ଜିଏମ ବିଶ୍ବବିଦ୍ୟାଳୟର ନୂତନ ପ୍ରଶାସନିକ ଭବନ ଉଦଘାଟିତ

ସମ୍ବଲପୁର: ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ନୂତନ ପ୍ରଶାସନିକ ଭବନ ଆଜି ପବିତ୍ର ମେହେର ଜୟନ୍ତୀ ଅବସରରେ ଉଦଘାଟିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ଏହାକୁ ଉଦଘାଟନ କରିଛନ୍ତି। ୧୦.୭୮ କୋଟି ବ୍ୟୟରେ ନିର୍ମିତ ଏହି କୋଠା ବେଶ ଆକର୍ଷଣୀୟ ହୋଇଛି।

ଆଜି ପୂର୍ବାହ୍ନରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଇଂ ପୂଜାରୀ ଏହି କୋଠାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କୁଳପତି ପ୍ରଫେସର ଏନ୍ ନାଗାରାଜୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ଯ ପାଢୀ, ପୂର୍ବତନ ଜିଏମୟୁ କୁଳପତି ପ୍ରଫେସର ଅତନୁ ପତିଙ୍କ ସମେତ ଭିସୁଟ ଓ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ପ୍ରମୁଖ ଯୋଗଦେଇ ଥିଲେ। ଏହି ନୂତନ କୋଠାରେ ମୋଟ ୨୭ ଟି କୋଠରୀ ରହିଥିବା ବେଳେ ଏଠାକୁ ପୁରୁଣା କୋଠାର ସମସ୍ତ ପ୍ରଶାସନିକ ଅଫିସ ସ୍ଥାନାନ୍ତର ହେବ। ଆଉ ସ୍ଥାନାନ୍ତର ପରେ ପୁରୁଣା କୋଠାରେ ଆହୁରି ୧୦ ଟି କ୍ଲାସରୁମ୍ ବାହାରି ପାରିବ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ଯ ଯେ, ଏହି ନୂତନ କୋଠା କେନ୍ଦ୍ର ସରକାରଙ୍କ ବିନା ରୁଷା ଅନୁଦାନରେ ନିର୍ମାଣ ହୋଇଛି।

Comments are closed.