ମାସ ଶେଷ ସୁଦ୍ଧା ଯୁଯୁମୁରାରେ ହକି ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହକି ଖେଳାଳିଙ୍କ ପାଇଁ ଖୁସି ଖବର। ଚଳିତ ମାସ ଶେଷ ସୁଦ୍ଧା ଜିଲ୍ଲାର ଉପାନ୍ତ ଯୁଯୁମୁରା ଠାରେ ହକି ଆଷ୍ଟ୍ରୋ ଟର୍ଫ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହାର ଭିତ୍ତିଭୂମି କାମ ଚୂଡାନ୍ତ ହୋଇଛି।

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡରେ ହକିର ଚାହିଦା ବହୁ ଆଗରୁ ରହି ଆସିଛି। ଗ୍ରାମାଞ୍ଚଳରେ ଅନେକ ଆଦିବାସୀ
ଯୁବକ ଯୁବତୀ ଏହି ଖେଳ ଜାରି ରଖିଥିଲେ ହେଁ ଭିତ୍ତିଭୂମିର ଅଭାବ ତଥା ଉପଯୁକ୍ତ ସୁଯୋଗ ଅଭାବ ଯୋଗୁଁ ସେମାନେ ଆଗକୁ ଯାଇ ପାରୁନାହାନ୍ତି।

ଏଭଳି ସ୍ଥିତିରେ ଯୁଯୁମୁରାରେ ଏକ ହକି ଷ୍ଟାଡିୟମ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ତେବେ ଓଡିଶା ସରକାର ଏଥିପାଇଁ ୫ କୋଟି ୩୦ ଲକ୍ଷ ଟଙ୍କାର ବ୍ୟୟବରାଦ କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରୋହିତ ପୂଜାରୀ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବିଶେଷ ଯତ୍ନବାନ ହୋଇଥିଲେ। ଇଡକୋକୁ ଏହାର ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ତେବେ, କିଛି ମାସ ତଳେ ଏହାର ଆଷ୍ଟ୍ରୋ ଟର୍ଫ ଆସି ପହଞ୍ଚି ଯାଇଥିବା ବେଳେ ଆନୁସଙ୍ଗିକ ଭିତ୍ତିଭୂମି କାମ ବି ଶେଷ ହୋଇଛି।

ଆଉ ଖୁବ ଶୀଘ୍ର ଜର୍ମାନୀର ଏକ ବିଶେଷଜ୍ଞ ଦଳ ଆସି ଏହାର ଅନୁଧ୍ୟାନ କରିବା ପରେ ଆଷ୍ଟ୍ରୋ ଟର୍ଫ ବିଛାଇବା କାମ ଆରମ୍ଭ ହେବ ବୋଲି ଇଡକୋ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲାର ପାହାଡ ଶୀର୍ଷରେ ତିନି ଶହରୁ ଉର୍ଦ୍ଧ୍ବ ଝିଅଙ୍କୁ ମାଗଣାରେ ହକି କୋଚିଂ ଦେଉଥିବା ଜଣେ ଶିକ୍ଷକଙ୍କ ସଂଘର୍ଷ କାହାଣୀ ଦୁଇ ବର୍ଷ ତଳେ ବଲିଉଡ ସିନେମାରେ ପ୍ରଦର୍ଶିତ ହୋଇଥିଲା। ତେବେ ଏହି ପ୍ରକଳ୍ପ କାର୍ଯ୍ଯକାରୀ ହେଲେ ଜିଲ୍ଲାର ହଜାର ହଜାର ପ୍ରତିଭା ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।

Comments are closed.