ଆଜି ସଂଧ୍ୟା ସୁଦ୍ଧା ମହାନଦୀ ଜଳସ୍ତର ସ୍ଥିତିରେ ସୁଧାର ଆସିବା ଆଶା : ଏସଆରସି

ଭୁବନେଶ୍ୱର -ଗତକାଲିଠୁ ଆଜି ସକାଳ ଯାଏଁ ମହାନଦୀରେ ସେପରି ବର୍ଷା ହୋଇନି। ତେଣୁ ଅଧିକ ପାଣି ମହାନଦୀ ସିଷ୍ଟମରେ ପ୍ରବେଶ କରିନାହିଁ। ହେଲେ ଆଗକୁ ଆଉ ଏକ ଲଘୁଚାପ ଆସୁଥିବାରୁ ତାହା ଉପରେ ନଜର ରଖାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

ଆଗକୁ ଲଘୁଚାପ ଆସୁଥିବାରୁ ହୀରାକୁଦର ଜଳସ୍ତର ୬୨୨ ଫୁଟକୁ ଖସାଇବାକୁ ଚେଷ୍ଟା ଚାଲିଛି। ଆଜି ମଧ୍ୟାହ୍ନ ୩ଟା ସୁଦ୍ଧା ଜଳସ୍ତରକୁ ୬୨୪ ଫୁଟ ଓ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ତାହାକୁ ୬୨୨ ଫୁଟ ତଳକୁ ଆଣିବାକୁ ଚେଷ୍ଟା କରାଯାଉଛି ବୋଲି ଏସଆରସି କହିଛନ୍ତି।

ମହାନଦୀରେ ସେପରି ବର୍ଷା ହୋଇ ନ ଥିବାରୁ ମୁଣ୍ଡଳିରେ ଜଳସ୍ତର କ୍ରମଶଃ କମୁଥିଲା। ଆଜି ଦିନ ୧୧ଟା ସୁଦ୍ଧା ଜଳସ୍ତର ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଥିଲା। ତାହା ଏବେ ବଢ଼ୁଛି, କମୁଛି। ଆଜି ସକାଳ ୯ଟା ସୁଦ୍ଧା ୧୦ ଲକ୍ଷ ତଳକୁ ଆସିବ ବୋଲି ଆଶା କରିଥିଲୁ, କିନ୍ତୁ ତାହା ହେଉନାହିଁ। ଏହାର କାରଣ ଖଇରମାଳ ତଳେ ଯେଉଁ ନଦୀ ଅଛି ସେଥିରେ ଥିବା ବନ୍ୟା ଜଳ ଉଦବୃତ୍ତ ହେବାରେ ବିଳମ୍ବ ହେଉଛି। ଫଳରେ ମୁଣ୍ଡଳିର ଜଳସ୍ତର ହ୍ରାସ ପାଇବା ବିଳମ୍ବ ହେଉଛି ସେ କହିଛନ୍ତି ।

ଆଜି ସନ୍ଧ୍ୟା ଭିତରେ ଜଳସ୍ତର କମିବ ଓ ସ୍ଥିତିରେ ସାମାନ୍ୟ ସୁଧାର ଆସିବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି । ବନ୍ୟା ପ୍ରପୀଡିତ ଅଞ୍ଚଳରେ ଲୋକଙ୍କୁ ଯଥାସମ୍ଭବ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା ଚାଲିଛି। କିଛି ଜିଲ୍ଲାର ବନ୍ୟାଞ୍ଚଳରେ ଅତ୍ୟାବଶ୍ୟକ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ଘରୋଇ ବୋଟ ନିୟୋଜନ ନିମନ୍ତେ ଅନୁମତି ଦିଆଯାଇଥିବା ସୂଚନା ଦେଇଛନ୍ତି ଏସଆରସି ।

Comments are closed.