ନକଲି କାରବାର ଉପରେ ବ୍ରହ୍ମପୁର ପୋଲିସର ଚଢ଼ାଉ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀରେ ୩ଟି ନକଲି ଗୁଟଖା କାରଖାନା ଉପରେ ବ୍ରହ୍ମପୁର ପୋଲିସ ମଙ୍ଗଳବାର ଚଢ଼ାଉ କରିଛି। ଆଉ ଜବତ କରିଛି ଅଢ଼େଇ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ୟାକିଂ ମେସିନ୍, ମସଲା ଓ କଞ୍ଚାମାଲ। ଏହି ନକଲି ତଥା ବେଆଇନ କାରବାର ସମ୍ପର୍କରେ ସୂଚନା ପାଇ ଚଢ଼ାଉ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍। ସେହି ଅନୁସାରେ ସଦର ଥାନା ଓ ନିମଖଣ୍ଡି ଫାଣ୍ଡି ପୋଲିସ ଚଢ଼ାଉ କରିଥିଲେ। ପୋଲିସ ଗୁଟଖା ପ୍ରସ୍ତୁତିରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରିବା ସହ ତିନି କାରଖାନାର ମାଲିକ ଓ ଗୁମାସ୍ତା ସମେତ ୧୫ରୁ ଅଧିକ କର୍ମଚାରୀଙ୍କୁ ଅଟକ ରଖିଛି।ସେଠାରୁ ପୋଲିସ ବିଭିନ୍ନ କମ୍ପାନୀର ଗୁଟଖା ପାଉଚ୍, ରିଲ୍, ତମ୍ବାଖୁ ପତ୍ର, ଧନିଆ, ପାନ ମହୁରୀ, ଧଳା ଚୂନ, ଓଜନ ଓ ପେକିଙ୍ଗ୍ ମେସିନ୍, ମିକ୍ସଚର୍ ମେସିନ୍ ଆଦି ପ୍ରାୟ ଅଢ଼େଇ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗୁଟଖା ସାମଗ୍ରୀ ଜବତ କରିଛି। ଏହି ଗୁଟଖା ବାହାର ଜିଲ୍ଲାକୁ ବେଆଇନ ଭାବେ ବିକ୍ରି ଲାଗି ପଠାଯାଉଥିଲା।

ବହୁ ବର୍ଷ ଧରି ଏହି ନକଲି କାରଖାନା ଚାଲିଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ସଦର ଥାନା ସମେତ ବ୍ରହ୍ମପୁର ସହରର ବିଭିନ୍ନ ଥାନା ପୋଲିସ ଏଭଳି ବେଆଇନ, ନକଲି ସାମଗ୍ରୀ ଯଥା ତେଲ, ଘିଅ, ହଳଦୀ, ମସଲା, ଲଙ୍କା ଗୁଣ୍ଡ, ଗୁଟଖା, ପାନ ମସଲା ସମେତ ବେନିୟମ ପାଣି ବୋତଲ ଓ ପାଣି ପାଉଚ୍ ପ୍ରସ୍ତୁତି ୟୁନିଟ୍ ଓ ଗୋଦାମ ଉପରେ ଚଢାଉ କରିଥିଲା। ଅନେକ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏଭଳି କାରବାରର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲା। ଏଥର ପୋଲିସ ସମସ୍ତ କାରଖାନାକୁ ସିଲ୍ କରିବା ସହ ମାଲିକ ଓ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ଯାଞ୍ଚ ବେଳେ ସେମାନେ ପ୍ରସ୍ତୁତି ସମ୍ପର୍କିତ କୌଣସି ଲାଇସେନ୍ସ କାଗଜପତ୍ର ଦେଖାଇପାରିନଥିଲେ। ବ୍ରହ୍ମପୁର ଏସପି ଡା. ସରବଣା ମଧ୍ୟ ଘଟଣାସ୍ଥଳରେ ତନାଘନା କରିଛନ୍ତି।

Comments are closed.