ଲୋକଙ୍କ ପାଇଁ ଉଦାହରଣ ଡାକ୍ତର ଦମ୍ପତି, ଅସହାୟଙ୍କ ସହ ଖାଇଲେ ନବାନ୍ନ

ବରଗଡ଼: ଗୁରୁବାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ବର୍ତ୍ତମାନ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା। ପୂର୍ବରୁ ସମଲେଶ୍ବରୀଙ୍କ ପୀଠରେ ପଣ୍ଡିତମାନଙ୍କ ଦ୍ବାରା ଲଗ୍ନ ନିର୍ଦ୍ଧାରିତ କରିଥିଲେ। ଏହା ପରଠୁ ଅଞ୍ଚଳରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା। ଘର ଲିପାପୋଛା ହେଉ ଅବା କିଣାବିକା କରିବାରେ ସମସ୍ତେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଥିଲା। ଚାଷୀର ପ୍ରଥମ ଅମଳକୁ ଇଷ୍ଟଦେବୀଙ୍କ ନିକଟରେ ସମର୍ପଣ କରିବା ପରେ ସମସ୍ତେ ନିଜ ନିଜ ପରିବାର ନବାନ୍ନ ଭକ୍ଷଣ କରିଛନ୍ତି। କିନ୍ତୁ ଏହି ସବୁ ଭିତରେ ରେଳ ଷ୍ଟେଶନ, ବସ୍‌ ଷ୍ଟାଣ୍ଡ, ରାତ୍ର ଆଶ୍ରୟସ୍ଥଳୀରେ ଜୀବନ କାଟୁଥିବା ଲୋକଙ୍କ ପାଇଁ ନୂଆଁଖାଇ ଦିନ ଅନେକ ଅସୁବିଧା ହୋଇଥାଏ। ନୂଆଁଖାଇ ପର୍ବ ପାଇଁ ହୋଟେଲଗୁଡ଼ିକ ବନ୍ଦଥିବାରୁ ଏମାନଙ୍କୁ ସେଦିନ ଖାଇବା ପାଇଁ ମଧ୍ୟ ମିଳେନାହିଁ। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଠାରୁ ବରଗଡ଼ର ଜଣାଶୁଣା ଡାକ୍ତର ସୁସ୍ମିତା ଦାଶ ଏବଂ ଡାକ୍ତର ରାଜେଶ ତ୍ରିପାଠୀ ବାସହୀନଙ୍କ ସହିତ ନିଜ ଘରେ ନୂଆଁଖାଇ ପାଳନ ପାଇଁ ନିଷ୍ପତ୍ତି ନେଇଥିଲେ।

ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରି ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଅନେକ ଦିନ ପୂର୍ବରୁ କରାଯାଇଥିବା ସେମାନେ କହିଥିଲେ। ବାସହୀନଙ୍କ ସହିତ ନବାନ୍ନ ଖାଇବା ପରେ ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଡାକ୍ତର ଦମ୍ପତି। ନିଜ ପରିବାରଠାରୁ ନିର୍ଯାତିତ ହୋଇ ଆଶ୍ରୟସ୍ଥଳୀରେ ରହୁଥିବା ଅନ୍ତେବାସୀମାନେ ଡାକ୍ତର ପରିବାର ସହିତ ନୂଆଁ ଖାଇବା ସମୟରେ ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଥିଲା।

Comments are closed.