ଦେଶର ଶ୍ରେଷ୍ଠ ତଦନ୍ତକାରୀ ତାଲିକାରେ ସୋରଡ଼ା ଆଇଆଇସି

ଛତ୍ରପୁର: ଗଞ୍ଜାମ ପୋଲିସ ଜିଲ୍ଲା ପାଇଁ ଆଉ ଏକ ଗୌରବମୟ ସଫଳତା। ପୂର୍ବରୁ ଦେଶର ଶ୍ରେଷ୍ଠ ୩ଟି ଥାନାରେ ଏହି ପୋଲିସ ଜିଲ୍ଲା ଅନ୍ତର୍ଗତ ଗାଙ୍ଗପୁର ଥାନା ସ୍ଥାନ ପାଇଥିଲା। ଆଉ ଏବେ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଦେଶର ୧୫୧ ଜଣ ଶ୍ରେଷ୍ଠ ତଦନ୍ତକାରୀ ଥାନା ଅଧିକାରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସମ୍ପ୍ରତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାତୀୟସ୍ତରରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀଙ୍କ ତାଲିକା ପ୍ରକାଶ ପାଇଛି ଯେଉଁଥିରେ ୧୫୧ ଜଣ ପୋଲିସ ଅଫିସରଙ୍କ ନାମ ସ୍ଥାନିତ ହୋଇଛି। ସେହି ତାଲିକାରେ ଗଞ୍ଜାମ ଜିଲ୍ଲାରୁ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସାମିଲ ହୋଇଛନ୍ତି।

ପ୍ରାୟ ବର୍ଷକ ତଳେ ବହୁଚର୍ଚ୍ଚିତ ଏକ ହତ୍ୟାକାଣ୍ଡ ଘଟିଥିଲା। ସୋରଡ଼ା ଥାନା ଅନ୍ତର୍ଗତ ବଜ୍ରଗୁମା ଗ୍ରାମ ନିକଟରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୁହଁ ପୋଡ଼ି ଦିଆଯାଇ ଥିଲା। ପରବର୍ତ୍ତୀ ସମୟରେ ଘଟଣାର ପର୍ଦ୍ଦାଫାଶ ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳତା ହାସଲ କରିଥିଲେ ଥାନାଧିକାରୀ ରମେଶ କୁମାର ପ୍ରଧାନ। କେବଳ ଏତିକି ନୁହେଁ ନୂଆଗଡ଼ ଗ୍ରାମ ନିକଟରେ ଋଷିକୁଲ୍ୟା ନଦୀ ବାଲିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ମୁଣ୍ଡ ଓ ଶରୀରକୁ ଅଲଗା କରି ପୋତି ଦିଆଯାଇଥିଲା। ଏହି ଘଟଣାରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଦୁଇଟି ଉଲ୍ଲେଖନୀୟ ସଫଳତା ସହ ଆହୁରି ଅନେକ ମାମଲାରେ ସଫଳ ତଦନ୍ତ ଓ ଅଭିଯୁକ୍ତଙ୍କ ଗିରଫଦାରୀ ନିମନ୍ତେ କେନ୍ଦ୍ର ଗୃହ ବିଭାଗ ତରଫରୁ ଥାନାଧିକାରୀ ରମେଶ ପ୍ରଧାନ ମନୋନୀତ ହୋଇଛନ୍ତି। ଏଣୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ସୋରଡ଼ା ଥାନାଧିକାରୀଙ୍କୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହ ଜିଲ୍ଲା ତଥା ଥାନା ପାଇଁ ଏଭଳି ଗୌରବ ଆଣିଥିବାରୁ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଦେଶର ଶ୍ରେଷ୍ଠ ତିନିଟି ଆଦର୍ଶ ଥାନା ମଧ୍ୟରେ ଟପ୍- ୨ ଭାବେ ସ୍ଥାନିତ ହୋଇଥିଲା। ଲକ୍ଷ୍ନୌ ଠାରେ ଗତବର୍ଷ ନଭେମ୍ବର ୧୯ରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପୁରସ୍କାର ପ୍ରଦାନ କରିଥିଲେ। ଥାନାଗୁଡ଼ିକରେ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗ୍ରହଣ ସହ ଜନସାଧାରଣଙ୍କ ନିକଟତର ହୋଇ ବିଭିନ୍ନ ସମସ୍ୟାର ସମାଧାନ ସାଙ୍ଗକୁ ଜନତାଙ୍କ ଆସ୍ଥାଭାଜନ ହେବା କ୍ଷେତ୍ରରେ ୪୯ଟି ପୃଷ୍ଠଭୂମିକୁ ଆଧାର କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଥାନାଗୁଡ଼ିକୁ ଚୟନ କରାଯାଇ ଥିଲା। ବିଶେଷ କରି ସାଧାରଣ ଜନତା ଥାନାକୁ ଆସିବା ବେଳେ ଯେପରି ଆଦୌ ଭୟଭୀତ ନହେବେ ସେଦିଗରେ ଏହି ଥାନାଗୁଡ଼ିକ କାର୍ଯ୍ୟ କରି ପୁରସ୍କୃତ ହୋଇଥିଲେ। ଇ- ଗଭର୍ଣ୍ଣାନ୍ସ, ସିସିଟିଏନ୍‌ଏସ୍‌ରେ ଅନଲାଇନ୍ କେସ୍ ପଞ୍ଜୀକରଣ, ଜୁଆ ଚଢ଼ଉ, ଆଗ୍ନେୟାସ୍ତ୍ର ନିରୋଧ ଆଇନ, ଅବକାରୀ ଆଇନ କାର୍ଯ୍ୟକାରିତା, ଅପମୃତ୍ୟୁ ମାମଲା ଫଇସଲା, ପାସପୋର୍ଟ ଯାଞ୍ଚ ଆଦି କ୍ଷେତ୍ରକୁ ନେଇ ସର୍ଭେ ହୋଇଥିଲା।

ଅପରପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ୫-ଟି ଭିଜନ୍‌ କାର୍ଯ୍ୟକାରିତା ସାଙ୍ଗକୁ ଲୋକଙ୍କ ପାଇଁ ଅଭ୍ୟର୍ଥନା କକ୍ଷ ନିର୍ମାଣ, ଜନସାଧାରଣଙ୍କ ସହ ଉତ୍ତମ ବ୍ୟବହାର, ଥାନା ପରିସରରେ ଛୋଟ ପିଲାଙ୍କ ପାଇଁ ମହିଳା ଏବଂ ଶିଶୁ ଡେସ୍କ ସଠିକ୍ ପରିଚାଳନା, ବିଶୁଦ୍ଧ ପିଇବା ପାଣି ଯୋଗାଣ ଏବଂ ପରିମଳ ସାଙ୍ଗକୁ ଥାନା ଅନ୍ତର୍ଗତ ଗାଁ ମାନଙ୍କରେ ଆମ ପୁଲିସ ସମିତି ବୈଠକ ଜରିଆରେ ଜନସାଧାରଣଙ୍କ ସାଙ୍ଗରେ ଉତ୍ତମ ସମ୍ପର୍କ ରଖିବାରେ ଥାନା ଉଲ୍ଲେଖନୀୟ କାର୍ଯ୍ୟ କରିପାରିଥିଲା। ସାଧାରଣ ଲୋକଙ୍କୁ ଉଚିତ ସେବା ଓ ମାର୍ଗଦର୍ଶନ ସହ ଅପରାଧ ନିୟନ୍ତ୍ରଣ ଦିଗରେ ଜନସାଧାରଣଙ୍କ ସହଯୋଗ ହାସଲ କରିପାରିଥିବାରୁ ତଥା ସଂସ୍କାରମୂଳକ କାର୍ଯ୍ୟପନ୍ଥା ଆପଣାଇଥିବାରୁ ଗାଙ୍ଗପୁର ଥାନାକୁ ପୁରସ୍କୃତ କରାଯାଇ ଥିଲା।

Comments are closed.