ବର୍ଷାକୁ ଖାତିର ନକରି ପାହାଡ଼ ଚଢ଼ିଲେ, ଗାଁ ଗାଁରେ ପହଞ୍ଚିଲେ ଆର୍.ଉଦୟଗିରି ସିଡିପିଓ

ପାରଳାଖେମୁଣ୍ଡି: ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରିଲେ ସେମାନେ ନିଜର ସମସ୍ୟା ସହଜରେ ଜଣାଇପାରିବେ। ପ୍ରଶାସନ ସମସ୍ୟା ବାବଦରେ ବାସ୍ତବ ତଥ୍ୟ ହାସଲ କରିପାରିବ। ତେବେ ଯାଇ ଉପଯୁକ୍ତ ଢଙ୍ଗରେ ସମସ୍ୟା ଦୂର କରାଯାଇ ପାରିବ ଓ ସରକାରୀ ଯୋଜନାର ସୁଫଳ ହିତାଧିକାରୀ ପାଇପାରିବେ… ଏମିତି କିଛି ଆଭିମୁଖ୍ୟ ଥିଲା ଗଜପତି ଜିଲ୍ଲା ଆର.ଉଦୟଗିରି ସିଡିପିଓ ଲଳିତା ପୂଜାରୀଙ୍କ ଯେତେବେଳେ ସେ ନିଜ ବ୍ଲକର ଅନେକ ଉପାନ୍ତ ଓ ଦୁର୍ଗମ ଗାଁ ଗାଁରେ ପହଞ୍ଚିବାକୁ ପାଦ କାଢ଼ିଥିଲେ। ନା ବର୍ଷା ତାଙ୍କ ପାଇଁ ବାଧକ ସାଜିଥିଲା ନା କଷ୍ଟକର ପାହାଡ଼ ଚଢ଼ା… ଆଉ ସେ ଯେତେବେଳେ ଗାଁ ଗାଁରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ପାଖରେ ପାଇ ଗାଁ ଲୋକଙ୍କ ଖୁସି କାହିଁ କେତେଗୁଣ ବଢ଼ିଯାଇଥିଲା।

ଦୁଇ ମାସ ତଳେ ଏହି ବ୍ଲକ୍‌ରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସିଡିପିଓ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ମୂଳମନ୍ତ୍ର ଯେ ପ୍ରତିଟି ଓଡ଼ିଆଙ୍କ ନିକଟରେ ପ୍ରଶାସନ ପହଞ୍ଚୁ, ସରକାରୀ ଯୋଜନାର ସୁଫଳ ପ୍ରତିଟି ଯୋଗ୍ୟ ହିତାଧିକାରୀ ପାଆନ୍ତୁ ତାହାକୁ ଆଧାର କରି ନିଜ କାର୍ଯ୍ୟକ୍ଷେତ୍ର ଅନ୍ତର୍ଗତ ପ୍ରତି ଗାଁକୁ ପହଞ୍ଚିବାକୁ ସେ ଯୋଜନା କରିଛନ୍ତି। ବୁଧବାର ସେ ଦୁର୍ଗମ ପୁରୁଣାପାଣି ଓ ସିଆଳିଲଟି ପଞ୍ଚାୟତର ପାହାଡ଼ ଜଙ୍ଗଲ ଘେରା ବିଭିନ୍ନ ଗାଁ ପରିଦର୍ଶନରେ ବାହାରିଥିଲେ। ସରକାରୀ ଗାଡ଼ିରେ ବ୍ଲକ୍ ସଦରମହକୁମାରେ ଥିବା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରୁ ବାହାରିଥିଲେ। ଗାଡ଼ିରେ ୪୦ କିମି ଦୂର ପୁରୁଣାପାଣି ପଞ୍ଚାୟତ ଓ ସେଠାରୁ ଆଉ ୮ କିମି ଘାଟି ରାସ୍ତାରେ ଗାଡ଼ି ଯାଇ ରାମଗୁଡ଼ା ଗାଁ ପର୍ଯ୍ୟନ୍ତ ପହଞ୍ଚିଥିଲା। ହେଲେ ତା ପରେ ନା ଥିଲା ରାସ୍ତା ନା ଆଗକୁ ଗାଡ଼ି ଗଡ଼ିବାର ସୁବିଧା। ଏଣେ ଘାଟି ଅଞ୍ଚଳରେ ଆରମ୍ଭ ହୋଇଯାଇଥିଲା ବର୍ଷା। ପ୍ରତିକୂଳ ଅବସ୍ଥା ସତ୍ତ୍ଵେ ନିଜ ଯୋଜନାରୁ ଓହରି ନଥିଲେ ସିଡିପିଓ। ବର୍ଷା ସତ୍ତ୍ବେ ଚାଲି ଚାଲି ଘାଟି ରାସ୍ତାରେ ଆଗକୁ ବଢ଼ିଲେ ସିଡିପିଓ। ଶିଆଳିଲଟି ସେକ୍ଟର ସୁପରଭାଇଜର୍ ପିଙ୍କିରାଣୀ ଭୂୟାଁ, ଅଙ୍ଗନବାଡ଼ି କର୍ମୀ ସବିତା ବଡ଼ପରଜା ଓ କାର୍ଯ୍ୟାଳୟ କର୍ମଚାରୀ ବୁଲୁ ବଡ଼ଦଳେଇ।

ଆବଡ଼ଖାବଡ଼ା ଓ ପଥୁରିଆ, ବିପଦସଙ୍କୁଳ ରାସ୍ତାରେ ପାହାଡ଼ ଚଢ଼ି ପ୍ରାୟ ୧୨ କିମି ଚାଲି ଚାଲି ପାହାଡ଼ ପର୍ବତ ଚଢ଼ି ଜାଡ଼ାପାଣି, ରୁବାଲ, ଗୁଣ୍ଡିସାହି, ଜାଡ଼ା ଗାଁକୁ ଯାଇଥିଲେ । ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ସହ ଲୋକଙ୍କୁ ଭେଟି ସମସ୍ୟା ବୁଝିଥିଲେ । ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ଛୁଆ , ମାଆମାନେ ଶିକ୍ଷା- ସ୍ଵାସ୍ଥ୍ୟ- ପୁଷ୍ଟିକର ଖାଦ୍ୟ ଜନିତ ସୁବିଧା ସୁଯୋଗ ଠିକ୍ ଭାବେ ପାଇପାରୁଛନ୍ତି କି ନାହିଁ ସେ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଲୋକଙ୍କୁ ସ୍ୱାସ୍ଥ୍ୟଗତ ଓ ସାମାଜିକ ସଚେତନତା ଦୃଷ୍ଟିରୁ ଅନେକ ପରାମର୍ଶ ଦେଇଥିଲେ ସିଡିପିଓ। ଦୀର୍ଘ ବର୍ଷ ପରେ ଏହି ଅପହଞ୍ଚ ଗାଁମାନଙ୍କରେ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡ଼ୂନ ଫ ଥିଲା। ଗାଁ ଲୋକେ ଏ ନେଇ ବେଶ୍ ଆନନ୍ଦ ପ୍ରକାଶ କରିଥିଲେ।

Comments are closed.