ଫୁଲୁଛି ସୁବର୍ଣ୍ଣରେଖା: ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାକୁ ଆଜି ବଡ଼ ବନ୍ୟା ଆଲର୍ଟ

ଭୁବନେଶ୍ୱର – ମହାନଦୀ ସିଷ୍ଟମ୍ ପରେ ଏବେ ସୁବର୍ଣ୍ଣରେଖା ଅବବାହିକାରେ ମାଡ଼ି ବଡ଼ ବନ୍ୟା ଆସୁଛି । ବନ୍ୟା ଜଳରେ ଫୁଲୁଛି ସୁବର୍ଣ୍ଣରେଖା ନଦୀ।ଆଜି ସକାଳ ୬ଟା ସୁଦ୍ଧା ରାଜଘାଟରେ ଜଳସ୍ତର ୧୧.୯୦ ମିଟର ରହିଛି । ରାଜଘାଟରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ତାହା ଆହୁରି ବଢ଼ିବ । ଆଜି ଦିନ ୧୨ଟା ବେଳକୁ ଜଳସ୍ତର ସର୍ବାଧିକ ରହିବ । ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଏହି ସୂଚନା ଦେଇଛନ୍ତି।

ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜ୍‌ରୁ ୧୬ ଗେଟ୍ ଖୋଲିବା ପରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ମାଡ଼ି ଆସୁଛି ବଡ଼ ବନ୍ୟା ବିପତ୍ତି । ରାଜଘାଟରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ତାହା ଆହୁରି ବଢ଼ିବ । ପ୍ରତି ସେକେଣ୍ଡକୁ ଆସୁଥିବା ୬ ଲକ୍ଷ ଘନଫୁଟ୍‌ ଜଳ ପ୍ରବାହରୁ ଦୁଇ ଜିଲ୍ଲାର ୬ଟି ବ୍ଲକ୍‌ର ସ୍ଥିତି ଅତି ଗମ୍ଭୀର ହେବାର ଆଶଙ୍କା ରହିଛି ।

ଏହି ବନ୍ୟା ଯୋଗୁଁ ମୟୂରଭଞ୍ଜର ସାରସକଣା ଓ ରାସଗୋବିନ୍ଦପୁର ବ୍ଲକ ଏବଂ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତାରେ ସ୍ଥିତି ସଂଗୀନ ହେବା ଆଶଙ୍କା ଦେଖାଦେଇଛି ।
ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ଥିଲେ ବି ତାହା ଧୀରେ ଧୀରେ କମୁଛି । ମୁଣ୍ଡଳୀରେ ବି ମହାନଦୀର ଜଳସ୍ତର ଖସୁଛି ।ପୁଣି ୨୩ ତାରିଖରୁ ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗର ସବିଶେଷ ଆକଳନ ମିଳିବା ପରେ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

Comments are closed.