ଶ୍ରୀମନ୍ଦିରରେ ପାରମ୍ପରିକ ବିଧାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଠାରୁ ଚାଲିଆସିଥିବା ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ବେଶ ହେଉଛି କୃଷ୍ଣ ବଳରାମ ବେଶ ।ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ କୃଷ୍ଣ ବଳରାମ ବେଶ। ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯାଏ । ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରନ୍ତି । ଉଭୟ କୃଷ୍ଣ (ଜଗନ୍ନାଥ) ଏବଂ ବଳରାମ (ବଳଭଦ୍ର) କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ଦଣ୍ଡାୟମାନ ରୁହନ୍ତି ।
ଏହି ବେଶରେ ଶ୍ରୀଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମଫୁଲ । ବଳରାମଙ୍କ ଡାହାଣ ହାତରେ ଶିଙ୍ଘା ଓ ବାମ ହସ୍ତରେ ପଦ୍ମଫୁଲ ସହିତ କିରୀଟ ଉପରେ ସୋଲରେ ନିର୍ମିତ ସପ୍ତଫେଣିଆ ସର୍ପ ବିରାଜମାନ କରିଥାଏ । ହସ୍ତ ମଧ୍ୟ କାଠରେ ତିଆରି ହୋଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କ୍ଷୁଦ୍ରକାଷ୍ଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ପ୍ରଭୁ (ପଦ୍ମାସନ) ଉପନିବଶ କରନ୍ତି । ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଏ । ଶ୍ରୀପୟର, ପାଉଁଜି,ବାଙ୍କି,ପାହୁଡ଼, ଗୋଡ଼ମୁଦି,ମଲ୍ଲୀକଢ଼,ଚନ୍ଦ୍ର, ଚିତା,ନାକଚଣା,ହାତଫେର,ଖଡୁ ଇତ୍ୟାଦିରେ ସାରା ଶରୀର ଶୋଭା ପାଇଥାଏ । ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ କିରୀଟ ଶୋଭାପାଏ । ସବୁ ଠାକୁରଙ୍କ କିରୀଟରେ କଦମ୍ବ ଫୁଲ ଆଉ ପତ୍ର ବହୁ ପରିମାଣରେ ଲାଗିଥାଏ । ବଳଭଦ୍ର ଓ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ ଗୋପୀ, ବ୍ରହ୍ମା ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ, ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ । ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି ।
କୃଷ୍ଣ ବଳରାମ ବେଶ ଦ୍ୱିପହର ଧୂପ ପରେ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହେ। ଏହି ବେଶରେ ଖିରି ଓ ଅମାଲୁ ଭୋଗ ଲାଗେ । ଏହି ବେଶ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଖଣ୍ଡସାହିର ଜମିଦାରଙ୍କ ଦ୍ୱାରା କରାଯାଇଛି ବୋଲି ଶ୍ରୀମନ୍ଦିର ସତ୍ତ୍ୱଲିପିରୁ ସୂଚିତ ହୁଏ । ଏହି ବେଶ ଅନୁଷ୍ଠିତ ହେବା ପୂର୍ବରୁ କୁଶଳୀ କାରିଗରମାନଙ୍କଦ୍ୱାରା ବେଶ ସାମଗ୍ରୀର ମରାମତିକାର୍ଯ୍ୟ ଶ୍ରୀମନ୍ଦିର ପରିସରରେ କରାଯାଏ ।
ରତ୍ନ ସିଂହାସନସ୍ଥ ଶ୍ରୀଜୀଉମାନଙ୍କର କୃଷ୍ଣବଳରାମ ବେଶ ଏକ ଆକର୍ଷଣୀୟ ତଥା ମନୋରମ ବେଶ । ଉକ୍ତ ବେଶରେ ଜଗନ୍ନାଥଙ୍କର ୨ ହସ୍ତ, ବଳଭଦ୍ରଙ୍କର ୨ହସ୍ତ ଓ ସୁଭଦ୍ରାଙ୍କର ୪ ହସ୍ତ ହୋଇ ଥାଏ ।
ପୂର୍ବେ ଏହି ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କର ଗିରିଗୋବର୍ଦ୍ଧନ ବେଶ ହେଉ ଥିଲା । ୧୯୪୭ ମସିହା ପରେ ଗିରିଗୋବର୍ଦ୍ଧନ ବେଶ ପରିବର୍ତ୍ତେ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେଉଛି ।
ଏହି ଦିନ ପୂର୍ବ ଦିନମାନଙ୍କ ଭଳି ଜଗମୋହନରେ ଗୌରବାଡ଼ ସାହି ଲୋକେ ଅନ୍ନପ୍ରଥା ପ୍ରସ୍ତାବ ରଖନ୍ତି ଓ ସେହିଭଳି ଲୀଳା ସମାହିତ ହୋଇଥାଏ ।
Comments are closed.