ଏମ୍‌କେସିଜିରେ ଅଗ୍ନିକାଣ୍ଡ, ସମସ୍ତ ରୋଗୀ ସୁରକ୍ଷିତ: ଅଗ୍ନିଶମ ବାହିନୀର ତତ୍କାଳ ପଦକ୍ଷେପକୁ ପ୍ରଶଂସା

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ କଲେଜ ହସପିଟାଲ୍‌ ସୁପର୍ ସ୍ପେଶିଆଲିଟି ବିଲଡିଂର ଚତୁର୍ଥ ମହଲାରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ଗୋଟାଏରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏହା ବିଶେଷ ବ୍ୟାପି ପାରି ନଥିଲା। ମେଡିକାଲ କର୍ତ୍ତୃପକ୍ଷ ଓ ଅଗ୍ନିଶମ ବାହିନୀର ତତ୍ପରତା ଫଳରେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ବାହାର କରି ନିଆଯିବା ସହ ମାତ୍ର କିଛି କ୍ଷଣ ମଧ୍ୟରେ ସ୍ଥିତିକୁ ନିୟନ୍ତ୍ରଣ କରି ନିଆଯାଇ ଥିଲା। ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି।

ଏମ୍‌କେସିଜି ସୁପର୍ ସ୍ପେଶିଆଲିଟି କୋଠାର ଚତୁର୍ଥ ମହଲାରେ ଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗ ଅପରେସନ୍ ଥିଏଟରରୁ ପ୍ରଥମେ ଧୂଆଁ ବାହାରିଥିଲା। ଏହା ଦେଖି ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଓ ମେଡିକାଲ୍ ଷ୍ଟାଫ୍ ତୁରନ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ କୋଠା ଖାଲି କରିବାକୁ କହିଥିଲେ। ଏଥିସହ ମେଡିକାଲ୍ ଉଚ୍ଚ କର୍ତ୍ତୃପକ୍ଷ ଓ ଦମକଳ ବାହିନୀକୁ ତୁରନ୍ତ ଖବର ଦିଆଯାଇ ଥିଲା। ଦମକଳ ବାହିନୀ ଅଧିକାରୀଙ୍କ କହିବା ପ୍ରକାରେ ସେମାନେ ପ୍ରାୟ ୧.୨୦ରେ ଅଗ୍ନିକାଣ୍ଡ ସମ୍ପର୍କିତ ଖବର ପାଇଥିଲେ। ପ୍ରଥମେ ଏମ୍‌କେସିଜି ପରିସରରେ ଥିବା ଦମକଳ କେନ୍ଦ୍ରର ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପରେ ବ୍ରହ୍ମପୁର ମୁଖ୍ୟ ଦମକଳ କେନ୍ଦ୍ରର ୨ଟି, ଛତ୍ରପୁରର ଗୋଟିଏ ଗାଡ଼ି ସମେତ ଉଚ୍ଚ କୋଠାରେ ଅଗ୍ନି ନିୟନ୍ତ୍ରଣ ପାଇଁ ବ୍ୟବହୃତ ହାଇଡ୍ରୋଲିକ୍ ପ୍ଲାଟ୍‌ଫର୍ମ ଭ୍ୟାନ୍ ମାତ୍ର କିଛି ସମୟ ମଧ୍ୟରେ ଆସି ଉକ୍ତ କୋଠା ନିକଟରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଥିଲେ। ବିଶେଷ କ୍ଷୟକ୍ଷତି ହେବା ପୂର୍ବରୁ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରି ନିଆଯାଇ ଥିଲା। କେବଳ ଧୂଆଁ ସାରା ମହଲାରେ ବ୍ୟାପି ରହିଥିଲା ଯାହା ପରେ ହଟି ଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ସ୍ବତନ୍ତ୍ର ମାସ୍କ ପିନ୍ଧିବା ସହ ଆବଶ୍ୟକ ସୁରକ୍ଷା ଉପକରଣ ଧରି ନିଆଁ ଲିଭାଇବା କାର୍ଯ୍ୟ ସମ୍ପାଦନ କରିଥିଲେ। ହାଇଡ୍ରୋଲିକ୍ ପ୍ଲାଟ୍‌ଫର୍ମ ଭ୍ୟାନ୍‌ ମଧ୍ୟ ବେଶ୍ ସହାୟକ ହୋଇଥିଲା ଯାହା ଜରିଆରେ ଚତୁର୍ଥ ମହଲା ବାହାରୁ ପାଣି ପକାଯାଇ ନିଆଁ ଲିଭାଯାଇଥିଲା। ଅଗ୍ନିଶମ ବାହିନୀ ପ୍ରାୟ ୨୫ ଜଣ ରୋଗୀଙ୍କୁ ଉକ୍ତ କୋଠରୀରୁ ମେଡିକାଲ୍ ଷ୍ଟାଫ୍ ଓ ସିକ୍ୟୁରିଟି ଗାର୍ଡଙ୍କ ସହାୟତାରେ ବାହାରକୁ ଆଣି ସୁରକ୍ଷିତ ରଖିଥିଲେ। ପ୍ରାୟ ଘଣ୍ଟାକ ସମୟ ମଧ୍ୟରେ ନିଆଁକୁ ପୁରାପୁରି ଲିଭାଇ ଦିଆଯିବା ସହ ସ୍ଥିତିକୁ ନିୟନ୍ତ୍ରଣ କରି ନିଆଯାଇ ଥିଲା।

