ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ / ପାଟନା: ବିହାରର ପୂର୍ବତନ ଶିଳ୍ପ ମନ୍ତ୍ରୀ ତଥା ଚର୍ଚ୍ଚିତ ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିବାକୁ ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଳ କୋର୍ଟର ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଦାୟର ପିଟିସନକୁ ହାଇକୋର୍ଟ ମଧ୍ୟ ଖାରଜ କରିଦେଇଛନ୍ତି । ଏହି ମାମଲାର ଶୁଣାଣି ସମୟରେ କୋର୍ଟ ପୋଲିସକୁ ମଧ୍ୟ ଭର୍ତ୍ସନା କରିଛନ୍ତି। ୨୦୧୮ର ଏହି ମାମଲାରେ ପୀଡ଼ିତା ମହିଳା ହୁସେନ୍‌ଙ୍କ ବିରୋଧରେ ନାଁରେ ଏଫ୍ଆଇଆର୍ ଦାବି କରିଥିଲେ।

କିଛି ମାସ ପୂର୍ବେ ପୀଡିତାଙ୍କ ଅଭିଯୋଗ ଉପରେ ଦିଲ୍ଲୀର ସାକେତ କୋର୍ଟ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତର ଏହି ଆଦେଶକୁ ଶାହନୱାଜ ହୁସେନ୍ ସାକେତ କୋର୍ଟର ହିଁ ସ୍ୱତନ୍ତ୍ର ବିଚାରପତିଙ୍କ ସମ୍ମୁଖରେ ଚ୍ୟାଲେଞ୍ଜ କରିଥିଲେ। ସେଠାରୁ କୌଣସି ଆଶ୍ବସ୍ତି ନ ମିଳିବା ପରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲାରେ ୨୦୧୮ରେ ହିଁ ହାଇକୋର୍ଟ ଏଫ୍ଆଇଆର୍ ରୁଜୁ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିଥିଲେ।

ବର୍ତ୍ତମାନ ଶାହନାୱାଜ ହୁସେନ୍‌ଙ୍କ ଏହି ମାମଲାରେ ହାଇକୋର୍ଟ ପୋଲିସକୁ ଭର୍ତ୍ସନା କରିଛନ୍ତି। ଏହି ମାମଲାର ଶୁଣାଣି କରି ଜଜ୍ କହିଛନ୍ତି ଯେ ଶାହନାୱାଜ ହୁସେନ୍‌ଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସ ବୋଧହୁଏ କୁଣ୍ଠା ପ୍ରକାଶ କରୁଛି। ଏହି ଘଟଣାରେ ପୋଲିସର ମନୋଭାବ ଉପରେ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ଆବେଦନକୁ ଖାରଜ କରି ହାଇକୋର୍ଟ ଦିଲ୍ଲୀ ପୋଲିସକୁ ତିନିମାସ ମଧ୍ୟରେ ଘଟଣାର ତଦନ୍ତ କରିବାକୁ ଏବଂ ଆଇପିସିର ଧାରା ୧୭୩ ଅନୁଯାୟୀ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶାହନୱାଜ ହୁସେନ୍‌ଙ୍କ ବିରୋଧରେ ଏହି ମାମଲା ଏପ୍ରିଲ୍ ୨୦୧୮ର | ଜଣେ ମହିଳା ଏହି ବିଜେପି ନେତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରିଥିଲେ। ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ଛତରପୁରରେ ଏକ ଫାର୍ମ ହାଉସରେ ତାଙ୍କୁ ନିଶା ଦ୍ରବ୍ୟ ଖୁଆଇ ଶାହନୱାଜ ହୁସେନ୍‌ ବଳାତ୍କାର କରିଥିଲେ। ଏହି ମାମଲାରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିବାକୁ ମନା କରିଦେଇଥିଲା। ଏହା ପରେ ପୀଡ଼ିତା ମହିଳା ସାକେତ୍ କୋର୍ଟରେ ପହଞ୍ଚିଥିଲେ। ଶାହନାୱାଜ ହୁସେନ୍‌ଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସାକେତ୍ ଜିଲ୍ଲା କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.