ହୀରାକୁଦର ୮ ଗେଟ୍ ବନ୍ଦ, ୩୨ ଗେଟ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ମଙ୍ଗଳବାର ଠାରୁ ହୀରାକୁଦର ୪୦ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିଲା। ହେଲେ ଆଜି ୨ଟି ପର୍ଯ୍ୟାୟରେ ୮ଟି ଗେଟ ବନ୍ଦ କରାଯାଇଛି। ଫଳରେ ବର୍ତ୍ତମାନ ମୋଟ ୩୨ ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ସେପଟେ ଉପରମୁଣ୍ଡରୁ ଜଳପ୍ରବାହର ମାତ୍ରା ବି ସାଢେ ୪ ଲକ୍ଷ କ୍ୟୁସେକ ତଳକୁ ଖସିଆସିଛି। ଆଉ ଜଳସ୍ତର ବି ୬୨୩.୯୧ ଫୁଟକୁ ଖସି ଆସିଛି।

ତଳମୁଣ୍ଡରରେ ବନ୍ୟା ପରିସ୍ଥିତି ଯୋଗୁଁ ହୀରାକୁଦକୁ ୯ ଲକ୍ଷ କ୍ୟୁସେକ ପାଣି ଆସୁଥିଲେ ବି ମାତ୍ର ୨୬ ଗେଟ ଦେଇ ଜଳ ନିଷ୍କାସନ କରାଯାଇଥିଲା। ଫଳରେ ହୀରାକୁଦର ଜଳସ୍ତର ୬୨୭ ଫୁଟ ଅତିକ୍ରମ କରିସାରିଥିଲା। ତେବେ ମଙ୍ଗଳବାର ଠାରୁ ୪୦ ଗେଟରେ ଜଳ ନିଷ୍କାସନ ଚାଲିଥିଲା। ଏହା ଫଳରେ ସମ୍ବଲପୁର ସହରରେ ଦେଢ ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ତେବେ ଉପରମୁଣ୍ଡରୁ ଇନଫ୍ଲୋ ଆଜି ୩ଟା ସୁଦ୍ଧା ୪ ଲକ୍ଷ ୨୪ ହଜାର କ୍ୟୁସେକକୁ ଖସି ଆସିଥିବାରୁ ଆଜି ୨ଟି ପର୍ଯ୍ୟାୟରେ ୮ ଗେଟ୍ ବନ୍ଦ କରାଯାଇଛି। ଫଳରେ ସମ୍ବଲପୁର ସହରର ବନ୍ୟା ସ୍ଥିତିରେ ସୁଧାର ଆସିବାକୁ ଯାଉଛି। ବର୍ତ୍ତମାନ ହୀରାକୁଦକୁ ୪ ଲକ୍ଷ ୨୪ ହଜାର ୭୮୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୫ ଲକ୍ଷ ୪୫ ହଜାର ୫୭୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆଉ ଜଳସ୍ତର ୬୨୩.୯୧ ଫୁଟକୁ ଖସି ଆସିଛି।

Comments are closed.