ଏମ୍‌କେସିଜି କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଉକ୍ତ ଅପରେସନ୍ ଥିଏଟରରେ ସେତେବେଳେ କେହି ରୋଗୀ ନଥିଲେ ଯଦିଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଅନ୍ୟ ଓଟିରେ ଅପରେସନ୍ ଚାଲିଥିଲା। ଅଗ୍ନିକାଣ୍ଡ ଖବର ପ୍ରଚାରିତ ହେବା କ୍ଷଣି ଓଟି ସମେତ ସମସ୍ତ ୱାର୍ଡରୁ ରୋଗୀଙ୍କୁ ଖାଲି କରାଯାଇ ଥିଲା। କୌଣସି ରୋଗୀଙ୍କ କିଛି ମଧ୍ୟ କ୍ଷତି ହୋଇନି। ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଜଣେ ଡାକ୍ତରଙ୍କ କହିବା ମୁତାବକ ବିଭାଗର ଅନ୍ୟ ଏକ ଓଟିରେ ଗୋଟିଏ ଅସ୍ତ୍ରୋପଚାର ପ୍ରାୟ ସରି ସାରିଥିଲା, ଅନ୍ୟ ଗୋଟିଏ ଅସ୍ତ୍ରୋପଚାର ଆରମ୍ଭ ହୋଇ ନଥିଲା। ନିଆଁ ଲାଗିବା କ୍ଷଣି ଆମେ କାର୍ଯ୍ୟରତ ଉକ୍ତ ଓଟି ସମେତ ୱାର୍ଡରୁ ରୋଗୀ ଓ କର୍ମଚାରୀଙ୍କୁ ଖାଲି କରିବାରେ ଲାଗି ଯାଇଥିଲୁ। ଯଦିଓ ରୋଗୀ ଓ ସମ୍ପର୍କୀୟଙ୍କୁ କିଛିଟା ସମସ୍ୟା ହୋଇଥିଲା, ସେମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଥିଲା, ତେବେ ସ୍ବଳ୍ପ ସମୟ ମଧ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇ ପାରିଥିଲା। କିଛି ରୋଗୀ କହିଛନ୍ତି ଆମେ ଜାଣିନୁ କେମିତି ନିଆଁ ଲାଗିଲା, ଆମକୁ ଡାକ୍ତର ଓ ଗାର୍ଡମାନେ କହିବାରୁ ଆମେ ତଳକୁ ଆସିଗଲୁ। ଉପର ମହଲାରେ ନିଆଁ ଲାଗିବା ଶୁଣି ଆମକୁ ବାହାରିଯିବାକୁ କହିଥିଲେ ଓ ଆମେ ସେହି ଅନୁସାରେ କୋଠା ବାହାରକୁ ଚାଲି ଆସିଥିଲୁ ବୋଲି ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି।

ଏମ୍‌କେସିଜି ଅଧିକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ ନିଆଁ ଲାଗିବା କ୍ଷଣି ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ସହ କୋଠାକୁ ଖାଲି କରାଯାଇ ଥିଲା। ସେତେବେଳେ ଉକ୍ତ ଓଟିରେ କୌଣସି ଅପରେସନ୍ ନଥିଲା। ଅନ୍ୟ ଓଟିରୁ ମଧ୍ୟ ରୋଗୀଙ୍କୁ ସୁରକ୍ଷିତ ବାହାର କରି ଅଣାଯାଇ ପାରିଛି। କେବଳ ଉକ୍ତ କୋଠରୀର ଛାତ, ଏସି ଆଦି ନିଆଁ ଓ ଧୂଆଁ ଲାଗି କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ଆକଳନରୁ ସର୍ଟସର୍କିଟ୍ ହେତୁ ଅଗ୍ନିକାଣ୍ଡ ଘଟିଥିବା ସେ ସୂଚନା ଦେଇଛନ୍ତି। ସେହିପରି ଉକ୍ତ ଓଟି ବର୍ତ୍ତମାନ ବନ୍ଦ ରହିଲେ ମଧ୍ୟ ଅନ୍ୟ ଓଟି ଥିବାରୁ ରୋଗୀଙ୍କ ଅପରେସନ୍‌ରେ କୌଣସି ସମସ୍ୟା ହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଶୁକ୍ରବାର ନିଆଁ ଲାଗିଥିବା ଉକ୍ତ ବିଲଡିଂରେ ବର୍ତ୍ତମାନ ୟୁରୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ, କାର୍ଡିଓଲୋଜି, ନେଫ୍ରୋଲୋଜି, ନ୍ୟୁରୋଲୋଜି ଆଦି ବିଭାଗ କାର୍ଯ୍ୟରତ। ଏପରିକି ଏହି କୋଠା କୋଭିଡ୍ ମହାମାରୀ ସମୟରେ ସ୍ବତନ୍ତ୍ର କୋଭିଡ୍ ହସପିଟାଲ ଭାବେ ମଧ୍ୟ କାର୍ଯ୍ୟ କରିଥିଲା।

Comments are closed.