ଜଜ୍ ସୁବାସ ବିହାରୀ ମୃତ୍ୟୁ ମାମଲା: ସ୍ତ୍ରୀ ଓ ଶଳାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କଟକ – କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ମାମଲା ଆଜି ଭିନ୍ନମୋଡ଼ ନେଇଛି। ସୁବାସ ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି । ଏହି ଅଭିଯୋଗ ଆଣି ସୁବାସଙ୍କ ପରିବାର ଲୋକେ । ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଅଭିଯୋଗ କରିଛନ୍ତି। ଯାଜପୁରରୁ କଟକରେ ପହଞ୍ଚିବା ପରେ ମର୍କତ ନଗର ଥାନାରେ ଏ ନେଇ ଏତଲା ମଧ୍ୟ ଦେଇଛନ୍ତି ସୁବାସ ଙ୍କ ପରିବାର।

ସୁବାସଙ୍କ ମା’ କହିଛନ୍ତି, ତାଙ୍କ ପୁଅକୁ ମାରି ଦିଆଯାଇଛି। ପୁଅ ବାହା ହେବା ପରେ ଶ୍ୱଶୁର ଘରେ ରହୁଥିଲା। ପୁଅକୁ ଘରକୁ ଛାଡୁନଥିଲେ ସ୍ତ୍ରୀ ଓ ଶଳା। ପୁଅକୁ ତାଙ୍କ ସହ କଥା କରାଇ ଦେଉନଥିଲେ। କଥା ହେଲେ ପୁଅ ନାଁରେ କେସ୍ କରିବେ ବୋଲି ଧମକ ଦେଉଥିଲେ। ଏକଥା ପୁଅ ଥରେ କହିଥିଲା। ଏବେ ପୁଅ ଚାଲିଯିବା ପରେ କିଏ ଆଉ ବୃଦ୍ଧ ବୟସରେ ତାଙ୍କୁ ପୋଷିବ ବୋଲି ମା’ କମଳା କାନ୍ଦି କାନ୍ଦି କହିଛନ୍ତି।

ସୁବାସଙ୍କ ଭାଇମାନେ କହିଛନ୍ତି, ୬ ମାସ ତଳେ ମା’ର ଗୋଡ଼ ଭାଙ୍ଗିଥିଲା। ଦେଢ଼ ଲକ୍ଷ ଟଙ୍କା ଦେଇ ତା’ର ଗୋଡ଼ ଅପରେସନ କରିଥିଲା ଭାଇ। ଏହାର ବିରୋଧ କରିଥିଲେ ପତ୍ନୀ ଓ ଶଳା । ଭାଇର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ବ୍ୟବଚ୍ଛେଦ କେନ୍ଦ୍ର ବାହାରେ ଦେଖିବାକୁ ପହଞ୍ଚିଥିଲେ ହେଁ ଭାଇବୋହୂ ଓ ଶଳା ବିରୋଧ କରିଥିଲେ। ତେଣୁ ଭାଇ ମୃତ ଦେହ ମଧ୍ୟ ସେମାନେ ଦେଖି ପାରି ନ ଥିଲେ। ନିରାଶ ହୋଇ ଘରକୁ ଫେରିଥିଲେ। ମୃତ୍ୟୁର ତିନିଦିନ ପୂର୍ବରୁ ଭାଇ ଘରକୁ ଫୋନ୍ କରି ଘରକୁ ଆସିବ ଓ ମା’କୁ ନେଇଯିବ ବୋଲି କହିଥିଲା। ହେଲେ ହଠାତ୍ ଫୋନ କରି ଗାଡ଼ି ଖରାପ ଥିବା ସୂଚନା ଦେଇ ପରେ ସୁବାସ ଯିବ ବୋଲି ଭାଇ ବୋହୂ କହିଥିଲେ। ହେଲେ ହଠାତ୍ ଏହା ପରେ ଭାଇର ମୃତ୍ୟୁ ଖବର ମିଳିଥିଲା। ମୃତ୍ୟୁର ୨ ଘଣ୍ଟା ପରେ ତାଙ୍କୁ ଖବର ଦିଆଯାଇଥିବା ଅଭିଯୋଗ ହୋଇଛି।

Comments are closed.