ନାଟ୍ୟକାର ଓ ସଂଳାପକାର ରଣଜିତ ପଟ୍ଟନାୟକଙ୍କ ପରଲୋକ

କଟକ- ବିଶିଷ୍ଟ ନାଟ୍ୟକାର, ସଂଳାପକାର ରଣଜିତ ପଟ୍ଟନାୟକଙ୍କର ମଙ୍ଗଳବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ଅନେକ ସଫଳ ମଞ୍ଚ ନାଟକ, ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ କାହାଣୀ ଓ ସଂଳାପ ଲେଖି ସେ ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

ତାଙ୍କ ଦ୍ୱାରା ରଚିତ ୧୫ଟି ନାଟକ ବହି ଓ ୮ଟି ଏକାଙ୍କିକା ପ୍ରକାଶିତ ହୋଇଛି। ସେଗୁଡିକ ମଧ୍ୟରେ ରହିଛି ଚଉକି, ଗୁଣିଆ ଝାଡ଼େ ଲୋ ଡାହାଣୀ, ଗୋଇଠା ବାବା, ମନ ତୋହର ନିଜ ଗୁରୁ, ହୁଏନ୍ସାଙ୍କ ଭାରତ ପରିଭ୍ରମଣ, ବଧିର ଈଶ୍ୱର ଏବଂ ଗାଁ। ନାଟକ ରଚନା ବ୍ୟତୀତ ସେ ପଳାତକ, ଗୁଣ୍ଡା, ଧୃତରାଷ୍ଟ୍ରର ଆଖି, ମୋର ବା ଦୋଷ କଣ, ଅନେଶତ ପବନ, କସ୍ତୁରୀ, ଆଠକାନ୍ଥର ଅମରାବତୀ ବାଘ ଶିକାର ସମେତ ପ୍ରାୟ ୩୨ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି। ଅନେକ ନାଟକରେ ରଣଜିତ ପଟ୍ଟନାୟକ ଅଭିନୟ ମଧ୍ୟ କରିଛନ୍ତି ।

ସେ ୪୨ରୁ ଅଧିକ ଚଳଚିତ୍ରର ସଂଳାପ ଓ ଗୀତ ରଚନା କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ଗୋପରେ ବଢୁଛି କଳାକହ୍ନେଇ, ରକତ ଚିହ୍ନିଛି ନିଜର କିଏ, ସମୟ ଖେଳୁଛି ଚକା ଭଉଁରୀ, ବର୍ଷା ମାଇଁ ଡାର୍ଲିଂଗ, ପ୍ରେମ ଋତୁ ଆସିଲାରେ ଓ ମୁଁ ତତେ ଲଭ କରୁଛି। ସେହିପରି ସେ ୧୧ରୁ ଅଧିକ ଧାରାବାହିକର ସଂଳାପ ରଚନା ସହ ୧୨ଟି ପ୍ରାମାଣିକ ଚିତ୍ରର ପ୍ରଯୋଜନା, ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି।

Comments are closed.