ଶ୍ରୀବଳଦେବ ଜନ୍ମ, ରୋହିଣୀଙ୍କ ଗର୍ଭରୁ ଆବିର୍ଭୁତ ହୋଇଥିଲେ ସଂକର୍ଷଣ ଶ୍ରୀବଳଦେବ

ଦେବକୀ ବାସୁଦେବଙ୍କ ବିବାହ ସମାପନ ପରେ ରଥରେ ବସାଇ କଂସ ସେମାନଙ୍କୁ ବାହି ନେଇ ଯାଉଥିବା ବେଳେ ଶୂନ୍ୟବାଣୀ ହୋଇଥିଲା,”ରେ କଂସ ତୁ ଯେଉଁ ଦେବକୀଙ୍କ ରଥ ଚଳାଇ ନେଉଛୁ ତାହାରି ଅଷ୍ଟମଗର୍ଭ ଜନ୍ମିତ ସନ୍ତାନ ତୋ ମୃତ୍ୟୁର କାରଣ ହେବ”l ଶୂନ୍ୟବାଣୀ ଶୁଣି କଂସ ଦେବକୀ ବସୁଦେବଙ୍କୁ କାରାରୁଦ୍ଧ କରି ରଖି ଗୋଟି ଗୋଟି କରି ତାଙ୍କର ଛଅଟି ସନ୍ତାନଙ୍କୁ ମାରି ପକାଇଲା l ଅଷ୍ଟମ ଗର୍ଭରେ ଜନ୍ମ ନେବେ ଭଗବାନ ଶ୍ରୀକୃଷ୍ଣ l କିନ୍ତୁ ଶ୍ରୀବିଷ୍ଣୁ ଦେବତା ମାନଙ୍କୁ ଦେଇଥିବା କଥା ଅନୁସାରେ ତାଙ୍କରି କଳା ନେଇ ପ୍ରଥମେ ଜନ୍ମ ନେବେ ପ୍ରଭୁ ଅନନ୍ତ l ଛଅଗୋଟି ପୁତ୍ରଙ୍କୁ ହରାଇ ଦେବକୀ ବଡ଼ ବିକଳ ହେଉଥାନ୍ତି l ଦେବକୀଙ୍କ ବିକଳ ଦେଖି ଦୟାସାଗର ଭଗବାନ ଅନନ୍ତ ରୂପ ଧରି ମାଆ ଦେବକୀଙ୍କ ଉଦରରେ ବିଜେ କଲେ l ଏହି ପରି ଦେବକୀଙ୍କ ସପ୍ତମ ଗର୍ଭରେ ସଞ୍ଚାର ହୋଇ ଭଗବାନ ଆଦିଶେଷ ଅନନ୍ତ,ଦିନକୁ ଦିନ ବଢ଼ିବାକୁ ଲାଗିଲେ l ଧରଣୀ ଭାର ଉଶ୍ୱାସ ପାଇଁ ସେ ଜନ୍ମ ନେବେ ବଳରାମ ରୂପରେ l ଆଠମାସ ବିତି ଗଲା l ମାତା ଦେବକୀ ନିଜ ଦେହକୁ ଚାହିଁ ବିକଳ ହେଉଥାନ୍ତି,ଆଉ କେତେ କଷ୍ଟ ସହିବି ହେ ଭଗବାନ ! କେତେ ପାତକ ମୁଁ କରିଛି,ଛଅ ପୁତ୍ର ଜନ୍ମ କରି ସୁଦ୍ଧା ତାଙ୍କର ମୁଖ ଦର୍ଶନ କରିବାର ସୌଭାଗ୍ୟ ମୋର ହେଲାନାହିଁ l

ଦେବକୀ ନିଜ ଦେହ ଚାହିଁ l
ବିକଳେ ନିଶ୍ୱାସ ଛାଡ଼ଇ ll
କେତେ ପାତକ କଲି ପୂର୍ବେ l
ପୁଣି ହୋଇଲା ଆସି ଗର୍ଭେ ll

ଦାସବତ୍ସଳ ଲୀଳାମୟ ମାତା ଦେଵକୀଙ୍କ ମନ କଥା ଜାଣିଲେ l ପ୍ରଭୁ ଚିନ୍ତା କଲେ ଏ ସନ୍ତାନକୁ କଂସ ପ୍ରତାପରୁ ରକ୍ଷା କରିବାକୁ ପଡ଼ିବ l ପ୍ରଭୁ ଗୋଲୋକ ବିହାରୀ ବିଷ୍ଣୁ ମାଆ ଆଦ୍ୟା ଶକ୍ତିଙ୍କୁ ଅନୁରୋଧ କଲେ ତୁମ୍ଭେ ମାୟା ବିସ୍ତାର କରି ଏ ଗର୍ଭକୁ ହରଣ କରି ନେଇ ଏହାକୁ ଗୋକୁଳରେ ନନ୍ଦଗୃହରେ ଥିବା ବସୁଦେବଙ୍କ ଅନ୍ୟତମା ପତ୍ନୀ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ କର l ପୁଣି ବିଷ୍ଣୁ ତାଙ୍କୁ କହିଲେ ତୁମେ ମାଆ ଯଶୋଦାଙ୍କ ଗର୍ଭରେ ଜନ୍ମ ନିଅ l ମୁଁ ତୁମ ପଛରେ ଯାଉଛି :-

ଦେବକୀ ଦେବୀ ନିଦ୍ରା କାଳେ l
ଗର୍ଭ ହରିବୁ ଯୋଗ ବଳେ ll
ମିଳିବୁ ନନ୍ଦ ଘରେ ଯାଇ l
ରୋହିଣୀ ଗର୍ଭେ ତାହା ଥୋଇ ll
ଜନ୍ମିବୁ ଯଶୋଦା ଉଦରେ l
ମୁଁ ପୁଣି ଯିବି ମଞ୍ଚ ପୁରେ ll

