ଆଜି ବିନାୟକ ଚତୁର୍ଥୀ: ନିଆରା ମୂର୍ତ୍ତି, ମଣ୍ଡପ ଓ ଭୋଗ

ବ୍ରହ୍ମପୁର: ପ୍ରଭୁ ଗଜାନନ, ବିଘ୍ନ ବିନାଶକ, ଅଗ୍ରପୂଜ୍ୟ, ପାର୍ବତୀ ନନ୍ଦନ, ବିଦ୍ୟାଦାତା, ଲମ୍ବୋଦର‌, ବିନାୟକ ଆଦି ଅନେକ ନାମ। ଯେତେ ନାମ ଭକ୍ତ ତାଙ୍କୁ ସେତିକି ଭିନ୍ନ ରୂପରେ ପୂଜା ଆରାଧନା କରନ୍ତି। ନିଜ ନିଜ ଭାବ ଭକ୍ତିରେ ତାଙ୍କ ପୂଜା ଆରାଧନା କରନ୍ତି। ଏଥର ମଧ୍ୟ ଶ୍ରୀଗଣେଶ ପୂଜରେ ଏଭଳି କିଛି ନିଆରା କଥା ଦେଖିବାକୁ ମିଳିଛି।

ବ୍ରହ୍ମପୁରର ବିଶିଷ୍ଟ ବାଲୁକା ଶିଳ୍ପୀ ତଥା କ୍ଷୁଦ୍ରାତିକ୍ଷୁଦ୍ର କଳାକୃତି ନିର୍ମାଣରେ ମାହିର ସତ୍ୟନାରାୟଣ ମହାରଣା ଏଥର ଶ୍ରୀଗଣେଶ ପୂଜାରେ କ୍ଷୁଦ୍ରାକୃତି ଗଣେଶ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ସେ ତିଆରି କରିଛନ୍ତି ସାତ ଗୋଟି ପ୍ରକୃତି ତଥା ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି। ଆଇସ୍‌କ୍ରିମ୍ ଷ୍ଟିକ୍‌ରେ ତିନୋଟି (୨ ସେଣ୍ଟିମିଟର, ୨.୫ ସେମି ଓ ୪ ସେମି), ଦିଆସିଲି କାଠିରେ ଗୋଟିଏ (୩.୫ ସେଣ୍ଟିମିଟର), ଚୁମକିରେ ତିନୋଟି ମୂର୍ତ୍ତି (୨ ସେଣ୍ଟିମିଟର, ୪.୫ ସେମି ଓ ୮ ସେମି) କରିଛନ୍ତି ସତ୍ୟ। ଗୋଟିଏ ଦିନରେ ଏସବୁ ନିଆରା ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ସେ। ଏହି ୭ ଗୋଟି ପ୍ରତିମାକୁ ନିଜ ସାହିର ପୂଜା ମଣ୍ଡପରେ ସ୍ଥାନୀତ କରିବାକୁ ଇଚ୍ଛା ପ୍ରକଟ ମଧ୍ୟ କରିଛନ୍ତି। ରସାୟନ ସାମଗ୍ରୀର ବ୍ୟବହାର କରି ମୂର୍ତ୍ତି ନିର୍ମାଣ ପରିବେଶ ଉପରେ କୁପ୍ରଭାବ ପ୍ରକାଉଥିବାରୁ ଇକୋ ଫ୍ରେଣ୍ଡଲି ଶ୍ରୀଗଣେଶ ପୂଜା ପାଇଁ ବାର୍ତ୍ତା ଦେବାକୁ ତାଙ୍କର ଏହି ପ୍ରୟାସ ବୋଲି କହିଛତି ସେ।

