ବିଲକିସ୍ ବାନୋ ମାମଲା: ଗୁଜରାଟ ସରକାର, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତି ବିରୋଧରେ ଦାୟର ପିଟିସନର ଶୁଣାଣି କରି ଗୁଜରାଟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏମିତି କ’ଣ ଆବଶ୍ୟକ ଥିଲା ଯେ ରାତାରାତି ଦୋଷୀଙ୍କୁ ଖଲାସ କରିବାକୁ ପଡ଼ିଲା ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି । ଏହି ମାମଲାରେ ୧୧ ଦୋଷୀଙ୍କୁ ପକ୍ଷଭୁକ୍ତ କରିବା ପାଇଁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତିି ।

ବିଲକାସ ବାନୋ ଗଣବଳାତ୍କାର ଦୋଷୀଙ୍କୁ ମୁକ୍ତ କରିବା ନେଇ ଗୁଜୁରାଟ ସରକାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଥିଲେ। ସିପିଏମ୍ ନେତ୍ରୀ ସୁଭାଷିନୀ ଅଲି, ଲେଖିକା ରେବତୀ ଲାଲ ଏବଂ ମାନବାଧିକାର କର୍ମୀ ରୂପ ରେଖା
ବର୍ମାଙ୍କ ସହ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ଏନେଇ ଜନସ୍ବାର୍ଥ ମାମଲା ଦାୟର କରିଥିଲେ।

ଆବେଦନକାରୀ କହିଛନ୍ତି ଯେ ସମଗ୍ର ମାମଲା ସିବିଆଇ ଦ୍ୱାରା ତଦନ୍ତ କରାଯାଇଥିଲା, ତେଣୁ ଗୁଜରାଟ ସରକାର ଦୋଷୀମାନଙ୍କ ଦଣ୍ଡ କୋହଳ ପାଇଁ ଏକତରଫା ନିଷ୍ପତ୍ତି ନେଇପାରିବେ ନାହିଁ | ସିଆରପିସି ଧାରା ୪୩୫ ଅନୁଯାୟୀ ରାଜ୍ୟ ସରକାର ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପରାମର୍ଶ ନେବା ବାଧ୍ୟତାମୂଳକ।

ବିଲକାସ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା ମାମଲାରେ ୨୦୦୮ରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୭ରେ ବମ୍ବେ ହାଇକୋର୍ଟ ମଧ୍ୟ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ କାଏମ ରଖିଥିଲେ।

ତେବେ ଅଗଷ୍ଟ ୧୫, ୨୦୨୨ରେ ବିଲକିସ୍ ବାନୋ ମାମଲାରେ ଆଜୀବନ ଜେଲ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ସମସ୍ତ ୧୧ ବନ୍ଦୀଙ୍କୁ ଗୁଜରାଟ ସରକାର କ୍ଷମା ଯୋଜନା ଅନୁଯାୟୀ ମୁକ୍ତ କରିଥିଲେ। ଗୋଧ୍ରା ସବ୍ ଜେଲରୁ ବାହାରିବା ପରେ ଉକ୍ତ ୧୧ ବ୍ୟକ୍ତିଙ୍କୁ ମିଠା ଖୁଆଇ ଓ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହାର ଭିଡ଼ିଓ ଓ ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Comments are closed.