ତେ ବିଭିନ୍ନ ଦୂରଦର୍ଶୀ ଯୋଜନା ଗ୍ରହଣ କରାଯାଇ ଥିବା ମତପ୍ରକାଶ ପାଇଛି। ଏସବୁ ଯୋଜନା ଆମ ରାଜ୍ୟର ଆଦିବାସୀଙ୍କ ସାମାଜିକ, ଆର୍ଥିକ ବିକାଶ ଦିଗରେ ବେଶ୍ ସହାୟକ ହୋଇପାରିଥିବା କୁହାଯାଇଛି।

ରା.ଉଦୟଗିରି ଠାରେ ଆୟୋଜିତ ହୋଇଥିଲା ବିଶାଳ ସମାରୋହ। ରା.ଉଦୟଗିରି ଥାନା ନିକଟରୁ ଅତିଥିମାନଙ୍କୁ ପାରମ୍ପରିକ ବାଦ୍ୟ ବାଜଣା ସହ ନୃତ୍ୟରେ ଅତିଥିଙ୍କୁ ସଭାସ୍ଥଳ ପର୍ଯ୍ୟନ୍ତ ନେଇଥିଲେ ସ୍ଥାନୀୟ ଆଦିବାସୀ। ସଭାରେ ଅତିଥି ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ ପ୍ରମୁଖ। ଅତିଥିମାନେ ଗୋଟିଏ ପଟେ ଆମ ରାଜ୍ୟର ଆଦିବାସୀମାନେ କିଭଳି ଏବେ ଉନ୍ନତ ଜୀବନଯାପନ କରିବାର ସୁଯୋଗ ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ ତ ଆରପଟେ ଆମ ରାଜ୍ୟର ଜଣେ ଆଦିବାସୀ ମହିଳା ଏବେ ଦେଶର ରାଷ୍ଟ୍ରମୁଖ୍ୟ ହୋଇଥିବାରୁ ସମସ୍ତ ଓଡ଼ିଆ ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ। ତେବେ ଶ୍ରୀମତି ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ପଛରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦିବାସୀଙ୍କ ପ୍ରତି ଗୁରୁତ୍ବ ଓ ତାଙ୍କର ଏ ଦିଗରେ ପ୍ରଚେଷ୍ଟାକୁ ଫୋକସ୍ କରିଥିଲେ ଅତିଥିଗଣ। ଆଦିବାସୀମାନେ ହେଉଛନ୍ତି ଏହି ଦେଶର ମୂଳ ଅଧିବାସୀ। ସେମାନଙ୍କ ଉନ୍ନତି ବିନା ରାଜ୍ୟ କିମ୍ବା ଦେଶର ଉନ୍ନତି କଥା ଚିନ୍ତା କରାଯାଇନପାରେ। ସେଥିପାଇଁ ତ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହୁଥିବା ଭିନ୍ନ ଭିନ୍ନ ଆଦିବାସୀ ଗୋଷ୍ଠୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ସେସବୁ ସଠିକ୍ ଭାବେ ଆଦିବାସୀଙ୍କ ନିକଟରେ ପହଞ୍ଚିପାରିଲେ ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଆହୁରି ଉନ୍ନତ ହୋଇପାରିବ ବୋଲି କହିଥିଲେ କାର୍ଯ୍ୟକ୍ରମରେ ଅତିଥିବୃନ୍ଦ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ ଉନ୍ନତି ପାଇଁ ସବୁବେଳେ ପ୍ରୟାସ ଜାରି ରଖିଛନ୍ତି। କରୋନା ମହାମାରୀ ସମୟରେ ଖାସ୍ କରି ଆଦିବାସୀଙ୍କ ଜୀବନ ଜୀବିକା ପ୍ରତି ଗୁରୁତ୍ବ ଦେଇ ଆର୍ଥିକ ସହାୟତା ପ୍ରଦାନରୁ ଆରମ୍ଭ କରି ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇ ଥିଲା। ଏପରିକି ବନ୍ୟଜାତ ସାମଗ୍ରୀ ସଂଗ୍ରହ କରୁଥିବା ଆଦିବାସୀଙ୍କ ଆର୍ଥିକ ସଶକ୍ତୀକରଣ ସକାଶେ ମହୁଲ ଫୁଲରୁ ଆରମ୍ଭ କରି ଅନ୍ୟାନ୍ୟ ଏଭଳି ସାମଗ୍ରୀ ନିମନ୍ତେ ସରକାରୀ ପ୍ରୋତ୍ସାହନ ବୃଦ୍ଧି କରାଯାଇଥିବା କହିଥିଲେ ଅତିଥିଗଣ।

ସେହିପରି କାଶୀନଗର ବ୍ଲକ୍ ସୁଙ୍କୁନପେଟା ଗ୍ରାମ ହେଉ ବା ନୂଆଗଡ ସଦର ମହକୁମାରେ ହେଉ, ବିଭିନ୍ନ ସଙ୍ଗଠନ ତରଫରୁ ପାଳିତ ହୋଇଥିଲା ଆଦିବାସୀ ଦିବସ। ଆଦିବାସୀଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ସମସ୍ୟା ଉପରେ ଆଲୋଚନା କରାଯାଇ ଥିଲା। ସେମାନଙ୍କ ଜଙ୍ଗଲ ଜମି ଓ ଜୀବିକା ଅଧିକାରର ସୁରକ୍ଷା ଉପରେ ଆଲୋକପାତ କରିଥିଲେ ଅତିଥିବୃନ୍ଦ। ପ୍ରଥମ ଥର ପାଇଁ ଆଦିବାସୀ ଦିବସକୁ ଏତେ ଧୁମଧାମରେ ପାଳନ କରାଯାଉଥିବାରୁ ଆଦିବାସୀମାନେ ଅତ୍ୟନ୍ତ ଖୁସି ଥିଲେ। ସେମାନେ ପାରମ୍ପରିକ ବେଶ ପୋଷାକ, ନୃତ୍ୟ ଆଦି ପରିବେଷଣ କରିଥିଲେ।

Comments are closed.