ଚାନ୍ଦିପୁର ଘାଟିରୁ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର – ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ -ଆଇଟିଆରରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଭର୍ଟିକାଲ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର- ଭିଏଲ-ଏସଆରଏସଏଏମର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କରାଯାଇଥିଲା । ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରର ଭର୍ଟିକାଲ ମାରକ କ୍ଷମତା ଜାଣିବା ଲାଗି ଚେଷ୍ଟା କରାଯାଇଥିଲା । ଆକାଶମାର୍ଗରେ ଥିବା ଏକ ଦ୍ରୁତଗାମୀ ମାନବବିହୀନ ଲକ୍ଷ୍ୟଭେଦ ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ଜାହାଜରୁ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରରେ ଲାଗିଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି ସିକର୍‌ ପ୍ରଣାଳୀ ସଠିକତା ସହିତ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା । ଡିଆରଡିଓ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ପଦ୍ଧତିରେ ଭିଏଲ-ଏସଆରଏସଏଏମ ପ୍ରଣାଳୀକୁ ଡିଜାଇନ ଏବଂ ବିକଶିତ କରାଯାଇଛି ।

Comments are closed.