ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ- ବ୍ରହ୍ମପୁର ଆଇଟିଆଇ ଏମ୍ଓୟୁ

ବ୍ରହ୍ମପୁର: ନିଜ ଜ୍ଞାନକୌଶଳ, ଭିତ୍ତିଭୂମି, ଗବେଷଣା ସମ୍ବନ୍ଧୀୟ ସୁବିଧା ସୁଯୋଗକୁ କେବଳ ନିଜ ଭିତରେ ସୀମିତ ନ ରଖି ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ତାହା ଉପଲବ୍ଧ କରାଇବ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ। ନିଜ ଛାତ୍ରଛାତ୍ରୀଙ୍କୁ ଅଧିକ ଜ୍ଞାନ ଆହରଣ ସୁଯୋଗ ଦେବା ସହ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ମଧ୍ୟ ଏଥିରେ ସହଯୋଗ କରିବ। ଏହି କ୍ରମରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ବ୍ରହ୍ମପୁର ସରକାରୀ ଆଇଟିଆଇର ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ବୁଝାମଣାପତ୍ର ସ୍ବାକ୍ଷର ବେଳେ କୁଳପତି ପ୍ରଫେସର୍ ଗୀତାଞ୍ଜଳୀ ଦାଶ ଓ ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀଙ୍କ ସମେତ ଅନ୍ୟ ଅଧିକାରୀ, କର୍ମକର୍ତ୍ତା ଉପସ୍ଥିତ ଥିଲେ। ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ରାଜ୍ୟ ଡିଟିଇଟି ନିର୍ଦ୍ଦେଶକ ଜି.ରେଘୁ ଏବଂ ଏସ୍‌ଇଟି ଅତିରିକ୍ତ ସଚିବ ତପନ କୁମାର ଶତପଥୀ। ସେମାନେ ଏଭଳି ପଦକ୍ଷେପକୁ ଉଚ୍ଚପ୍ରଶଂସା କରିଥିଲେ। ଏଣିକି ବିଭିନ୍ନ ପ୍ରକାରର ଶୈକ୍ଷିକ କାର୍ଯ୍ୟକ୍ରମ ତଥା ପାଠଚକ୍ର ଓ କର୍ମଶାଳା ଆୟୋଜନ, ବର୍ଜ୍ୟବସ୍ତୁ ଦ୍ୱାରା ବିଭିନ୍ନ ସାମଗ୍ରୀ ନିର୍ମାଣ କୌଶଳ ଏବଂ ଗବେଷଣା ଆଦାନପ୍ରଦାନ ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ଚୁକ୍ତିନାମା ଦ୍ଵାରା ଆଇଟିଆଇ ଏବଂ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପରସ୍ପରର ଜ୍ଞାନ କୌଶଳ ଏବଂ ପରୀକ୍ଷାଗାର ବ୍ୟବହାର କରିପାରିବେ। ବିଶ୍ୱବିଦ୍ୟାଳୟ ମଧ୍ୟରେ ଥିବା ଇ-ୱେଷ୍ଟ ଦ୍ବାରା ବିଭିନ୍ନ ସାମଗ୍ରୀ ନିର୍ମାଣ କୌଶଳ ଜରିଆରେ ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀ ଉପକୃତ ହେବେ।

ଏଥିପୂର୍ବରୁ ଜୁଲାଇ ୨୨ ତାରିଖରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବଂ ବ୍ରହ୍ମପୁର ଆଇଜର୍ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା। ପରସ୍ପରର ମିଳିତ ଉଦ୍ୟମରେ ଗବେଷଣା ଓ ଶିକ୍ଷାଭିତ୍ତିକ କାର୍ଯ୍ୟ କରାଯିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ। ଉନ୍ନତମାନର ଗବେଷଣା ଏବଂ ପାଠ୍ୟକ୍ରମ ସମ୍ବନ୍ଧିତ ୭ଟି ପ୍ରସଙ୍ଗ ଏଥିରେ ସ୍ଥାନ ପାଇଥିଲା। ବିଦ୍ୟାର୍ଥୀ- ଗବେଷକ ଶିକ୍ଷକମାନଙ୍କ ମଧ୍ୟରେ ଭାବ ବିନିମୟ, ପାଠ୍ୟ ଉପକ୍ରମ ଆଦାନପ୍ରଦାନ, ମିଳିତ ସହଯୋଗରେ ଗବେଷଣା ଓ ପ୍ରକାଶନ, ପାଠ୍ୟ ଆଲୋଚନା, ସେମିନାର୍ ଓ କର୍ମଶାଳା ଇତ୍ୟାଦି ଆୟୋଜନ, ସ୍ବଳ୍ପ ମୂଲ୍ୟରେ ଆଇଜର୍‌ରେ ଉପଲବ୍ଧ କେନ୍ଦ୍ରୀୟ ଯନ୍ତ୍ରପାତି କେନ୍ଦ୍ରକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ଉନ୍ମୁକ୍ତ କରିବା, ବିଭିନ୍ନ ଗବେଷଣା ଓ ପ୍ରକଳ୍ପ କାର୍ଯ୍ୟ ମିଳିତ ଭାବେ ହାତକୁ ନେବା ନେଇ ଚୁକ୍ତିନାମା ହୋଇଥିଲା। ଏମ୍ଓୟୁ ସ୍ବାକ୍ଷର ବେଳେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦାଶଙ୍କ ସମେତ ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକ ପ୍ରଫେସର କେଭିଆର୍ ଚୈରୀ, କୁଳସଚିବ ବି.ଜଗନ୍ନାଥ ଆଚାରୀଲୁ ଓ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

Comments are closed.