ଧନ୍ୟବାଦ ମୁଖ୍ୟମନ୍ତ୍ରୀ; ବି.ଏସ.କେ.ୱାଇ କାର୍ଡ଼ ବଞ୍ଚେଇ ଦେଲା ଜୀବନ

ଭୁବନେଶ୍ୱର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ( ବି.ଏସ୍.କେ.ୱାଇ ) କାର୍ଡ଼ ଜୀବନ ବଞ୍ଚାଇ ଦେଲା । ଏପରି କହିଛନ୍ତି କଣାସ ବ୍ଲକ୍ ଅନ୍ତର୍ଗତ ଶ୍ରୀ ମୁକୁନ୍ଦପୁର ଗ୍ରାମର ୪୧ ବର୍ଷ ବୟସ୍କ ସୁରେନ୍ଦ୍ର ପ୍ରଧାନ । ଗାଁର ୧୫ ବର୍ଷ ବୟସ୍କ ପ୍ରତୀକ ପ୍ରଧାନ ଏବଂ ଅଡାଲ – ବଡାଲ୍ ଗାଁର ୧୯ ବର୍ଷ ବୟସ୍କ ଜଗତ ଜୀବନ ମାନଧାତା ।

ଶ୍ରୀ ପ୍ରଧାନ କହିଥିଲେ ଯେ ଚଳିତ ବର୍ଷ ଶୀତଳ ଷଷ୍ଠୀ ଶିବ ବିବାହ ଉତ୍ସବ ଅବସରରେ ନିଜର ଅସାବଧାନତା ହେତୁ ବାଣ ଫୁଟିଯିବାରୁ ଆମେ ତିନିଜଣ ବହୁ ଅଂଶରେ ପୋଡିଯାଇଥିଲେ । ଦିନ ମଜୁରିଆ ପରିବାର କଣ କରିବୁ କେମିତି ଚିକିତ୍ସା କରିବୁ ଆଦି ଭାବି ଗାଉଁଲି ଚିକିତ୍ସା ଆରମ୍ଭ କରୁଥିବା ବେଳେ ଗାଁର ଜଣେ ଶିକ୍ଷିତ ଯୁବକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ କଥା ମନେପକେଇ ଭଲ ଡ଼ାକ୍ତରଖାନା ଯିବାକୁ କହିଥିଲେ । ଗାଁ ପଡିଶାମାନେ ମଧ୍ୟ ୧୦୮ ଆମ୍ବୁଲାନ୍‌ସ୍ ଡକାଇ ଜୁନ୍ ୬ ତାରିଖରେ ସମ୍ ହସ୍‌ପିଟାଲ୍ ବାବଦରେ ଶୁଣି ସମସ୍ତେ ସେଠାରେ ପହଞ୍ଚିଲୁ । ଏତେ ବଡ ଘରୋଇ ଡ଼ାକ୍ତରଖାନାରେ ଆମର ଚିକିତ୍ସା ହେବତ ! ଟଙ୍କା ମାଗିବେନିତ ! ବି.ଏସ୍.କେ.ୱାଇ କାଉଣ୍ଟରରେ ଥିବା ଅଫିସର ସାହାଯ୍ୟ କଲେ । ବିନା ଟଙ୍କାରେ ଆଡ୍‌ମିଶନ ଓ ଚିକିତ୍ସା ହେଲା । ଡ଼ାକ୍ତର , ନର୍ସ ସମସ୍ତେ ତୁରନ୍ତ ଚିକିତ୍ସାକଲେ । ନିୟମିତ ବିଭିନ୍ନ ପ୍ରକାର ପରୀକ୍ଷା କଲେ । ସବୁ ମାଗଣା ହେଲା । ପ୍ରଥମେ ମୁଁ ଭଲ ହୋଇ ଘରକୁ ଆସିଲି । ଡ଼ାକ୍ତରଖାନାରେ ପ୍ରାୟ ଦେଢ଼ମାସ ଚିକିତ୍ସା ହେଲି । ଜଗତ ଜୀବନ ଦେଢ଼ମାସ ହସ୍‌ପିଟାଲରେ ଚିକିତ୍ସା ହେଲା । ପ୍ଲାଷ୍ଟିକ୍ ସର୍ଜରୀ ହେଲା । ସେ ମଧ୍ୟ ଘରକୁ ଫେରିଲା । ପ୍ରତୀକର ଦେହ ବେଶି ପୋଡି ଯାଇଥିବାରୁ ସେ ପ୍ରାୟ ୨ ମାସ ହସ୍‌ପିଟାଲରେ ରହିଲା । ଦୈନିକ ଡ଼ାକ୍ତର ଦେଖି ଔଷଧ ଓ ଚିକିତ୍ସା ଦେଉଥିଲେ । କାର୍ଡରେ ଥିବା ୫ ଲକ୍ଷ ଟଙ୍କା ସରିଯାଇଥିବାରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦ୍ଵାଟସ୍‌ଆପ୍ ମେସେଜ୍‌ରେ ଜଣାଇବା ପରେ ତାଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିଲା । ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ହସ୍‌ପିଟାଲ୍ ଏବଂ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ପ୍ରତୀକର ଚିକିତ୍ସା ଚାଲୁ ରହିଲା । ୫ ଲକ୍ଷରୁ ଅଧିକ ଆହୁରି ପ୍ରାୟ ୨ ଲକ୍ଷ ଖର୍ଚ୍ଚ ହେଲେବି ସମ୍ ହସ୍‌ପିଟାଲ୍ ସବୁ ଚିକିତ୍ସା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ବି.ଏସ୍.କେ.ୱାଇ କାର୍ଡ଼ , ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗଙ୍କର ସହଯୋଗ ଯୋଗୁ ଅମେ ସମସ୍ତେ ବଞ୍ଚିଗଲୁ ବୋଲି କୋଳାହଳ କଣ୍ଠରେ ନିଜର ଦୁଃଖ ବଖାଣିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ମୁଖ୍ୟ ଶାସନ ସଚିବ , ସମ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷ , ଡ଼ାକ୍ତର , ନର୍ସ ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments are closed.