ଉତ୍ତର ଓଡିଶାରେ ପ୍ରବଳ ବର୍ଷା, ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ବାଲେଶ୍ଵର ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟର ବନ୍ୟା ପରିସ୍ଥିତି ସମ୍ପର୍କରେ ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜରୁ ୬ ଲକ୍ଷ କ୍ୟୁସେକ୍ ପାଣି ଆସୁଥିବା ନେଇ ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ତାଙ୍କ କହିବାନୁଯାୟୀ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି । ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ବୁଢାବଳଙ୍ଗ ନଦୀରେ ବନ୍ୟା ଆସିଛି । ବୈତରଣୀ ନଦୀରେ ଆଖୁଆପଦାଠାରେ ଜଳପତ୍ତନ ୧୮.୯୯ ମିଟର ରହିଥିବାବେଳେ ଏହା କ୍ରମଶଃ ବୃଦ୍ଧି ପାଉଛି । ସୁବର୍ଣ୍ଣରେଖା ଜାମଶୋଳାଘାଟ ଠାରେ ୫୩.୩୪ ମିଟର ଉଚ୍ଚରେ ରହିଛି । ଏହା କ୍ରମଶଃ ବୃଦ୍ଧି ପାଉଛି ।

ଆଜି ଅପରାହ୍ନ ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୧.୨୬ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୮ ହଜାର ୪୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ ଲକ୍ଷ ୨ ହଜାର ୧୭୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଖଇରମାଳ ଠାରେ ୩ ଲକ୍ଷ ୬୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ବଡମୂଳଠାରେ ୫ ଲକ୍ଷ ୭୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳିଠାରେ ୮ ଲକ୍ଷ ୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳି ସମେତ ମହାନଦୀର ଜଳସ୍ତର ସବୁ ସ୍ଥାନରେ କ୍ରମଶଃ ହ୍ରାସ ପାଉଛି ।
ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ୧୩ ଟି ଜିଲ୍ଲାର ୭୩ ଟି ବ୍ଲକ ୬୦୯ ଟି ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୨୩୮ ଟି ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୭୬୮ ଟି ଗ୍ରାମ ଜଳ ଘେରରେ ରହିଥିବାବେଳେ ୫ ଲକ୍ଷ ୪୫ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସେଥି ମଧ୍ୟରୁ ପ୍ରାୟ ୭ ଲକ୍ଷ ୬୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୩୨୪ ଟି ରିଲିଫ୍ କେନ୍ଦ୍ରରେ ୧ ଲକ୍ଷ ୨୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ବନ୍ୟା ପ୍ରଭାବରେ ୫ ଲକ୍ଷ ୬୧ ହଜାର ୪୧୮ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୫ ଲକ୍ଷ ୨୧ ହଜାର ୫୬୦ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇସାରିଛି ।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ୧୮୫ ଟି ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲାଯାଇଥିବା ବେଳେ , ୧୧୫ ଟି ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଚିକିତ୍ସା ଟିମ୍ ମୁତୟନ ହୋଇଛି । ୪୨ହଜାର ୨୭୪ ଟି ଓଆରଏସ୍ ପ୍ୟାକେଟ୍‌ , ୧ ଲକ୍ଷ ୭୭ ହଜାର ୨୫୩ ଟି ହାଲୋଜିନ୍ ବଟିକା ଚିକିତ୍ସା ହୋଇଥିବାବେଳେ , ୧୨ ଟି ସାପ କାମୁଡା ଘଟଣାର ଚିକିତ୍ସା କରାଯାଇଛି । ଏହି ସମୟରେ ୭୩୦୦ ସାଧାରଣ ରୋଗର ଘଟଣାର ଚିକିତ୍ସା କରାଯାଇଛି । ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ ଟି ଭେଟେନାରୀ ଟିମ୍ ନିୟୋଜିତ ହୋଇଛି । ୪୦୭ଟି କ୍ୟାମ୍ପ ଆୟୋଜିତ ହୋଇଥିବା ବେଳେ ଏଥିରେ ୧୮ ହଜାରରରୁ ଊର୍ଦ୍ଧ୍ୱ ପଶୁଙ୍କୁ ଚିକିତ୍ସା କରାଯାଇଅଛି । ୧୦ ଟି ଜିଲ୍ଲାକୁ ୮୬୪.୦୬ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଇ ଦିଆଯାଇଅଛି । ବନ୍ୟାଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨ ଲକ୍ଷ ୯୩ ହଜାର ୨୦୦ ପାଣି ବୋତଲ ଓ ୧୨ ଲକ୍ଷ ୨୯ ହଜାର ପାଣି ପାଉଚ୍‌ ବଣ୍ଟାଯାଇଛି । ଏହା ସହ ୨୦୩ ଟି ଭ୍ରାମ୍ୟମାଣ ପାଣି ଟ୍ୟାଙ୍କର ଯୋଗାଇ ଦିଆଯାଇଛି । ବନ୍ୟାଞ୍ଚଳରେ ୧୪ ଟି ଜିଲ୍ଲାରେ ୧୬ ଟି ଏନଡିଆରଏଫ୍ , ୧୭ ଟି ଓଡ୍ରାଫ୍ , ୫୫ ଟି ଅତିରିକ୍ତ ଫାୟର ସର୍ଭିସ୍ ଟିମ୍ ମୁତୟନ କରାଯାଇଥିବା ନେଇ ଶ୍ରୀ ଜେନା ସୂଚନା ପ୍ରଦାନ କରିଛନ୍ତି ।

Comments are closed.