ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକ ଆଜି ପ୍ରତି ସ୍ଥାନରେ ପୂଜା ପାଇବେ । ଏଥିପାଇଁ ଦେଶର ପୁରପଲ୍ଲୀରେ ସବୁଠାରେ ପୂଜା ପାଇଁ ସମସ୍ତେ ଚଳଚଂଚଳ । ଅନେକ ସ୍ଥାନରେ ସକାଳୁ ସକାଳୁ ଶିକ୍ଷାନୁଷ୍ଠାନ ରେ ଆରମ୍ଭ ହୋଇଯାଏ ପୂଜାର ଆୟୋଜନ । ଏହାସହ ଓଡ଼ିଶାର ଅନେକ ସ୍ଥାନରେ ସାର୍ବଜନୀନ ଗଣେଶ ପୂଜାର ଆୟୋଜନ କରାଯାଏ। ବିଶେଷ କରି ଏହି ପର୍ବ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଖୁବ ପ୍ରସିଦ୍ଧ। ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଗଜାନନଙ୍କ ବିଶାଳ ବିଶାଳ ମୂର୍ତ୍ତି ଦର୍ଶକଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ପୂଜା ପେଣ୍ଡାଳରେ ସ୍ୱତନ୍ତ୍ର ପୂଜା ନୀତି ର ବ୍ୟବସ୍ଥା କରାଯାଏ। ଏହି ଗଣପତି ପୂଜା ସାଧାରଣତଃ ପାଞ୍ଚଦିନ, ସାତଦିନ ଓ ସ୍ଥଳ ବିଶେଷ ରେ ୧୦ ଦିନ ଧରି ବହୁ ଆଡମ୍ବର ସହକାରେ ପାଳନ କରାଯାଏ।
ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ କୋଳ ମଣ୍ଡିତ କରିଥିବା ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଶାରୀରିକ ଆକୃତିରେ ମହତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ତାଙ୍କ ଶୁଣ୍ଢ। ବିଦ୍ୟାଦାତା, ଜ୍ଞାନଦାତା, ଐଶ୍ୱର୍ଯ୍ୟଦାତା ଏବଂ ସୁସ୍ଥ ଶରୀର ପାଇଁ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ ।
ଶିବପୁରାଣ ଅନୁଯାୟୀ,ଗଣେଶଙ୍କ ଶରୀରର ବର୍ଣ୍ଣ ନାଲି ଏବଂ ସବୁଜ ରଙ୍ଗର ହୋଇଥାଏ । ବ୍ରହ୍ମ ବୈବର୍ତ୍ତ ପୁରାଣନୁଯାୟୀ, ମାତା ପାର୍ବତୀ ପୁତ୍ରଲାଭ କରିବା ପାଇଁ ପୁଣ୍ୟକ ବ୍ରତ ନାମକ ଏକବ୍ରତ ରଖି ଥିଲେ ଏବଂ ଏହିବ୍ରତ ସମ୍ପନ୍ନ ହେବାପରେ ଗଣେଶ ଜନ୍ମଲାଭ କରିଥିଲେ ।ପୌରାଣିକ କଥାନୁସାରେ ଯେତେବେଳେ ଦେବତାଗଣ ଶ୍ରୀ ଗଣେଶଙ୍କୁ ଆଶିର୍ବାଦ ଦେଉଥିଲେ ସେତେବେଳେ ଶନିଦେବ ମୁଣ୍ଡ ତଳକୁ ପୋତି ଠିଆ ହୋଇଥିଲେ। ଏତାଦୃଶ୍ୟ ଦେଖି ମାତା ପାର୍ବତୀ ଶନିଦେବଙ୍କୁ ଏହାର କାରଣ ପଚାରିଥିଲେ ଉତ୍ତରରେ ସେ କହିଥିଲେ,ମୁଁ ଯଦି ଶ୍ରୀଗଣେଶଙ୍କୁ ଚାହିଁ ରହିବି ତାହେଲେ ତାଙ୍କ ମୁଣ୍ଡରୁ ଶରୀର ପୁଣି ଥରେ ଅଲଗା ହୋଇଯିବ । ତେବେ ଶ୍ରୀଗଣାପତିଙ୍କ ବିଭିନ୍ନ ଭଙ୍ଗିର ମୂର୍ତ୍ତୀ ର କିଛି ଅଲଗା ଅଲଗା ବିଶ୍ୱଷତ୍ୱ ରହିଛି।
ପୌରାଣିକ ମତ ଆଧାରରେ ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ଵାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟିଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ।ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି। ପୌରାଣିକ ମତେ ଶ୍ରୀଗଣେଶ ବ୍ୟାସୋକ୍ତ ମହା -ଭାରତର ଲେଖକ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ଵତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦନ, ରକ୍ତ ପୁଷ୍ପରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା ଅଟନ୍ତି।
