୭ କୋଟିରୁ ଅଧିକ ଅର୍ଥରେ ହରିପୁର, ମାର୍କଣ୍ଡି ଠାରେ ସମୁଦ୍ର ମୁହାଣ ଖନନ

ଗୋପାଳପୁର : ବର୍ଷ ପରେ ବର୍ଷ ରହି ଆସିଥିବା ସମସ୍ୟା ଏବେ ଦୂର ହେବ। ଲୋକଙ୍କୁ ଆଉ ବର୍ଷା ଦିନେ ବି ବାତ୍ୟାଜନିତ ପ୍ରବଳ ବର୍ଷା ବେଳେ ଜଳବନ୍ଦୀ ହୋଇ ରହିବାକୁ ପଡିବନି। ଖୋଳିହେବ ସମୁଦ୍ର ମୁହାଣ । ଏହା ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍‌ ମାର୍କଣ୍ଡି ଓ ହରିପୁର ଅଞ୍ଚଳବାସୀଙ୍କ ମନରେ ଆଣି ଦେଇଛି ବେଶ୍ ଆଶ୍ଵସ୍ତି, ଆନନ୍ଦ। ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି, ଲମ୍ବା ସମୟର ସମସ୍ୟା ସମାଧାନ ହୋଇଯିବ। ବିଶେଷ କରି ଗୋପାଳପୁର ନିର୍ବାଚନ ମଣ୍ଡଳୀର  ମାର୍କଣ୍ଡି ଓ ହରିପୁର ଅଞ୍ଚଳର ମସ୍ୟଜିବୀ ମାନଙ୍କର ଏହା ଏକ ଜୀବନରେଖା ସଦୃଶ୍ୟ ହେଇଛି । ସ୍ଥାନୀୟ ମସ୍ୟଜିବୀ ମାନଙ୍କର ସମୁଦ୍ରକୁ ଯିବା ଆସିବା ଆଉ ଅସୁବିଧା ହେବନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ କଥା ରଖିଛନ୍ତି, ତାଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶଙ୍କ ପ୍ରୟାସ ଫଳରେ ମାର୍କଣ୍ଡି ଓ ହରିପୁର ସମେତ ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ସମସ୍ୟାର ଅନ୍ତ ଘଟିବାକୁ ଯାଉଛି। ଗଣେଶ ଚତୁର୍ଥୀର ଶୁଭ ଅବସରରେ ୭ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟରେ ହରିପୁର ଗ୍ରାମ ନିକଟରେ ବାହାଡ଼ା ନାଳ ଓ ମାର୍କଣ୍ଡି ସମୁଦ୍ର ମୁହାଣ ଖନନ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ରାଜ୍ୟ ଜଳ ସମ୍ପଦ ବିଭାଗର ବ୍ରହ୍ମପୁର ଡ୍ରେନେଜ୍ ଡିଭିଜନ୍‌ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ୍ ଉପସ୍ଥିତ ଥିଲେ।

ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶଙ୍କ ଦ୍ବାରା ଆରମ୍ଭ ହୋଇଥିଲା ମାର୍କଣ୍ଡି ଠାରେ ସମୁଦ୍ର ମୁହାଣ ଖନନ ପ୍ରକ୍ରିୟା। ଅତ୍ୟାଧୁନିକ ଡ୍ରେଜିଂ ମେସିନ୍ କାର୍ଯ୍ୟାରମ୍ଭ କରିଥିଲା ଯାହା ନାଳ ଓ ସମୁଦ୍ର ମଧ୍ୟରେ ଜଳଶଯ୍ୟାକୁ ଅଧିକ ଖନନ କରି ଜଳ ନିଷ୍କାସନକୁ ସୁଗମ କରିବ। ବାତ୍ୟା ଓ ବନ୍ୟା ସମୟରେ ସମୁଦ୍ର କୂଳରୁ ଡଙ୍ଗାଗୁଡ଼ିକୁ ଉଦ୍ଧାର କରିବା ମଧ୍ୟ ସମ୍ଭବପର ହେବ। ତେବେ ଏହି ପ୍ରକଳ୍ପ ଦ୍ବାରା କେବଳ ହରିପୁର, ମାର୍କଣ୍ଡି ଓ ଆଖପାଖ ଗ୍ରାମ ନୁହେଁ ବରଂ ଦୀର୍ଘମିଆଦୀ ସୂତ୍ରରୁ ବ୍ରହ୍ମପୁର ମହାନଗର ବାସିନ୍ଦା ମଧ୍ୟ ଉପକୃତ ହେବେ। କାରଣ ବାହାନା ନାଳ ଓ ସାପୁଆ ନାଳ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳ ଦେଇ ପ୍ରବାହିତ ହୋଇ ଶେଷରେ ବଙ୍ଗୋପସାଗରରେ ମିଶୁଛି। ଏଣୁ ବର୍ଷା ଋତୁରେ ଜଳ ନିଷ୍କାସନ ହେଉ ବା ଅନ୍ୟ ଦିନରେ ଡ୍ରେନେଜ୍ ନିଷ୍କାସନ୍, ବ୍ରହ୍ମପୁର ବାସିନ୍ଦା ମଧ୍ୟ ଲାଭବାନ ହୋଇପାରିବେ।

ବ୍ରହ୍ମପୁର ଦେଇ ମାର୍କଣ୍ଡି ପାଖରେ ବଙ୍ଗୋପସାଗରରେ ମିଶିଥିବା ବାହାନା ନାଳ ବର୍ଷା ଦିନେ ବିଶେଷ କରି ମାର୍କଣ୍ଡି ଅଞ୍ଚଳବାସୀଙ୍କ ଦୁଃଖର କାରଣ ପାଲଟୁଥିଲା। ବାହାନା ନାଳର ଉଦ୍‌ବୃତ୍ତ ଜଳ ସମୁଦ୍ରକୁ ନିଷ୍କାସିତ ହୋଇ ନପାରି ଗାଁ ଓ ଚାଷ ଜମିରେ ଜମି ରହୁଥିଲା। ଆଉ ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ହେଲେ ତ ଦୁଃଖ ଦ୍ବିଗୁଣିତ ହୋଇଯାଉଥିଲା। ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହେଉଥିଲା। ଏହାର ପ୍ରତିକାର ପାଇଁ ଡିସେମ୍ବର ୨୫, ୨୦୨୧ରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ରେ ୭ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟରେ ସମୁଦ୍ର ମୁହାଣ ଖନନ ପାଇଁ ଶୁଭ ଦେଇଥିଲେ। ଆଉ ଏବେ ପୁଣି ୭ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟରେ ଆଉ ଦୁଇଟି ସ୍ଥାନରେ ସମୁଦ୍ର ଖନନ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପୂର୍ଣ୍ଣାଙ୍ଗ, ପୂର୍ବାପେକ୍ଷା ଅଧିକ ସୁବିଧାଜନକ କରିପାରିବ। ମତ୍ସ୍ୟଜୀବୀଙ୍କ ଯାତାୟାତ ସମସ୍ୟା ହେଉ କି ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ଏଣିକି ଲୋକଙ୍କୁ ଆଉ ଅସ୍ତବ୍ୟସ୍ତ କରିପାରିବନି। ମୁହାଣ ଖନନ ସହ ଜଳ ନିଷ୍କାସନର ଉଚିତ ବ୍ୟବସ୍ଥା ହେବା ଦ୍ୱାରା ଆଉ ଚାଷୀ କି ମତ୍ସ୍ୟଜୀବୀ କ୍ଷତି ସହିବେନି। ମାର୍କଣ୍ଡି, ହରିପୁର ଅଞ୍ଚଳବାସୀଙ୍କ ସମେତ ରଙ୍ଗେଇଲୁଣ୍ଡା ବ୍ଲକ୍‌ବାସୀଙ୍କ ଏହି ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଇ ପ୍ରକଳ୍ପକୁ ମଞ୍ଜୁରୀ କରାଇବାରେ ଡ. ଦାଶଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ହେତୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ଡ. ଦାଶଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Comments are closed.