ରେଶମ ସହରର ଆଉ ଜଣେ ସୂକ୍ଷ୍ମ କଳାକୃତିର କାରିଗର ହରିଗୋବିନ୍ଦ ମହାରଣା ଧୂପକାଠିରେ ଶ୍ରୀଗଣେଶ ଆକୃତି କରିଛନ୍ତି। ଏଥିପାଇଁ ସେ ବ୍ୟବହାର କରିଛନ୍ତି ୧ କେଜି ଧୂପକାଠି। ସେ ମଧ୍ୟ ପରିବେଶ ଅନୁକୂଳ ବାର୍ତ୍ତା ଦେବାକୁ ଯାଇ ଏଭଳି କାର୍ଯ୍ୟ କରିଛନ୍ତି। ଧୂପକାଠିରେ ତିଆରି ହୋଇଥିବା ଏହି ଶ୍ରୀଗଣେଶ ଆକୃତିର ଉଚ୍ଚତା ମାତ୍ର ତିନି ଇଞ୍ଚ। ସବୁ ଧୂପକାଠିକୁ ବିଡ଼ା ଆକାରରେ ବାନ୍ଧି ଗୋଟିଏ ପଟରୁ ଧୂପକାଠିକୁ ଚାପ ଦେଇ ଅନ୍ୟପଟରେ ଗଣେଶ ଠାକୁରଙ୍କ ରୂପ ଦିଆଯାଇଛି। ଏଥିପାଇଁ ହରିଗୋବିନ୍ଦଙ୍କୁ ମାତ୍ର ୨୦ ମିନିଟ୍ ଲାଗିଥିବା ସେ କହିଛନ୍ତି। କମ୍ ସମୟରେ ସ୍ବଳ୍ପ ଖର୍ଚ୍ଚରେ ପରିବେଶ ଉପଯୋଗୀ ଶ୍ରୀଗଣେଶ ପ୍ରତିମା କରିବାରେ ସେ ସଫଳ ହୋଇଛନ୍ତି।

ଶ୍ରୀଗଣେଶ ପୂଜା ପାଇଁ ୫ କିଲୋ, ୧୧ କିଲୋ, ୩୧ କିଲୋ ଓଜନର ଲଡୁ ଭୋଗ ଲଗାଇବେ ରଙ୍ଗେଇଲୁଣ୍ଡା ବ୍ଲକ୍ କୋଠାରସିଂ ଗ୍ରାମର ପୂଜା କମିଟି। ସେହିପରି ୫୧ କିଲୋ ଓଜନର ଲଡୁ ଭାଲିଆଗଡ଼ ଗ୍ରାମ ପୂଜା କମିଟି ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହି ସ୍ୱତନ୍ତ୍ର ଲଡ଼ୁ ଗ୍ରାମରେ ପୂଜା ଶେଷ ଦିନ ନିଲାମ କରାଯାଏ। ସେଥିରୁ ମିଳୁଥିବା ଅର୍ଥ ଆସନ୍ତା ପୂଜା ପାଇଁ ଖର୍ଚ୍ଚ ହୁଏ। ଚଳିତ ବର୍ଷ ପଞ୍ଚମାର ପ୍ରସିଦ୍ଧ ସିଦ୍ଧ ବିନାୟକ ପୀଠ କିମ୍ବା ବ୍ରହ୍ମପୁର ହିଲପାଟଣାର ଖ୍ୟାତିସମ୍ପନ୍ନ ସିଦ୍ଧ ବିନାୟକ ମନ୍ଦିରରେ ଲଡୁ ଭୋଗ ନିଲାମ କରାନଯିବାର ନିଷ୍ପତ୍ତି ହୋଇଛି। ପୂର୍ବ ବର୍ଷମାନଙ୍କରେ ଏହା ବେଶ୍ ଆକର୍ଷଣର କେନ୍ଦ୍ର ସାଜି ଆସୁଥିଲା। ତେବେ ହିଲପାଟଣା ମନ୍ଦିରରେ ଚଳିତ ବର୍ଷ ପୂଜା ବେଳେ ୧୦୦୮ ଦୀପର ମହାଆଳତି ସବୁଠାରୁ ଆକର୍ଷଣୀୟ ହେବ। ଭକ୍ତଙ୍କ ପାଇଁ ମନ୍ଦିର କମିଟି ୨୦ ହଜାର ଦୀପ ପ୍ରସ୍ତୁତ କରୁଛି।

ବ୍ରହ୍ମପୁର ଉପକଣ୍ଠ ସାନକୁଶସ୍ଥଳୀ ଗ୍ରାମରେ ଚଳିତ ବର୍ଷ ଶ୍ରୀଗଣେଶ ପୂଜା ମେଢ଼ ଅନ୍ୟତମ ଆକର୍ଷଣ ସାଜିବ। ଦୁଇ ବର୍ଷର ବ୍ୟବଧାନ ପରେ ହେଉଥିବା ସାମୂହିକ ପୂଜା ଆୟୋଜନ ଅନ୍ତର୍ଗତ ଏଥର ଭଗବାନ କେଦାରନାଥଙ୍କ ପୀଠ ଭଳି ଅବିକଳ ମନ୍ଦିର ଢାଞ୍ଚାରେ ମଣ୍ଡପ ପ୍ରସ୍ତୁତ କରାଯାଇଛି। ଗଣେଶ ପୂଜା ଠାରୁ ୨୧ ଦିନ ପର୍ଯ୍ୟନ୍ତ ଉକ୍ତ ମଣ୍ଡପରେ ଗଜାନନ ପୂଜା ପାଇବେ।

Comments are closed.