କାଳିଆ ସହାୟତା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ: ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବ ଶୀଘ୍ର ସହାୟତା ପାଇଁ ପ୍ରତିଶ୍ରୁତି 

ଭୁବନେଶ୍ୱର – ନୂଆଖାଇ ଅବସରରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ନୂଆଖାଇ ମାଟି ମା’ର ପର୍ବ। ଆମର ଚାଷୀ ଭାଇ ମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ। ତେଣୁ ଚାଷୀ ଆମର ଗର୍ବ ଓ ଗୌରବ। ଏହି ପବିତ୍ର ଦିନରେ  ଚାଷୀ ଭାଇ ଓ ଭଉଣୀ ମାନଙ୍କୁ  କାଳିଆ ସହାୟତା ପ୍ରଦାନ କରି ସେ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ରାଜ୍ୟର ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀଙ୍କୁ ୮୬୯ କୋଟି ଟଙ୍କାର ସହାୟତା ଦିଆଗଲା । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨୦୦୦ ଟଙ୍କା ଗଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା।   ଛୋଟ ଚାଷୀ ମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି ।  ଭୂମିହୀନ ଚାଷୀ ମାନଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି । ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ରାଜ୍ୟର ଚାଷୀ ଭାଇମାନଙ୍କୁ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା । ଏହି ସହାୟତା  ଚାଷ କାମକୁ ଆଗେଇ ନେବାରେ ବହୁତ ସାହାଯ୍ୟ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି ଯେ, ଚଳିତ ବନ୍ୟା ଯୋଗୁ ଚାଷୀଭାଇମାନେ ଚିନ୍ତାରେ ଅଛନ୍ତି। ସେ ସବୁ ସମୟରେ ଚାଷୀଭାଇମାନଙ୍କ ସାଥିରେ ଅଛି। ଶୀଘ୍ର  କ୍ଷୟକ୍ଷତି ସମୀକ୍ଷା କରି ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ  କହିଛନ୍ତି ।ଖୁବ ଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି  ଭରସା ଦେଇଛନ୍ତି ନବୀନ।

ଓଡିଶାର ଗୌରବକୁ ଆମର ଚାଷୀଭାଇ ମାନେ ଉଜ୍ଜଳ କରିଛନ୍ତି। ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତେଣୁ ରାଜ୍ୟର ସବୁ ଲୋକ ଚାଷୀଭାଇଙ୍କ ନିକଟରେ ଋଣୀ ବୋଲି କାଳିଆ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.