ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରେ ପାରମ୍ପରିକ ରୀତିରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉ ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାର କଥାବସ୍ତୁ ଉପରେ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନାନନ୍ଦ ଦେଇଥାନ୍ତି। ଏହି କ୍ରମରେ ନବମୀ ଦିନ ନନ୍ଦଉତ୍ସବ ପରେ ଦଶମୀ ତିଥିରେ ପ୍ରଭୁ ଅନେକ ଲୀଳା କରିଥାନ୍ତି।ଏହିଦିନ ଭକ୍ତ ମାନଙ୍କୁ ବଣଭୋଜି ବେଶରେ ଦର୍ଶନ ଦେଇଥାନ୍ତି।
ଲୀଳାମୟଙ୍କର ପ୍ରତ୍ୟେକ ଲୀଳାକୁ ଦର୍ଶନ କରିବା ପାଇଁ ଭକ୍ତ ବ୍ୟାକୁଳିତ ହୋଇଥାଏ। ଏହି ଲୀଳା ଶ୍ରୀମନ୍ଦିର ଭିତରେ ସୀମିତ ନରହି ପୁରୀର ବିଭିନ୍ନ ସାହି ବାସିନ୍ଦାଙ୍କ ସଂପୃକ୍ତିରେ ପ୍ରସାରିତ ହୋଇ ଗଣଚେତନା ସୃଷ୍ଟି କରିଥାଏ । ଶ୍ରୀମନ୍ଦିର ପାର୍ଶ୍ଵବର୍ତୀ ସମସ୍ତ ଯାଗା ଆଖଡା ଏହି ନୀତିରେ ସମ୍ପୃକ୍ତ ହୋଇଥାନ୍ତି।
ରତ୍ନସିଂହାସନରେ ମହାପ୍ରଭୁଙ୍କୁ ନିର୍ଦ୍ଦିଷ୍ଟ ଦିନମାନଙ୍କ ରେ ବିଭିନ୍ନ ବେଶରେ ସଜ୍ଜିତ କରାଗଲା ବେଳେ ନାଟମଣ୍ଡପରେ ଅଷ୍ଟମଲ୍ଲଙ୍କ ସହିତ ଯୁଦ୍ଧ ତଥା ନିଧନ ଦୃଶ୍ୟଗୁଡ଼ିକ ବିଭିନ୍ନ ସାହିର ପ୍ରତ୍ୟକ୍ଷ ସଂପୃକ୍ତିରେ ସମାହିତ ହୋଇଥାଏ । ସେହି ନ୍ୟାୟରେ ଭାଦ୍ରବ କୃଷ୍ଣ ଦଶମୀ ଦିନ ମଧ୍ୟାହ୍ନ ଧୂପ ପରେ ଶ୍ରୀ ରାମକୃଷ୍ଣଙ୍କୁ ପାଲିଙ୍କିରେ ବିଜେ କରାଇ ବଡ଼ ଦାଣ୍ଡରେ ଲକ୍ଷ ଆଖଡ଼ା ବା ବଡ଼ଛତା ମଠ ସାମନା ରେ କାଠ ସିଂହାସନରେ ବିଜେ କରାଯାଏ । ସେଠାରେ କୋଳିବିକା ନୀତି ସଂପନ୍ନ ହୁଏ ।
ଜଣେ ସେବକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡ଼ିଆ ଇତ୍ୟାଦି ଧରି ନିମ୍ନ ଲିଖିତ ମତେ ଡାକେ –
“ପାଣିର ଫଳ ସିିଙ୍ଗଡ଼ାର କୋଳି ଖାଇବ ଆସ ହେ ପୁଏ”
ଭିତରଚ୍ଛ ମହାପାତ୍ର ଏହି ଶବରୁଣୀଠାରୁ କୋଳି ନେଇ ରୂପା ପିଙ୍ଗଣରେ ରଖି ସମର୍ପଣ ଉପରାନ୍ତ ବନ୍ଦାପନା କରନ୍ତି ଓ ବିଗ୍ରହମାନେ ଶ୍ରୀମନ୍ଦିରକୁ ବାହୁଡ଼ନ୍ତି । ଏହି ଦିନ ସନ୍ଧ୍ୟା ଧୂପ ବେଳକୁ ରତ୍ନ ସିଂହାସନରେ ବଣଭୋଜି ବେଶରେ ଅନୁଷ୍ଠିତ ହୁଏ । ଏହି ବେଶରେ ବିବିଧ ସୁବର୍ଣ୍ଣ ଅଳଙ୍କାର ସହିତ ମସ୍ତକରେ ଚୂଳ, ହସ୍ତରେ ଝୁଲୁଥିବା ଶିକା ରେ ରୂପାପିଙ୍ଗଣରେ ସର ରହିଥାଏ । ଶ୍ରୀକୃଷ୍ଣ ଓ ବଳରାମ ଗୋବତ୍ସା ଓ ଗୋପାଳ ମାନଙ୍କ ସହିତ ରଚିଥିବା ବଣଭୋଜିର ଅବତାରଣା ଏହି ବେଶର ଆଭିମୁଖ୍ୟ ।
ଆହୁରି ଏହି ତିଥିରେ ଦୁଇ ଅସୁରଙ୍କ ବଧ ଲୀଳା ମଧ୍ୟ ସମ୍ପର୍ଣ୍ଣ ହୋଇଥାଏ । ଶ୍ରୀବିଗ୍ରହମାନେ ଜଗ ମୋହନରେ ବିଜେହେବା ପରେ ବାଲିସାହି ଆଖଡ଼ା ର ଲୋକେ ବକାସୁରବଧ ପ୍ରସ୍ତାବ କରନ୍ତି । ଜଣେ ଶ୍ରୀକୃଷ୍ଣ ଓ ଅନ୍ୟ ଜଣେ ବକାସୁର ବେଶରେ ଆସି ଯୁଦ୍ଧ ଓ ବଧ ଲୀଳା ଅଭିନୟ କରିଥାନ୍ତି । ଏହା ପରେ ହରଚଣ୍ଡୀ ସାହିର ଲୋକେ ଅର୍ଘାସୁର ବଧ ପ୍ରସ୍ତାବ କରନ୍ତି ଓ ସେହି ଭଳି ଲୀଳା ସମ୍ପନ୍ନ ହୋଇଥାଏ ।
ଏହିସମସ୍ତ ଲୀଳା କୃଷ୍ଣ ଦଶମୀ ଅର୍ଥାତ ଆଜିର ଦିନରେ ଶ୍ରୀମନ୍ଦିର ରେ ସମାପନ ହେବାପରେ ଶ୍ରୀଜୀଉ ମାନଙ୍କ ଅନ୍ୟାନ୍ୟ ଦୈନନ୍ଦିନ ନୀତି ବଢିଥାଏ।
Comments are closed.