ରାଜଧାନୀରେ ବହୁରୂପୀ ଏଣ୍ଡୁଅ ରାକେଟ ଠାବ, ଜେଜେ ଓ ନାତି ଗିରଫ

ଭୁବନେଶ୍ୱର – ଅତି କୈ।ଶଳର ସହ ରାଜଧାନୀରେ ବହୁରୂପୀ ଏଣ୍ଡୁଅ ବିକ୍ରି ରାକେଟ ଠାବ କରି ଦୁଇଜଣଙ୍କୁ ଧରିଛି ବନ ବିଭାଗ । ବହୁରୂପୀ ଏଣ୍ଡୁଅ ବିକ୍ରି କରିବାକୁ ଆସି ବନ ବିଭାଗ ହାବୁଡ଼ରେ ପଡ଼ିଗଲେ ଜେଜେ ଓ ନାତି । ଅଭିଯୁକ୍ତମାନେ ହେଉଛନ୍ତି ଜଗତସିଂହପୁରର ରଶ୍ମି ରଞ୍ଜନ ଦାସ ଓ କ୍ଷୀରୋଦ ମହାନ୍ତି ।

ଆଜି ବହୁରୂପୀ ଏଣ୍ଡୁଅ ବିକ୍ରି କରିବାକୁ ବାଣୀବିହାର ନିକଟ ମୁଖାର୍ଜୀ ପାର୍କକୁ ଯାଇଥିଲେ ଜେଜେ ଓ ନାତି। ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିଲା ବନବିଭାଗ ଟିମ୍‌। ଗ୍ରାହକ ସାଜି ଏଣ୍ଡୁଅ କିଣିବାକୁ ସେମାନଙ୍କ ସହ କଥା ହେବା ବେଳେ ଉଭୟଙ୍କୁ ମାଡ଼ି ବସିଥିଲେ ବନ କର୍ମଚାରୀ। ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା।
ଜଣାପଡିଛି ଯେ, ରଶ୍ମି ରଞ୍ଜନ ଓ କ୍ଷୀରୋଦ ଜଟଣୀର ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କାରେ ଏକ ବହୁରୂପୀ ଏଣ୍ଡୁଅ କିଣିଥିଲେ। ପରେ ଏଣ୍ଡୁଅକୁ ଦେଢ ଲକ୍ଷରେ ବିକ୍ରି ପାଇଁ ଯୋଜନା କରିଥିଲେ। ବନ ବିଭାଗକୁ ଏହାର ସୁରାକ ମିଳିବା ପରେ ଟିମ୍‌ ଗଠନ କରି ସେମାନଙ୍କ ସହ ଡିଲ୍‌ କରିଥିଲେ। ଏହାପରେ ଏଣ୍ଡୁଅକୁ ଆଣିବାକୁ ମୁଖାର୍ଜୀ ପାର୍କ ନିକଟକୁ ଯାଇ ୨ ଅଭିଯୁକ୍ତଙ୍କୁ ଧରିଛି ବନ ବିଭାଗ ଟିମ୍‌।

ବନ ଅଧିକାରୀ ମାନସ ରଞ୍ଜନ ମହାନ୍ତି କହିଛନ୍ତି, ବହୁରୂପୀ ଏଣ୍ଡୁଅ ବନ୍ୟଜନ୍ତୁ ହୋଇଥିବା ବେଳେ ଏହାକୁ ବିକ୍ରି କରିବା ଦଣ୍ଡନୀୟ ଅପରାଧ । ଏହି ରାକେଟ କେବେଠୁ ଚାଲିଛି, ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

Comments are closed.