ଶ୍ରୀମନ୍ଦିରରେ ପାରମ୍ପରିକ ବିଧାନରେ ବଳଭଦ୍ର ଜନ୍ମ ନୀତି ପାଳିତ 

ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ନୀତି ପାଳନ କରାଯାଇଛି । ଗତକାଲି ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥିଲା । ତତ୍ପରେ ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସଂସ୍କାର ପୂର୍ବକ ସର୍ବାଙ୍ଗ ଲାଗି କରାଯାଇଥିଲା। ଏହାପରେ ବୋଇରାଣୀ ପଟନୀ ଲୁଗା ଲାଗି ହୋଇ ମଧ୍ୟାହ୍ନଧୂପ ବେଶ ବଢିଥିଲା। ଶ୍ରୀବିଗ୍ରହମାନଙ୍କୁ ତିନିଗୋଟି ଆଜ୍ଞାମାଳ, ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗିକରାଯାଇଥିଲା । ବଳଭଦ୍ରଙ୍କ ସମୁଖରେ କଳସ ସ୍ଥାପନ କରାଯାଇ ଷଷ୍ଠିଦେବୀଙ୍କୁ ପୂଜା ସହିତ ସପ୍ତଚିରଞିବୀ ମାର୍କଣ୍ତ, ଅଶ୍ୱତ୍ଥାମା, ବଳି, ବ୍ୟାସ, ହନୁମାନ, ବିଭିଷଣ, ଓ ପର୍ଶ୍ୱରାମ ପୂଜାବିଧି ତୀଥି, ରାଶି, ନକ୍ଷତ୍ର ଅନୁଯାୟୀ ସମ୍ପର୍ଣ୍ଣ ହୋଇଥିଲା । ଏହା ପରେ ରୋଷକୁ ମଧ୍ୟାହ୍ନ ଧୂପ ସହ ଯାତ୍ରାଙ୍ଗୀ ଭୋଗକୁ ୩ଜଣ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା ମଣୋହି କରିଥିଲେ । ଟେରା ଫିଟି ଆଳତି ବଢି ପୁନଶ୍ଚ, ଭିତରେ ପାଣି ପଡି ଧୋ ପଖାଳ ହୋଇଥିଲ। ପୂଜାପଣ୍ଡା ସେବକ ବଡ଼ ବାଡ଼ରେ ମଙ୍ଗଳାର୍ପଣ କରିଥିଲେ । ଏହାପରେ ମୁଦିରସ୍ତ, ପୂଜାପଣ୍ଡା ଓ ପତି ମହାପାତ୍ର ତିନି ବାଡ଼ରେ ବନ୍ଦାପନା କରିଥିଲେ । ପୂଜାବିଧି ଶେଷ ହେବାପରେ, ମହାପ୍ରଭୁଙ୍କଠାରେ ଲାଗି ହୋଇଥିବା ତିନୋଟି ଆଜ୍ଞାମାଳକୁ ଭୂଦେବୀ, ଶ୍ରୀଦେବୀ ଓ ମଦନମୋହନଙ୍କୁ ଲାଗିହେବାପରେ ଭୂଦେବୀ ଓ ଶ୍ରୀଦେବୀ ଝୁଲଣ ମଣ୍ତପକୁ ବିଜେ ହୋଇଥାନ୍ତି । ମଦନମୋହନ ନକ୍ଷତ୍ର ବନ୍ଦାପନା ସାରି ଝୁଲଣ ମଣ୍ତପକୁ ଗମନ କରିଥିଲେ ।

ଏହାପରେ ସୁଦର୍ଶନ ବିଜେ ନିମନ୍ତେ ଦଇତାପତି ମାନେ ସିଂହାସନ ଉପରକୁ ଯାଇଥିଲେ। ଏହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ଦିଆଯାଇ ଥିଲା। ଦଇତାମାନେ ଶ୍ରୀସୁଦର୍ଶନଙ୍କୁ ଚୋଉଦୋଳରେ ବିଜେ କରାଇ ଚାଙ୍ଗଡ଼ା ମେକାପ ଦେଇଥିବା ପାଟ, ପତନୀ ତଥା ଦୟଣାମାଳି ସେବାୟତ ଦେଇଥିବା ଚୂଳ ପାଳିଆ ଖୁଣ୍ଟିଆଠୁ ନେଇ ସୁଦର୍ଶନଙ୍କୁ ଲାଗି କରାଯାଇଥିଲା । ଏହାପରେ ଭଣ୍ଡାର ମେକାପ ଯୋଗାଇଥିବା ସ୍ୱର୍ଣ୍ଣ ଅଳଙ୍କାର ଯଥା – କମର ପଟି ଓ ହରଡ଼ ମାଳି ସୁଦର୍ଶନଙ୍କୁ ଲାଗି କରାଯାଇଥିଲା । ଏହା ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଇଥିଲେ। ସେଠାରେ ଥିବା ଚକଡ଼ା ଉପରେ ସୁଦର୍ଶନଙ୍କୁ ବିଜେ କରିଥିଲେ।

ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁସୁଆର ସେବକମାନେ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ। ସେଠାରେ ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଂଚଉପଚାରରେ ଶୀତଳ ଭୋଗ ମଣୋହି ସାରିଥିଲେ । ଏହାପରେ ପୂଜାପଣ୍ଡା ସାମନ୍ତ ମାଟି ମୂର୍ତ୍ତିଙ୍କ ଜୀବନ୍ୟାସ ମନ୍ତ୍ରପାଠ ଓ ଜାତକର୍ମ ନୀତି ସଂପନ୍ନ ହେବା ପରେ ମୂର୍ତ୍ତିଙ୍କୁ ମାର୍କଣ୍ଡେୟ ପୁଷ୍କରିଣୀରେ ବିସର୍ଜନ କରାଯାଇ ଥିଲା। ବଳଭଦ୍ର ଙ୍କ ଜନ୍ମ ନୀତି ସମ୍ପନ୍ନ ପରେ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ଶ୍ରୀମନ୍ଦିର ବାହୁଡା ବିଜେ କରିଥିଲେ । ଏହାପରେ ଶ୍ରୀମନ୍ଦିର ରେ ଅନ୍ୟାନ୍ୟ ନୀତି ବଢିଥିଲା।

Comments are closed.