ଲଗାଣ ବର୍ଷାରେ କନ୍ଧମାଳ ବେହାଲ

ଫୁଲବାଣୀ: ଲଘୁଚାପଜନିତ ଲଗାତାର ବର୍ଷା ଫଳରେ କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ମାତ୍ର ୪ ଦିନର ବ୍ୟବଧାନ ପରେ ପୁଣି ଲଗାଣ ବର୍ଷା ଜିଲ୍ଲାତମାମ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରଭାବିତ କରିଛି। କେଉଁଠି ଘର ଭାଙ୍ଗିଛି ତ କେଉଁଠି ରାସ୍ତାରେ ଅବରୋଧ ସୃଷ୍ଟି ହୋଇଛି। କେଉଁଠି ଗଛ ଉପୁଡ଼ି ଯୋଗାଯୋଗ ବ୍ୟବସ୍ଥାରେ ବାଧା ଉପୁଜିଛି ତ କେଉଁଠି ମାଟି ଧସିଛି ଅଥବା ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗୁରୁବାର ରାତିରୁ ଲଗାତାର ବର୍ଷା ଫଳରେ ଜିଲ୍ଲାସାରା ବିପର୍ଯ୍ୟୟର ଚିତ୍ର ଫୁଟି ବାହାରିଛି। ଗୁରୁବାର ରାତିରୁ ଶୁକ୍ରବାର ରାତି ମଧ୍ୟରେ କନ୍ଧମାଳ ଜିଲ୍ଲାରେ ୫୧୮.୨ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ବାରମ୍ବାର ଲଗାଣ ବର୍ଷା ହେତୁ ଜିଲ୍ଲାରେ ୩୮୦ ଗୋଟି ଘର ଭାଙ୍ଗିଯାଇଛି।

ଗୁରୁବାର ରାତିରୁ କନ୍ଧମାଳ ଜିଲ୍ଲାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରୁ ଧାରାଶ୍ରାବଣ ବର୍ଷା ସାଧାରଣ ଜୀବନଯାତ୍ରାକୁ ଉଜାଡ଼ି ଦେଇଛି। ଜିଲ୍ଲା ସଦର ମହକୁମାରୁ ଆରମ୍ଭ କରି ଉପାନ୍ତ ଓ ଦୂରବର୍ତ୍ତୀ ଗ୍ରାମାଞ୍ଚଳରେ ମଧ୍ୟ କ୍ଷୟକ୍ଷତିର ଦୃଶ୍ୟ ପରିଲକ୍ଷିତ ହୋଇଛି। ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ଚାଷ କ୍ଷେତରେ ପାଣି ଭରି ରହିଛି। ବ୍ୟାପକ ଫସଲ ନଷ୍ଟ ହେବା ଆଶଙ୍କା କରୁଛନ୍ତି ଚାଷୀ। ଟିକାବାଲି ବ୍ଲକ୍ କଇଁଝର- ପିପୁଡିଦେଇ ପୂର୍ତ୍ତ ସଡ଼କରେ ରତାଖଣ୍ଡି ପୋଲ ନିକଟରେ ମାଟି ଧସି ବିପଦସଙ୍କୁଳ ଅବସ୍ଥା ସୃଷ୍ଟି କରିଛି। ମିଡ଼ାବାଲି- ପକାରି ମାଟି ରାସ୍ତା ଧୋଇ ହୋଇଯାଇଥିବାରୁ ଏହି ରାସ୍ତାରେ ଯାଆସ କରୁଥିବା ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଚକାପାଦ ବ୍ଲକ୍ ପୋଡ଼ାମାହା ଘାଟିରେ ଭୂସ୍ଖଳନ କାରଣରୁ ଚକାପାଦ ଓ ଟିକାବାଲିକୁ ଯୋଗାଯୋଗ ପ୍ରଭାବିତ ହୋଇଛି। ରାଇକିଆ ବ୍ଲକ୍ କରଡ଼ା ଘାଟିରେ ପଥର ଖସି ସଡ଼କ ଯୋଗାଯୋଗ ଠପ୍ ହୋଇଯାଇଛି। ଫୁଲବାଣୀ ମାଦିକୁନ୍ଦା ଛକ ନିକଟରେ ଗଛ ଭାଙ୍ଗିଯିବାରୁ ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଯାତାୟାତ ପ୍ରଭାବିତ ହୋଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

କେବଳ ଏତିକି ନୁହେଁ ଫୁଲବାଣୀ ମାଦିକୁନ୍ଦା ଛକ ନିକଟରେ ବିରାଟ ଗଛ ଉପୁଡ଼ି ୫ଟି ଘର ନଷ୍ଟ ହୋଇଯାଇଛି। ମୁଖ୍ୟ ରାସ୍ତାକୁ ଗଛ ଅବରୋଧ କରିଥିବାରୁ ଯାତାୟାତ ବନ୍ଦ ରହିଥିଲା। ବିଦ୍ୟୁତ୍ ତାର ଛିଡ଼ିଯିବାରୁ ଘଣ୍ଟା ଘଣ୍ଟା ଧରି ଜିଲ୍ଲା ସଦର ମହକୁମା ଅନ୍ଧାରରେ ରହିଥିଲା। ପିଲାସାଲୁକୀ ନଦୀରେ ପ୍ରବଳ ବର୍ଷା ଜଳ ପ୍ରବାହ କାରଣରୁ ଡାକପାଲା ବ୍ରିଜ୍‌ ଉପରେ ଜଳ ପ୍ରବାହିତ ହୋଇଥିଲା। ଫୁଲବାଣୀ ପୌରପାଳିକାର ଡାମିଗାଁ, ଡାକପାଲା, ଆଲାମୀ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କୁମ୍ଭାରପଡ଼ା ନାଳରେ ପ୍ରବଳ ସୁଅ ଯୋଗୁଁ ୧୦ ନମ୍ବର ୱାର୍ଡର ଅନେକ ସାହି ଓ ବସତି ଜଳବନ୍ଦୀ ହୋଇ ଯାଇଛି। ନଦୀଖଣ୍ଡି ସାହି, ଢିପା ସାହି, ମାଷ୍ଟରପଡ଼ାର ଅନେକ ଘରେ ପାଣି ପଶି ପଶିଯାଇଛି। ଖଜୁରିପଡ଼ାରେ ବର୍ଷା କାରଣରୁ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି। ଫୁଲବାଣୀ ନିକଟରେ ପିଲାସାଲୁକୀ ନଦୀରେ ପ୍ରବଳ ବର୍ଷା ଜଳ ଆସିବାରୁ ୪ଟି ଗୋରୁ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ପୋଲ ଉପରେ ଜଳ ପ୍ରବାହିତ ହେଉଥିବାରୁ ଅନେକ ଇଲାକାକୁ ଯାତାୟାତ ବନ୍ଦ ରଖିବାକୁ ବାଧ୍ୟ ହୋଇଛି ପ୍ରଶାସନ।

Comments are closed.