ଘରୋଇ ହସପିଟାଲ୍ ବିକ୍ରି ଠକେଇ, ୩ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଏକ ଘରୋଇ ହସପିଟାଲ୍ ବିକ୍ରି ଆଳରେ ଠକେଇ ଅଭିଯୋଗରେ ବ୍ରହ୍ମପୁର ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗତ ୩ ବର୍ଷ ଧରି ଲାଗି ରହିଥିବା ଏହି କେସ୍‌ର ତଦନ୍ତ କ୍ଷେତ୍ରରେ ପୋଲିସକୁ ବଡ ସଫଳତା ମିଳିଛି। ଏହି ଘଟଣାରେ ବିଏନ୍‌ପୁର ଥାନା ପୋଲିସ ଗିରଫ କରିଥିବା ତିନି ଅଭିଯୁକ୍ତ ହେଲେ ସ୍ପେଶିମେନ୍ ହୋଲଡିଂ ଲିମିଟେଡ୍‌ କମ୍ପାନିର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାନ୍ତି, ଓମ୍ ଆରୋଗ୍ୟ ହସପିଟାଲର ଅନ୍ୟତମ ପରିଚାଳନା ନିର୍ଦ୍ଦେଶିକା ନିଶି ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ସିଏଚ୍ ବଦ୍ରିନାରାୟଣ ପାତ୍ର। ବ୍ରହ୍ମପୁର ଏସ୍‌ପି ଡା ସର୍ବଣା ବିବେକ ଏମ୍‌ଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ବିବୃତିରେ ମାମଲା ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି।

ଭାବାନଗର ଅଞ୍ଚଳରେ ଥିବା ଆପୋଲୋ ହସ୍‌ପିଟାଲ୍ ବିକ୍ରିକୁ ନେଇ ଏହି ବିବାଦ ଦେଖାଦେଇଥିଲା। ଏହି ହସପିଟାଲ କିଣିବାକୁ ୩.୪୩ କୋଟି ଟଙ୍କା ଠକେଇ ହୋଇଥିବା ନେଇ ବ୍ରହ୍ମପୁର ହର୍ଷବିହାର ଚତୁର୍ଥ ଗଳିର ଡାକ୍ତର ରମେଶ ଚନ୍ଦ୍ର ବାରତା ବିଏନ୍‌ପୁର ଥାନାରେ ଅଭିଯୋଗ କରିଥିଲେ। ଡା. ବାରତା ହସପିଟାଲ୍ କିଣିବାକୁ ସଂଗ୍ରାମ କେଶରୀ ମହାନ୍ତିଙ୍କ ସହ ଚୁକ୍ତିନାମା କରିଥିଲେ। ହେଲେ ପ୍ରତିପକ୍ଷ ତାଙ୍କ ସହ ଠକେଇ କରିଥିବା ନେଇ ବିଏନ୍‌ପୁର ଥାନାରେ ଅଭିଯୋଗ କରିଥିଲେ ଡା. ବାରତା। ସେପଟେ ବଦ୍ରିନାରାୟଣ ଏବଂ ତାଙ୍କ ସହ ଥିବା ରାମଚନ୍ଦ୍ର ପାଢି ଡାକ୍ତର ବାରତାଙ୍କ ନାମରେ କମ୍ପାନିର ଟଙ୍କା ଠକେଇ ଏବଂ ହେରଫେର ନେଇ ଏତଲା ଦେଇଥିଲେ। ସେଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ ଆପୋଲୋ ହସପିଟାଲ୍ କିଣିବାରେ ସଂଗ୍ରାମଙ୍କ ୫୦ ପ୍ରତିଶତ ଅଂଶଧନ ଥିବା ବେଳେ ଡାକ୍ତରଙ୍କ ବାରତା ୨୫ ଓ ରାମଚନ୍ଦ୍ର ପାଢିଙ୍କ ୨୫ ପ୍ରତିଶତ ଲେଖାଏଁ ଅଂଶଧନ ରହିଛି। ଡାକ୍ତର ବାରତା ଉକ୍ତ ହସପିଟାଲ୍‌ର ମାଲିକାନା ଜାହିର କରିବାକୁ ଚାହୁଁଥିବା, ଏପରିକି ହସପିଟାଲ୍ ଚୁକ୍ତି ହେବା ପରେ ପ୍ରତି ମାସରେ ୧୫ ଲକ୍ଷ ଟଙ୍କା ଦେବା ପାଇଁ ସର୍ତ୍ତ ରହିଥିଲେ ମଧ୍ୟ ଡାକ୍ତର ବାରତା ଅର୍ଥ ଦେଉନାହାନ୍ତି। ଏ ସମ୍ପର୍କିତ ମାମଲା ୧୭୬/୨୦୨୨ ପୂର୍ବରୁ ସିଭିଲ୍ ସିନିୟର ଡିଭିଜନ୍ କୋର୍ଟରେ ବିଚାରାଧୀନ ରହିଛି।

ଏପରିକି ସଂଗ୍ରାମ କେଶରୀ ମହାନ୍ତିଙ୍କ ଓକିଲ ଦିଲ୍ଲୀପ କୁମାର ପଟ୍ଟନାୟକ ଏବଂ ଓମ୍ ଆରୋଗ୍ୟ ହସ୍‌ପିଟାଲର ଅନ୍ୟତମ ପରିଚାଳନା ନିର୍ଦ୍ଦେଶିକା ନିଶି ପ୍ରିୟଦର୍ଶିନୀଙ୍କ ସ୍ବାମୀ ବଦ୍ରିନାରାୟଣ ପାତ୍ର ଏବଂ ରାମଚନ୍ଦ୍ର ପାଢି ଏସ୍‌ପିଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଭେଟି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ ଦର୍ଶାଇବାକୁ ଚାହିଁଥିଲେ ଯେ ମାମଲା କୋର୍ଟରେ ଥିବା ବେଳେ ବା ବାରତା ଥାନାକୁ ଯାଇ କେବଳ ମାମଲାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଉଭୟ ପକ୍ଷର ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଉଲ୍ଲେଖଯୋଗ୍ୟ ଆପୋଲୋ ହସ୍‌ପିଟାଲ୍‌କୁ ବିକ୍ରିକୁ ନେଇ ମୁଲଚାଲ ହୋଇଥିଲା। କୌଣସି କାରଣରୁ ଉଭୟ ପକ୍ଷ ମଧ୍ୟରେ ଥିବା ଚୁକ୍ତିନାମାକୁ ନେଇ ବିବାଦ ହୋଇଥିଲା। ଅଭିଯୁକ୍ତମାନେ ଟଙ୍କା ନେବା ପରେ ବି ଆପୋଲୋ ହସ୍‌ପିଟାଲ ବିକ୍ରି କରିନଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ ପରେ ଡା. ବାରତାଙ୍କ ଅଭିଯୋଗ ଆଧାରରେ ସଂଗ୍ରାମ ମହାନ୍ତି, ସିଏଚ୍.ବଦ୍ରି ପାତ୍ର ଓ ନିଶି ପାତ୍ରଙ୍କୁ ଗିରଫ କରିଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି।

Comments are closed.