ବ୍ରହ୍ମପୁରରେ ଖୋଲିଲା ୨ ନୂଆ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର, ଆଉ ୪ ଖୋଲିବ

ବ୍ରହ୍ମପୁର: ସହରାଞ୍ଚଳମାନଙ୍କରେ ସ୍ବାସ୍ଥ୍ୟସେବାକୁ ଅଧିକ ବ୍ୟାପକ କରିବାକୁ ତଥା ଲୋକଙ୍କ ଘରର ଯଥାସମ୍ଭବ ନିକଟତମ ସ୍ଥାନରେ ଚିକିତ୍ସା ସେବା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପମାନ ଗ୍ରହଣ କରିବାରେ ଲାଗିଛନ୍ତି। ସେହି କ୍ରମରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଅନ୍ୟ ୩ଟି ସହରରେ ନୂଆ କରି ମୋଟ ୧୨ଟି ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଚଳିତ ମାସରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କ୍ରମରେ ଏସବୁ ନୂଆ ସ୍ୱାସ୍ଥ୍ୟ କେନ୍ଦ୍ର ଯଥାଶୀଘ୍ର ଜନସାଧାରଣଙ୍କ ସେବା ନିମନ୍ତେ ଲୋକାର୍ପିତ ହେବାକୁ ଯାଉଛି। ସେହି କ୍ରମରେ ଶୁକ୍ରବାର ବ୍ରହ୍ମପୁର ଠାରେ ୨ଟି ନୂଆ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ ହୋଇଛି। ମୀନାକ୍ଷିନଗର ଏବଂ ତୁଳସୀନଗର ଠାରେ ନବନିର୍ମିତ ଦୁଇଟି ସହରାଞ୍ଚଳ ହେଲଥ୍ ଆଣ୍ଡ୍ ୱେଲନେସ୍ ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡୀ ପ୍ରମୁଖ I ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବିଏମ୍‌ସି କମିଶନର ଜେ.ସୋନାଲ ଉପସ୍ଥିତ ଥିଲେ। ବ୍ରହ୍ମପୁର ମହାନଗରରେ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ଥିଲା। ଏବେ ସେହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଆଉ ୪ଟି ଏଭଳି କେନ୍ଦ୍ର ବିଜିପୁର, ଆଙ୍କୁଲି, ଆମ୍ବପୁଆ, ମାଟିଗାଁ ଠାରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି।

ଏହି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରାମର୍ଶ, ରୋଗ ନିରୂପଣ ଏବଂ ଔଷଧ ବିନା ମୂଲ୍ୟରେ ମିଳିବ। ଏଥିସହ ଗର୍ଭାବସ୍ଥା ଓ ପ୍ରସବ ସମୟରେ ଯତ୍ନ, ନବଜାତକ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସେବା, କୈଶୋର ସ୍ବାସ୍ଥ୍ୟ ସେବା, ପରିବାର ନିୟୋଜନ- ଗର୍ଭ ନିରୋଧକ ପଦ୍ଧତି ଓ ଅନ୍ୟାନ୍ୟ ପ୍ରଜନନ ସ୍ୱାସ୍ଥ୍ୟ ସେବା, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସଂକ୍ରାମକ ରୋଗର ଚିକିତ୍ସା, ସାଧାରଣ ରୋଗ ଓ ସାମୟିକ ଅସୁସ୍ଥତାର ବର୍ହିବିଭାଗ ଚିକିତ୍ସା, ଅଣସଂକ୍ରାମକ ରୋଗର ଚିହ୍ନଟ ପରାମର୍ଶ- ନିୟନ୍ତ୍ରଣ ଓ ଚିକିତ୍ସା, କର୍ଣ୍ଣ- ନାସା- ଗଳା ଓ ଚକ୍ଷୁରୋଗ ସମ୍ବନ୍ଧୀୟ ସେବା, ପ୍ରାଥମିକ ମୁଖ ଗହ୍ଵର ଯତ୍ନ, ବୟସ୍କଙ୍କ ସ୍ବାସ୍ଥ୍ୟସେବା ଓ ଯତ୍ନ, ଜରୁରିକାଳୀନ ସ୍ବାସ୍ଥ୍ୟ ସେବା, ମାନସିକ ରୋଗ ଚିହ୍ନଟ ଓ ଏହାର ପ୍ରାଥମିକ ଚିକିତ୍ସା ଆଦି ଏସବୁ ସହରାଞ୍ଚଳ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଉପଲବ୍ଧ ହେବ। ଏହି ସମସ୍ତ ସ୍ବାସ୍ଥ୍ୟ ସମସ୍ୟାର ପ୍ରାଥମିକ ଚିକିତ୍ସା ନିମନ୍ତେ ପରାମର୍ଶ- ରୋଗ ନିରୂପଣ- ଔଷଧ ବିନା ମୂଲ୍ୟରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଏହି ପରିବର୍ଦ୍ଧିତ ଓ ସମ୍ପ୍ରସାରିତ ସହରାଞ୍ଚଳ ସ୍ୱାସ୍ଥ୍ୟସେବା ବିଭିନ୍ନ ସହର ତଥା ମହାନଗରର ବର୍ଦ୍ଧିତ ଜନସଂଖ୍ୟା ହିସାବରେ ଲୋକଙ୍କୁ ନିଜ ପାଖାପାଖି ଅଞ୍ଚଳରେ ଉପଯୁକ୍ତ ଓ ତ୍ବରିତ ଚିକିତ୍ସା ସେବା ଯୋଗାଇ ଦେବାରେ ବେଶ୍ ସହାୟକ ହେବ।

Comments are closed.