ହୀରାକୁଦକୁ ଆସିବ ୪ ଲକ୍ଷ କ୍ୟୁସେକରୁ ଅଧିକ ପାଣି, ସନ୍ଧ୍ୟା ସୁଦ୍ଧା ୧୦ ଗେଟ୍ ଖୋଲିବ

ସମ୍ବଲପୁର: ବେଶ୍ କିଛିଦିନ ହେଲା ହୀରାକୁଦର ସମସ୍ତ ଗେଟ୍ ବନ୍ଦ ଥିଲା। ଜଳସ୍ତର ୬୦୮ ତଳକୁ ଖସି ଆସିଥିଲା। ହେଲେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଉ ପରିସ୍ଥିତିକୁ ଦେଖି ଆଜି ସନ୍ଧ୍ୟା ସୁଦ୍ଧା ୧୦ ଟି ଗେଟ୍ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ହୀରାକୁଦର ଜଳସ୍ତର ଗତକାଲି ଠାରୁ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇଦିନ ଧରି ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଆଜି ସକାଳ ୯ଟା ସୁଦ୍ଧା ୬୧୧.୮୩ ଫୁଟରେ ପହଞ୍ଚିଛି। ସେପଟେ ଛତିଶଗଡର ସାରଡିହି ବ୍ୟାରେଜ ଦେଇ ୪ ଲକ୍ଷ ୧୪ ହଜାର କ୍ୟୁସେକ ଜଳ ଆସୁଛି। ଆଉ ଏହି ପାଣି ହୀରାକୁଦକୁ ଆସନ୍ତାକାଲି ଆସିବା ବେଳକୁ ଅନ୍ୟ ଶାଖା ନଦୀର ପାଣି ମିଶି ୫ ଲକ୍ଷ କ୍ୟୁସେକରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ତେଣୁ ରୁଲ୍ କର୍ଭ ଅନୁଯାୟୀ ଜଳସ୍ତରକୁ ୬୧୫ ଫୁଟ ମଧ୍ଯରେ ରଖିବାକୁ କର୍ତ୍ତୃପକ୍ଷ ଯୋଜନା କରି ଆଜି ୧୦ ଟି ଗେଟ୍ ଖୋଲିବାକୁ ସ୍ଥିର କରିଥିବା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Comments are closed.