ମହାନଦୀ କୁଦରେ ୪ ଦିନ ଫସିଥିବା ବାପପୁଅ ଉଦ୍ଧାର

ଆଠଗଡ଼ – ୪ ଦିନ ଧରି ମହାନଦୀ ମଝିରେ ଫସି ରହିବା ପରେ ଉଦ୍ଧାର ହୋଇଛନ୍ତି ବାପପୁଅ । ଆଠଗଡ଼ କନ୍ଦରପୁରର ଅମଙ୍ଗେଇକୁଦକୁ ଛେଳି ଚରାଇବାକୁ ଯାଇ ଗତ୪ ଦିନ ହେବ ବାପପୁଅ ପାଣି ମଝିରେ ଫସି ରହିଥିଲେ। ଆଜି ଓଡ୍ରାଫ ଟିମ୍‌ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

୪ ଦିନ ପୂର୍ବେ ଆଠଗଡ଼ କନ୍ଦରପୁରର ଅମଙ୍ଗେଇକୁଦକୁ ବାପପୁଅ ଛେଳି ଚରାଇବାକୁ ଏକ ହୁଲି ଡଙ୍ଗାରେ ଯାଇଥିଲେ। ସେଠାରେ ସେମାନେ ନିୟମିତ ଛେଳି, ଚରାଇବାକୁ ଯାଉଥିବାରୁ ବିଶ୍ରାମ ନେବା ପାଇଁ ଏକ କୁଡ଼ିଆ କରିଛନ୍ତି। ସେଠାରେ ସେମାନେ ୪୦ରୁ ଅଧିକ ଛେଳି ରଖିଥିବା ବେଳେ କିଛି କୁକୁଡ଼ା ବି ରଖିଛନ୍ତି। ୪ ଦିନ ପୂର୍ବେ ଉଭୟ ବାପପୁଅ ଛେଳି ଚରାଇବାକୁ କୁଦକୁ ଯାଇଥିବା ବେଳେ ପ୍ରବଳ ବର୍ଷା ପବନ ହେବାରୁ ଆଉ ଫେରି ପାରି ନ ଥିଲେ। ତା’ ପରଦିନ ମହାନଦୀରେ ପାଣି ବଢ଼ିଯିବାରୁ ଆଉ ଫେରିବା ସମ୍ଭବପର ହୋଇପାରି ନ ଥିଲା। ସେମାନେ ସେଠାରେ ଥିବା କୁଡ଼ିଆରେ ଆଶ୍ରୟ ନେଇଥିଲେ ମଧ୍ୟ ଖାଦ୍ୟପଦାର୍ଥ ସରି ଯାଇଥିଲା। ଏନେଇ ସେମାନେ ପରିବାର ଲୋକଙ୍କୁ ଅବଗତ କରିଥିବା ବେଳେ ସେମାନଙ୍କ ମୋବାଇଲ ସୁଇଚ ଅଫ୍‌ ହୋଇ ଯାଇଥିଲା। ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ପରିବାର ଲୋକେ ଗତକାଲି ରାତିରେ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ତତ୍ପରତା ଦେଖାଇଥିଲା। ଆଜି ସକାଳୁ ଏକ ଓଡ୍ରାଫ ଟିମ୍‌ ସେମାନଙ୍କୁ ଉଦ୍ଧାର କରିବାକୁ ଅମଙ୍ଗେଇକୁଦକୁ ଯାଇଥିଲା। ସୁରକ୍ଷିତ ଭାବେ ବାପପୁଅଙ୍କୁ ଉଦ୍ଧାର କରାଯାଇଛି ।

Comments are closed.