ଚାନ୍ଦା ଆଦାୟ କଲେ କଠୋର କାର୍ଯ୍ୟାନୁଷ୍ଠାନ: ବ୍ରହ୍ମପୁର ଏସପି

ବ୍ରହ୍ମପୁର: ଆସିଯାଇଛି ପାର୍ବଣ ଋତୁ। ଦୁଇ ଦିନ ପରେ ଆରମ୍ଭ ହୋଇଯିବ ପର୍ବପର୍ବାଣୀର ଲଗାତର ଧାରା I ଗଣେଶ ପୂଜା, ଦୁର୍ଗା ପୂଜା, ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା, ଦୀପାବଳି ଆଦି ଗୋଟିଏ ପରେ ଗୋଟିଏ ପର୍ବପର୍ବାଣୀରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ।  ଶ୍ରଦ୍ଧାଳୁମାନେ ଘରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ, ସର୍ବସାଧାରଣରେ ସାମୂହିକ ପୂଜା ଆୟୋଜନରେ ଜମିବ ମାହୋଲ। ତେବେ ଏହି ଅବସରରେ କିଛି ଅସାମାଜିକ ବ୍ୟକ୍ତିବିଶେଷ ନିଜର ମନ୍ଦ ଉଦ୍ଦେଶ୍ୟ କୁଚରିତାର୍ଥ କରିବା ପାଇଁ ସକ୍ରିୟ ହୋଇ ଉଠିଥାନ୍ତି। ସାମୂହିକ ପୂଜା ଆୟୋଜନ ଆଳରେ ସର୍ବସାଧାରଣ ସ୍ଥାନରେ ଗଣେଶ, ଦୁର୍ଗା ପୂଜା ମଣ୍ଡପ ସ୍ଥାପନ ନାଁ ନେଇ ସେମାନେ ସାହି ସାହି ବୁଲି ତଥା ଛକ, ରାସ୍ତାମାନଙ୍କରେ ଲୋକଙ୍କୁ ଅଟକାଇ ଚାନ୍ଦା ଆଦାୟ କରିଥାନ୍ତି। ଏପରିକି ଲୋକଙ୍କୁ ମୋଟା ଅଙ୍କର ଅର୍ଥ ପୂଜା ଚାନ୍ଦା ଦେବାକୁ ବାଧ୍ୟ କରିଥାନ୍ତି। ସେହିପରି ଦୁର୍ଗା ପୂଜା ସମୟରେ ବକ୍ସିସ୍ ବା ଟିପ୍‌ସ୍ ନାଁରେ ଦୋକାନ ବଜାର ଓ ଘର ଘରୁ ଚାନ୍ଦା ଆଦାୟ କରିଥାନ୍ତି କିଛି ଅସାଧୁ ପ୍ରକୃତିର ବ୍ୟକ୍ତିବିଶେଷ।

ତେବେ ବ୍ରହ୍ମପୁର ପୋଲିସ ତରଫରୁ ଏ ନେଇ ସମସ୍ତଙ୍କୁ ସତର୍କ ତଥା ସଚେତନ କରାଯାଇଛି। ପାର୍ବଣ ଋତୁ ଆରମ୍ଭ ତଥା ଗଣେଶ ପୂଜା ବେଳରୁ ହିଁ ଜୋରଜବରଦସ୍ତ ଚାନ୍ଦା ଆଦାୟ କଥା ଜଣାପଡିଲେ କିମ୍ବା ଏ ନେଇ ଅଭିଯୋଗ ଆସିଲେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାଇ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡ଼. ସର୍ବଣା ବିବେକ ଏମ୍। ସେ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ଯେ କେହି ବଳପୂର୍ବକ ଚାନ୍ଦା ଆଦାୟ କରିବ ପୋଲିସ ତା ବିରୋଧରେ ଅପରାଧିକ ମାମଲା ରୁଜୁ କରିବ। ଗଣେଶ ପୂଜା ଆଳରେ ଅର୍ଥ ଆଦାୟକୁ ପୋଲିସ ଆଦୌ ସହ୍ୟ କରିବ ନାହିଁ ଏବଂ କଠୋର ପଦକ୍ଷେପ ନିଆଯିବ। ଏଭଳି କୌଣସି ଘଟଣା ନଜରକୁ ଆସିଲେ ଲୋକେ ୧୧୨ ନମ୍ବରରେ କଲ୍ କରି ପୋଲିସକୁ ଅବଗତ କରାଇବାକୁ ମଧ୍ୟ ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ଲୋକେ ଶାନ୍ତିଶୃଙ୍ଖଳାର ସହ ତଥା ସମ୍ପୂର୍ଣ୍ଣ ଭୟମୁକ୍ତ ପରିବେଶରେ ଯାତ୍ରା, ପର୍ବ ଉପଭୋଗ କରିବାକୁ ସେ ଆଶ୍ୱସ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ପାର୍ବଣ ଋତୁରେ ଅପରାଧିକ କାର୍ଯ୍ୟକଳାପକୁ ଦମନ କରିବା ତଥା ଅସାମାଜିକ ତତ୍ତ୍ୱଙ୍କୁ ରୋକିବା ଉଦ୍ଦେଶ୍ୟରେ ପୋଲିସ ଏନ୍‌ଫୋର୍ସମେଣ୍ଟ୍‌ କାର୍ଯ୍ୟକୁ ଅଧିକ ବ୍ୟାପକ କରିବାକୁ ଯୋଜନା ରଖିଛି। ପୂର୍ବ ବର୍ଷ ପରି ମଦୁଆ ଧରପଗଡ଼ ଅଭିଯାନ, ଜୁଆ ଆଡ୍ଡାରେ ଚଢ଼ଉ, ଅପରାଧିକ ତତ୍ତ୍ୱଙ୍କ ବିରୋଧରେ ଜିରୋ ଟୋଲେରେନ୍ସ ନୀତି ଗ୍ରହଣ କରିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୋଲିସ ବ୍ୟାପକ ପାଟ୍ରୋଲିଂ ସହ ଖାନତଲାସ କାର୍ଯ୍ୟକୁ ଜୋରଦାର କରି ଲୋକଙ୍କୁ ଶାନ୍ତିପୂର୍ଣ୍ଣ ପାର୍ବଣ ପରିବେଶ ଭେଟିଦେବାକୁ କାର୍ଯ୍ୟରତ ଥିବା ଜଣାଯାଇଛି।

Comments are closed.