୫୦୦ କିମି ଦୂରରୁ ଆସି କଟକରେ କଲେ ରକ୍ତଦାନ

ବ୍ରହ୍ମପୁର: ବିଶାଖାପାଟଣାରେ ନିଜର କୌଣସି କାର୍ଯ୍ୟରେ ବ୍ୟସ୍ତ ଥିଲେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ବାହାରପୁର ଗ୍ରାମର ଅବିନାଶ କୁମାର ପାଣିଗ୍ରାହୀ। ତେବେ ସେ ସଦସ୍ୟ ଥିବା ‘ଇଣ୍ଡିଆ କେୟାର୍‌ସ୍’ ହ୍ଟ୍‌ସ୍ ଆପ୍ ଗ୍ରୁପ୍ ଜରିଆରେ ତାଙ୍କୁ ସୂଚନା ମିଳିଥିଲା କି କଟକ ଏସ୍‌ସିବି ମେଡିକାଲ କଲେଜ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କୁ ଏ- ପଜିଟିଭ୍ ଏସଡିପି ଗ୍ରୁପ୍ ରକ୍ତ ନିହାତି ଆବଶ୍ୟକ। କୌଣସି ସମୟ ନଷ୍ଟ ନକରି ୫୦୦ କିଲୋମିଟର ଦୂରତା ପାର କରି କଟକରେ ପହଞ୍ଚିଥିଲେ ଅବିନାଶ I ସେଠି ରକ୍ତଦାନ କରିବା ସହ ମହିଳାଙ୍କ ଜୀବନ ରକ୍ଷାରେ ସହାୟକ ହୋଇ ପାରିଥିଲେ ସେ । ଏହା ପରେ ଯାଇ ନିଜ ଘରକୁ ଫେରିଥିଲେ ଏହି ଯୁବକଜଣକ । ତାଙ୍କର ଏହି ମାନବିକତାପୂର୍ଣ୍ଣ କାର୍ଯ୍ୟ ଏବେ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଛି।

ଉଲ୍ଲେଖଯୋଗ୍ୟ କି ‘ଇଣ୍ଡିଆ କେୟାର୍ସ୍‌‌’ ହେଉଛି ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ଦ୍ଵାରା ସାମାଜିକ ସେବା ଉଦ୍ଦେଶ୍ୟରେ ଗଠିତ ଏକ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ। ରାଜ୍ୟ ହେଉ ବା ରାଜ୍ୟ ବାହାରେ କୌଣସି ସ୍ଥାନରେ ବିଶେଷ କରି ଓଡ଼ିଆ ଲୋକଙ୍କୁ କୌଣସି ସହଯୋଗ ଯଥା ଚିକିତ୍ସା ସେବା ଆର୍ଥିକ ସହାୟତା, ଯୋଗାଯୋଗ ବା ଯାତାୟାତ ଜନିତ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଆସୁଛି ଏହି ଗୋଷ୍ଠୀ। ଏହି ଗୋଷ୍ଠୀର ସଦସ୍ୟ ଅବିନାଶ ମଧ୍ୟ ସେହି ପ୍ରକାରେ ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ସେବା ପାଇଁ ସମର୍ପିତ। ଇଞ୍ଜିନିୟରିଂ ଶିକ୍ଷା ଶେଷ କରିଥିବା ଅବିନାଶ ଏବେ ବ୍ରହ୍ମପୁର ଫିଜିକାଲ୍ ଏକାଡେମୀ ତତ୍ତ୍ୱାବଧାନରେ ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ଏଯାବତ୍ ସେ ୧୦ ଥର ରକ୍ତଦାନ ସହ କୋଭିଡ୍ ମହାମାରୀ ସମୟରେ ୫ ଥର ପ୍ଲେଟ୍‌ଲେଟ୍ ଦାନ କରି ଅନେକ ରୋଗୀଙ୍କ ପାଇଁ ଦେବଦୂତ ସଦୃଶ ଦାୟିତ୍ବ ତୁଲାଇଛନ୍ତି ସେ। ଅବିନାଶ ଯେଉଁଠି ଯାହାର ଅତି ଜରୁରି କାରଣରୁ ରକ୍ତ ଆବଶ୍ୟକ ପଡିଲେ ସେଠି ପହଞ୍ଚି ନିଜ ଦାୟିତ୍ବ ସମ୍ପାଦନ ପାଇଁ ଚେଷ୍ଟା କରି ଆସୁଛନ୍ତ ରକ୍ତଦାନ ମହତଦାନର ବାର୍ତ୍ତା ପ୍ରଚାର କରି ସେ ପ୍ରଶଂସିତ ହୋଇଛନ୍ତି।

Comments are closed.