ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ରପ୍ତାନୀର ପର୍ଯ୍ୟାପ୍ତ ସୁଯୋଗ ରହିଛି :  ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟ ଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ଦୁଇଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍ ଟନ୍‌ରୁ ବୃଦ୍ଧି ପାଇ ୨୦୨୧ – ୨୨ରେ ୯.୯୧ ଲକ୍ଷ ମେଟ୍ରିକ୍ ଟନ୍‌ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି । ରାଜ୍ୟ ସରକାରଙ୍କ ଦ୍ଵାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ , ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର , ଉନ୍ନତ ପ୍ରଜାତିର ମାଛଚାଷ ଓ ମତ୍ସ୍ୟଖାଦ୍ୟ ପ୍ରୟୋଗ ଫଳରେ ମାଛଚାଷରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆସୋଚାମ୍ ଦ୍ଵାରା ଆୟୋଜିତ ‘ ଭାରତରେ ମାଛଚାଷ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣର ସୁଦୃଢ଼ୀକରଣ ’ ଶୀର୍ଷକ ଏକ ୱେବିନାର୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଲେ ଯେ ୨୦୦୦ – ୦୧ରେ ରାଜ୍ୟରେ ୧ , ୦୪୬ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହୋଇଥିବାବେଳେ ୨୦୨୦ – ୨୧ ବର୍ଷରେ ଏହା ପ୍ରାୟ ଦଶଗୁଣା ବୃଦ୍ଧି ପାଇ ୧୦ , ୮୧୫ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟର ମୋଟ ମୂଲ୍ୟ ଯୋଗଦାନରେ ମତ୍ସ୍ୟ କ୍ଷେତ୍ରର ଅବଦାନ ୨.୪ ପ୍ରତିଶତ ହୋଇପାରିଛି । କ୍ଷୀରିପାଣି ଚିଙ୍ଗୁଡ଼ି ଚାଷରେ ମଧ୍ୟ ମତ୍ସ୍ୟ ଉତ୍ପାଦିକା ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି ରାଜ୍ୟର ୪୮୦ କିମି ଦୀର୍ଘ ସାମୁଦ୍ରିକ ଉପକୂଳର ଉପଯୁକ୍ତ ବିନିଯୋଗ ଯୋଗୁଁ ବିଗତ ୨୦ ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୨୦୦୦ – ୦୧ରେ ୩୭୯ କୋଟି ଟଙ୍କାରୁ ବାରଗୁଣ ବୃଦ୍ଧି ପାଇ ୨୦୨୧ – ୨୨ରେ ୪ , ୫୨୬ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟର ମୋଟ ରପ୍ତାନୀ ଆୟର ୫.୯୦ ପ୍ରତିଶତ ସାମୁଦ୍ରିକ ଖାଦ୍ୟ ରପ୍ତାନୀରୁ ଆସିଥାଏ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ମତ୍ସ୍ୟ ବିଭାଗ ଓ୍ବାଲର୍ଡ ଫିସ୍‌ର ବୈଷୟିକ ସହାୟତାରେ ଓଡ଼ିଶା ମତ୍ସ୍ୟଚାଷ ମାଷ୍ଟର ପ୍ଲାନ୍ – ୨୦୩୦ ପ୍ରସ୍ତୁତ କରିଛି , ଯେଉଁଥରେ ୨୦୩୦ ସୁଦ୍ଧା ରାଜ୍ୟରେ ମୋଟ ୨୨ ଲକ୍ଷ ମେଟ୍ରିକ୍ ଟନ୍ ମତ୍ସ୍ୟ ଉତ୍ପାଦନ ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୨୦ , ୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ଅଧିକ ରୋଜଗାର ସୃଷ୍ଟି କରିବା ଏବଂ ରାଜ୍ୟବାସୀଙ୍କୁ ପୁଷ୍ଟିକର ମାଛ ଯୋଗାଇଦେବା ଓ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ଏବଂ ଭୁବନେଶ୍ବର ଉପକଣ୍ଠ ଡେରାସଠାରେ ଏକ ବିଶ୍ୱସ୍ତରୀୟ ସି – ଫୁଡ୍ ପାର୍କ ପ୍ରତିଷ୍ଠା କରିଛନ୍ତି । ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ଓ ପୁଞ୍ଜିନିବେଶକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଅଧିକରୁ ଅଧିକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗେଇ ଆସିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ ।

ୱେବିନାର ପ୍ରାରମ୍ଭରେ ଆସୋଚାମ୍‌ର ବରିଷ୍ଠ ନିର୍ଦ୍ଦେଶକ ପରମିନ୍ଦରଜିତ କୌର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଭାରତ ସରକାରଙ୍କ ସାମୁଦ୍ରିକ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଡ . ଜେ . ବାଲାଜୀ , ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ . ସୁବର୍ଣ୍ଣା ଚନ୍ଦ୍ରାପ୍ପାଗରି, ଗୋଆର ମତ୍ସ୍ୟ ନିର୍ଦ୍ଦେଶକ ଡ . ଶର୍ମିଳା ମଣ୍ଟେରିଓ , ଓଡ଼ିଶା ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ ସଂଘର ସଭାପତି ଡ . କମଳେଶ ମିଶ୍ର , ମୟାଙ୍କ ଆକ୍ବାକଲଚର ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଡ . ମନୋଜ ଶର୍ମା , ଫାଲକମ୍ ମାରାଇନ୍ ଏକ୍ସପୋର୍ଟ ଲିମିଟେଡ୍‌ର ନିର୍ଦ୍ଦେଶକ ପ୍ରିୟଙ୍କା ମହାନ୍ତି , ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଗ୍ଲୋବାଲ୍ ସେଗ୍‌ମେଣ୍ଟ ମୁଖ୍ୟ ( ସାମୁଦ୍ରିକ ଖାଦ୍ୟ ) ମହେଶ ଲେଣ୍ଡି ପ୍ରମୁଖ ଭାଗନେଇ ଭାରତ ତଥା ରାଜ୍ୟର ମତ୍ସ୍ୟ ଚାଷ ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ।

Comments are closed.