ଭଗବାନଙ୍କ ଏହି ବ୍ୟବସ୍ଥା ଅନୁଯାୟୀ ଦେବକୀଙ୍କ ସପ୍ତମ ଗର୍ଭରୁ ଶ୍ରୀବଳରାମ ଯୋଗମାୟାଙ୍କ ମାୟା ବଳରେ ଶୂନ୍ୟରେ ଆକର୍ଷିତ ହୋଇ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ ହେଲେ lଦୈବୀମାୟା ଯୋଗୁଁ ଏହାର ରହସ୍ୟ କାହାରିକୁ ଗୋଚର ହେଲାନାହିଁ l
କଂସ, ଦେବକୀ,ବସୁଦେବ ସମସ୍ତେ ଜାଣିଲେ ଏ ଗର୍ଭ ଶୂନ୍ୟ ବା ନଷ୍ଟ ହୋଇ ଗଲା l

ରୋହିଣୀଙ୍କ ଗର୍ଭରେ ଆଦିଶେଷ ବଳରାମ ଚନ୍ଦ୍ରକଳା ସଦୃଶ ବଢ଼ିବାକୁ ଲାଗିଲେ l ସିଂହ ପୂର୍ଣ୍ଣମୀ ବା ଶ୍ରାବଣ ପୂର୍ଣମୀ ଦିନ ରୋହିଣୀ ଦେବୀଙ୍କ ଗର୍ଭରୁ ଧବଳ ଜ୍ୟୋତିରୂପ,ଶିରରେ ସପ୍ତଫଣୀ ଶୋଭିତ ହୋଇ ଭୂମିଷ୍ଠ ହେଲେ ଶ୍ରୀବଳଦେବ l ସେ ଦେବକୀଙ୍କ ଗର୍ଭରୁ ଆକର୍ଷିତ ହୋଇ ଜନ୍ମ ହୋଇଥିଲେ l ଏଣୁ ତାଙ୍କର ଅନ୍ୟ ନାମ ସଙ୍କର୍ଷଣ l ନନ୍ଦବାବା ଥିଲେ ଅପୁତ୍ରିକ l ତାଙ୍କ ଅପୁଆ ଘରେ ଏଭଳି ତେଜସ୍ୱି ପୁତ୍ର ଜନ୍ମରେ ସେ ଅତି ଉଲ୍ଲସିତ ହୋଇଥିଲେ l ଆମ ଓଡ଼ିଆ ଭାଗବତରେ ଶ୍ରୀ ଜଗନ୍ନାଥ ଦାସ ଏହାକୁ ବର୍ଣ୍ଣନା କରି ଲେଖିଲେ :-

ସିଂହ ପୁର୍ଣ୍ଣମୀ ଦିନ ସାର l
ରୋହିଣୀ ପ୍ରସବେ କୁମର ll

ଶ୍ରୀବଳଦେବଙ୍କ ଜନ୍ମ ଯେମିତି ରହସ୍ୟମୟ ତାଙ୍କ କର୍ମ ମଧ୍ୟ ସେମିତି ଅଦ୍ଭୁତ l ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାରେ ସେ ପଦେ ପଦେ ଶ୍ରୀକୃଷ୍ଣଙ୍କୁ ସହାୟତା କରିଛନ୍ତି l କୃଷ୍ଣ ମଧ୍ୟ ତାଙ୍କୁ ବଡ଼ ଭାଈ ମାନ୍ୟରେ ସବୁ ସମୟରେ ସମ୍ମାନ କରିଛନ୍ତି l ବଳଦେବଙ୍କ ଜନ୍ମ ଓ କର୍ମ ବିଷୟରେ ମୁଖ୍ୟତଃ ଭାଗବତ ଓ ମହାଭାରତରେ ବର୍ଣ୍ଣନା ରହିଥିଲେହେଁ ଅନ୍ୟାନ୍ୟ ବହୁ ଶାସ୍ତ୍ରରେ ତାଙ୍କର ବର୍ଣ୍ଣନା ରହିଛି l

ଉତ୍କଳର ମହାକବି ଶ୍ରୀଜୟଦେବ ବଳଦେବଙ୍କୁ ଭଗବାନଙ୍କ ଅଷ୍ଟମ ଅବତାର ଭାବେ ବର୍ଣ୍ଣନା କରି ଲେଖିଛନ୍ତି :-

ବହସି ବପୁସି ବିଷାଦେ ବସନମ୍ ଜଲଦାଭମ୍
ହଲହତି ଭିତ୍ତି ମିଳିତ ଯମୁନାଭମ୍
କେଶବ ଧୃତ ହଳଧର ରୂପ
ଜୟ ଜଗଦୀଶ ହରେ ll

ଓଡ଼ିଶାର କେନ୍ଦ୍ରାପଡ଼ା ଶ୍ରୀ ବଳଦେବ କ୍ଷେତ୍ର/ତୁଳସୀ କ୍ଷେତ୍ର ଭାବେ ପ୍ରସିଦ୍ଧ l ଏଠାରେ ଇଚ୍ଛାମୟ ମହାପ୍ରଭୁ ସ୍ୱୟଂ ମଣି ବିଗ୍ରହ ରୂପରେ ନିବାସ କରିଛନ୍ତି।

ନମସ୍ତେ ବାସୁଦେବାୟ ନମଃ ସଙ୍କର୍ଷଣାୟା ଚ
ପ୍ରଦ୍ୟୁମ୍ନାନିରୁଦ୍ଧlୟ ତୁଲ୍ୟ ଭଗବତେ ନମଃ ll

(ସଂଗୃହିତ )

Comments are closed.