ଭିସୁଟ ହେବ ଉତ୍କର୍ଷତାର କେନ୍ଦ୍ର- ମୁଖ୍ଯ ଶାସନ ସଚିବ

ସମ୍ବଲପୁର: ରାଜ୍ୟର ସର୍ବପୂରାତନ ବୈଷୟିକ ଶିକ୍ଷାନୁଷ୍ଠାନ ବୁର୍ଲାର ଭିସୁଟ ହେବ ଉତ୍କର୍ଷତାର କେନ୍ଦ୍ର। ଏଥିପାଇଁ ପ୍ରାୟ ହଜାରେ କୋଟି ବ୍ୟୟବରାଦ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ମୁଖ୍ଯ ଶାସନ ସଚିବ, ୫ଟି ସଚିବ ଓ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସମ୍ବଲପୁର ଗସ୍ତ କରି ଏନେଇ ସମୀକ୍ଷା କରିଛନ୍ତି। ଏହାର କଳେବର ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାମ୍ବାଦିକଙ୍କୁ ଏନେଇ ସୂଚନା ଦେଇଛନ୍ତି।

ଆଜି ଶ୍ରୀ ମହାପାତ୍ରଙ୍କ ସମେତ ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସମ୍ବଲପୁର ଗସ୍ତ କରିଛନ୍ତି। ଜମାଦାରପାଲିରେ ସ୍ବତନ୍ତ୍ର ବିମାନରେ ଅବତରଣ କରି ଏହି ଟିମ୍ ପ୍ରଥମେ ଭିସୁଟକୁ ଯାଇଥିଲେ। ସେଠାରେ କୁଳପତି, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅନୁଷ୍ଠାନକୁ ଉତ୍କର୍ଷତାର କେନ୍ଦ୍ର ଭାବେ ପରିଣତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ଏଠାରେ ୫ ହଜାର ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଆଗକୁ ସିଟ୍ ସଂଖ୍ୟା ଦ୍ବିଗୁଣିତ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ବର୍ତ୍ତମାନ ଭିସୁଟ ଅଧୀନରେ ପ୍ରାୟ ୪୫ ଏକର ଜମି ଥିବା ବେଳେ କ୍ୟାମ୍ପସକୁ ଲାଗି ଜଳସଂପଦ ବିଭାଗର ଆଉ ୮୦ ଏକର ଜମି ଚିହ୍ନଟ କରାଯାଇଛି। ଖୁବ ଶୀଘ୍ର ଏହି ଜମି ହସ୍ତାନ୍ତର କରାଯାଇ ଭିତ୍ତିଭୂମି ବିକାଶ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସେହିପରି ଏହି ଦଳ ବୈଜାମୁଣ୍ଡା ସ୍ଥିତ ରାଜ୍ୟର ପ୍ରଥମ ବହୁମୁଖୀ ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ନିର୍ମାଣ କରାଯାଇଥିବା ଆକର୍ଷଣୀୟ ଭିତ୍ତିଭୂମିରେ ଆଗକୁ କିପରି ଅଧିକ ଅସହାୟ ଅନ୍ତେବାସୀ ରଖାଯିବ ସେନେଇ ଆଲୋଚନା କରିଥିଲେ। ଆଉ ଶେଷରେ ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରି ସମଲେଇ ଯୋଜନାର ଅଗ୍ରଗତିର ସମୀକ୍ଷା କରିଛନ୍ତି। ବିସ୍ଥାପନ ଓ ଥଇଥାନରେ କିଛିଟା ସମସ୍ୟା ଯୋଗୁଁ ନିର୍ମାଣ କାମ ବିଳମ୍ବ ହୋଇଥିବା ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ତେବେ, ବର୍ତ୍ତମାନ ସୁଦ୍ଧା ମାତ୍ର ପ୍ରାୟ ୫୦ ଟି ପରିବାରକୁ ବାଦ୍ ଦେଇ ଅନ୍ୟ ସମସ୍ତେ ସ୍ଥାନାନ୍ତର ହୋଇସାରିଥିବା ସେ କହିଛନ୍ତି। ଆଉ ବର୍ତ୍ତମାନ ମୂଳ ଯୋଜନା ଅନୁଯାୟୀ କାମ ଆରମ୍ଭ ହୋଇସାରିଥିବା ବେଳେ ଡିଜାଇନରେ କିଛିଟା ପରିବର୍ତ୍ତନ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ମୋଟାମୋଟି ଭାବେ ଏହାର ଅଗ୍ରଗତିକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି।

Comments are closed.