ପ୍ରଭୂ ଶ୍ରୀକୃଷ୍ଣଙ୍କ ମାନବ ଲୀଳାର ପର୍ବ: ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ସମଗ୍ର ପୃଥିବୀରେ ହିନ୍ଦୁ ନରନାରୀ ଆଜି ନିଷ୍ଠାର ସହିତ ଏହି ବ୍ରତ ପାଳନ କରୁଛନ୍ତି। ଅବଶ୍ୟ ସ୍ଥାନ ଓ ସୂର୍ଯ୍ୟ ଉଦୟର ସମୟ ହିସାବରେ ଏହା ଆସନ୍ତା କାଲି ମଧ୍ୟ ଅନ୍ୟତ୍ର ପାଳନ କରାଯାଉଛି। ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣ ଇହ ଧାମ ତ୍ୟାଗ କଲେ ସେଦିନଠାରୁ କଳି ଯୁଗ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ କଳିଭୋଗବ୍ଦ ୫୧୧୩ ଚାଲିଛି । ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଆଜିର ତିଥିରେ ଏହି ଧରାଧାମରେ ଅବତରଣ କରିଥିଲେ।

ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ରଦ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା । ଅବତାର ଅର୍ଥ ଅବତୀର୍ଣ୍ଣ ହେବା, ଭକ୍ତ ମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମକୁ ଠିକ ଭାବରେ ପାଳନ କରିବାଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ । ବ୍ରହ୍ମା, ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ ।

ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ। ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ। କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ । ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ ।

ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି । ଏହା ଭଗବତ ଗୀତା ନାମରେ ବିଶ୍ୱ ବିଖ୍ୟାତ । ଭଗବତ ଗୀତା ବିଶ୍ୱ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି । ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ।

ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମାଷ୍ଟମୀ ସମଗ୍ର ମାନବ ଜାତିପାଇଁ ଏକ ପ୍ରେରଣା ପ୍ରଦ ଦିବସ। ଯାହା ସିଏ ସ୍ୱୟଂ ନିଜ ମୁଖରେ ଗୀତରେ କହିଛନ୍ତି ” ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ର୍ଭବତୀ ଭାରତ।

ଅଭ୍ୟୁସ୍ଥାନ ମଧର୍ମସ୍ୟ ତଦାତ୍ମାନଂ ସୃଜା ମ୍ୟହଂ” ଅର୍ଥାତ ଯେଉଁ ସମୟରେ ଧର୍ମ ର ଗ୍ଲାନି ଘଟିଥାଏ ଠିକ ସେହି ସମୟରେ ମୁଁ ଏ ଧରାରେ ଅବତୀର୍ଣ୍ଣ ହେଇ ଧର୍ମକୁ ରକ୍ଷା କରି ଥାଏ। ଆଜିର ଏ ପାବନ ଦିବସରେ ସେଇ ମୁରଲୀ ମନୋହର ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ପ୍ରଣାମଞ୍ଜଳି ଜଣାଉଛୁ।

Comments are closed.