ରାଜ୍ୟର ୧୦ଟି ନୂଆ ଜାଗାରେ ହେବ ଇକୋ ରିଟ୍ରିଟ, କୋଟିଆ ବି ସାମିଲ

ଭୁବନେଶ୍ୱର- ଓଡ଼ିଶା ସରକାର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବେ । ରାଜ୍ୟରେ ବିକଶିତ ହେବାକୁ ଥିବା ନୂଆ ୧୦ଟି ଇକୋ ରିଟ୍ରିଟରେ କୋଟିଆକୁ ବି ସାମିଲ କରାଯାଇଛି । ଏହାସହିତ ଅନ୍ୟ ୩ଟି ସ୍ଥାନକୁ ନେଚର କ୍ୟାମ୍ପ ଭାବେ ମଧ୍ୟ ବିକଶିତ ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କୋଟିଏ ସମେତ ୧୦ଟି ନୂଆ ସ୍ଥାନକୁ ରାତିରହଣୀ ସହ ଇକୋ ରିଟ୍ରିଟ୍ ଭାବେ ବିକଶିତ କରିବାକୁ ୧୦ଟି ଅନୁମତି ଦିଆଯାଇଛି । ଦିନରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ୩ଟି ନେଚର କ୍ୟାମ୍ପ ମଧ୍ୟ ବିକଶିତ କରାଯିବ । ଏହି ନୂଆ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରିବା ନିମନ୍ତେ ପ୍ରସ୍ତାବକୁ ଅନୁମୋଦନ କରି ମୁଖ୍ୟ ସଚିବ ସେସବୁ ସ୍ଥାନରେ ଆବଶ୍ୟକ ଭିତ୍ତିଭୂମି ସୁବିଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟକଙ୍କ ଆତିଥେୟତା ପାଇଁ ସ୍ଥାନୀୟ ଲୋକଙ୍କୁ ସାମିଲ କରିବାକୁ ସେ ବିଭାଗଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଯାହାଫଳରେ ସେମାନଙ୍କ ଜୀବନଜୀବିକା ନିର୍ବାହ ହୋଇପାରିବ ।

ଇକୋ ରିଟ୍ରିଟ୍ ପାଇଁ ଚିହ୍ନଟ ହୋଇଥିବା ନୂଆ ଜାଗା ଗୁଡିକ କୋରାପୁଟର କୋଟିଆ, ସମେତ ଦେଓମାଳି ପାହାଡ଼, କଳାହାଣ୍ଡିର ଜକାମ, ଉତ୍ତର ଶିମିଳିପାଳର ନୟାଣା, ଫୁଲବାଣୀର ସିଲଭି କଲଚର ଗାର୍ଡେନ, ପୁରୀର ଅସ୍ତରଙ୍ଗ ମୁହାଣ, ରାଇରଙ୍ଗପୁରର ଖାଡ଼ଖାଇ, ଗଞ୍ଜାମର ମହେନ୍ଦ୍ରଗିରି (ବ୍ରହ୍ମପୁର ସାଇଡ୍ ), କେନ୍ଦୁଝରର କାଞ୍ଜିପାଣି ଘାଟ ଓ ଦହଗଡ଼ ଡ୍ୟାମ । ସେହିପରି ଦିନରେ ବୁଲିବା ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ କୋରାପୁଟର ରାଣୀ ଡୁଡୁମା, କଟକର ଧଳତଙ୍ଗଗଡ଼ ଓ ନୟାଗଡ଼ ଜଙ୍ଗଲ ଡିଭିଜନର ଝାଡ଼େଶ୍ୱରୀ ମନ୍ଦିର ନିକଟସ୍ଥ ଭଣ୍ଡାରପହରକୁ ନୂଆ ନେଚର କ୍ୟାମ୍ପ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ହୋଇଛି ।

Comments are closed.