ଶ୍ରୀଗଣେଶଙ୍କ ବିଭିନ୍ନ ଆକୃତିର ମୂର୍ତ୍ତିର ଅଲଗା କାରଣ ଏବଂ ବିଶେଷ ପୂଜାର୍ଚ୍ଚନା ରହିଛି।ଶାସ୍ତ୍ରମତ ଅନୁସାରେ ବିଭିନ୍ନ ଧାତୁର ମୂର୍ତ୍ତି ଥିଲେ ମଧ୍ୟ ମାଟି ମୂର୍ତ୍ତିକୁ ହିଁ ଘରେ ପୂଜା କରିବା ଉଚିତ୍।ଏହାଛଡା ଯଦି ସୁନା, ଚାନ୍ଦୀ, ତମ୍ବା ମୂର୍ତ୍ତିକୁ ପୂଜା କରୁଥାନ୍ତି ତେବେ ତାହାକୁ ପ୍ରାଣପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବା ଉଚିତ୍ ।
ଗଜବକ୍ର : ସମ୍ପୁର୍ଣ୍ଣ ଶରୀରରେ ସର୍ପ ଗୋଡାଇ ହୋଇଥିବା ପ୍ରତିମା ଖୁବ୍ ଚମକଦାର ହୋଇଥାଏ,ଏହି ପ୍ରତିମାକୁ ମଙ୍ଗଳକାରୀ ଗଣେଶ ମଧ୍ୟ କୁହାଯାଏ ।
ମହାଗଣପତି : ‘ଓଁ’ ଆକୃତି ସମାନ ଏହି ପ୍ରତିମାରେ ଶ୍ରୀ ଗଣେଶଙ୍କ ମସ୍ତକରେ ଚନ୍ଦ୍ରମା ଶୋଭା ପାଇଥାଏ । ଏକଦନ୍ତଙ୍କ ପେଟ ବଡ ଆକାରର ହୋଇଥାଏ,ତେବେ ଏହି ପ୍ରମିମାକୁ ଜ୍ଞାନର ପ୍ରତିକ ବୋଲି ମନାଯାଏ ।
ବିଘ୍ନେଶ୍ୱର : ଏହି ପ୍ରତିମାରେ ଗରୁଡ ଏବଂ ସିଂହ ମଧ୍ୟ ସ୍ଥାନ ପାଇଥାନ୍ତି,ବଡରୁ ବଡ ବିଘ୍ନକୁ ନାଶ କରୁଥିବା ଏହି ପ୍ରତିମାକୁ ବିଘ୍ନେଶ୍ୱର କୁହାଯାଏ ।
ଗଣପତି : ହସ୍ତରେ ପଦ୍ମ ପୁଷ୍ପ,ଡାଳିମ୍ବ ଏବଂ ଲେମ୍ବୁ ଧାରଣ କରିଥିବା ତ୍ରୀନେତ୍ରଧାରୀ ଶ୍ରୀ ଗଜାନନଙ୍କ ଏହି ପ୍ରତିମା ପ୍ରଗତି ତଥା ଉନ୍ନତିକୁ ଇଙ୍ଗିତ କରେ ।
ଏକାକ୍ଷର : ରକ୍ତବର୍ଣ୍ଣୀ ଶରୀର ଏବଂ ଚନ୍ଦ୍ରାକାର ମୁକୁ ଟ ଧାରଣ କରିଥିବା ଏବଂ ହାତ,ପାଦ ଛୋଟ ହୋଇଥିବା ଗଣେଶ ପ୍ରତିମା ଜୀବନରେ ପ୍ରଗତି ଆଣିଥାଏ ।
ଏରମ୍ଭ ଗଣପତି : ପଞ୍ଚମୁଖି ଶ୍ରୀ ଗଣେଶଙ୍କ ଏହି ପ୍ରତିମାରେ ଗଜାନନଙ୍କ ମୁଖରଙ୍ଗ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ,ଏହି ପ୍ରତିମା ବ୍ୟକ୍ତିକୁ ପ୍ରଗାଢ ସମ୍ମାନର ଅଧିକାରୀ କରିଥାଏ ।
ସିଂହ ଗଣପତି : ବୀଣା,ଚକ୍ର ତଥା ମୁଦ୍ରା,ରକ୍ତ କଳସ ଧାରଣ କରିଥିବା ଏହି ମୂର୍ତ୍ତି ବିନାଶ ତଥା ସଂକଟରୁ ରକ୍ଷା କରିଥାଏ ।
ବାଳ ଗଣପତି : ପ୍ରଭୁ ଶିବ ଏବଂ ମା’ ପାର୍ବତୀଙ୍କ କୋଳରେ ବସିଥିବା ପ୍ରଭୁ ବିନାୟକ ମହାଦେବଙ୍କ ଜଟାରୁ ବାହାରୁଥିବା ଗଙ୍ଗାଜଳରେ କ୍ରୀଡାରତ ଥିବାର ନଜର ଆସେ । ଏହି ପ୍ରତିମା ପୂଜାରେ ସନ୍ତାନହାନୀ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଗଣେଶ ପ୍ରତିମାରେ ଓଲଟା ହାତ ଆଡକୁ ଶୁଣ୍ଢ ଥିବା ଆବଶ୍ୟକ । ସାଧାରଣ ଲୋକେ ଘରେ ଏହି ପ୍ରତିମାକୁ ପୂଜା କରିବା ଦରକାର । ଯେଉଁମାନେ ତନ୍ତ୍ର-ମନ୍ତ୍ର ସାଧନା କରନ୍ତି ସେମାନେ ସିଧା ହସ୍ତ ଶୁଣ୍ଢ ପୂଜା କରିଥାନ୍ତି ।
ଆମ ଭାରତୀୟ ଧର୍ମ ଧାରାରେ ନିଜର ମନୋଭିଷ୍ଟ ସିଦ୍ଧି ପାଇଁ ବିଘ୍ ବିନାନାଶନ ଶ୍ରୀ ଗଣେଶ ଙ୍କୁ ବିଭିନ୍ନ ରୂପେରେ ଆଜିର ଏହି ମହାର୍ଘ୍ୟ ଗଣେଶ ଚତୁର୍ଥୀ ଦିବସରେ ଆବାହନ କରାଯାଇ ଭକ୍ତି ପୁଷ୍ପାଞ୍ଜଳି ପ୍ରଦାନ କରାଯିବାର ପରମ୍ପରା ରହିଛି।
Comments are closed.