ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ରାଧାଷ୍ଟମୀ ଉତ୍ସବ ପାଳନ କରାଯାଏ। ଏହି ତିଥିର ବିଶାଖା ନକ୍ଷତ୍ରରେ ଶ୍ରୀରାଧା ଜନ୍ମ ଗ୍ରହଣ କରିଥିଲେ। ଶ୍ରୀ ରାଧାଙ୍କ ଆବିର୍ଭାବ ସମ୍ପର୍କରେ ଭିନ୍ନ ଭିନ୍ନ ମତବାଦ ରହିଛି।
ବ୍ରହ୍ମବୈବର୍ତ୍ତ ପୁରାଣ ରେ ଶ୍ରୀରାଧା ଅଯୋନି ସମ୍ଭୂତା। ଦ୍ବାପର ଯୁଗରେ ଗୋକୁଳ ନିବାସୀ ସାମନ୍ତରାଜ ବୃଷଭାନୁ ପତ୍ନୀ କୀର୍ତ୍ତିଦାଙ୍କ ସହ ଯମୁନା ନଦୀରେ ସ୍ନାନ କରୁଥିବା ସମୟରେ ଜଳରେ ଭାସୁଥିବା ଗୋଟିଏ ପଦ୍ମ ଫୁଲରେ ଏକ ସୁନ୍ଦରୀ ଶିଶୁକୁ ପାଇଲେ। କୁହାଯାଏ, ଜନ୍ମଠାରୁ ତିନିଦିନ ପର୍ଯ୍ଯନ୍ତ ଶିଶୁଟିର ଚକ୍ଷୁ ମୁଦ୍ରିତ ଥିଲା। ମାତା ଯଶୋଦା କୋଳରେ ବାଳକ ଶ୍ରୀକୃଷ୍ଣଙ୍କୁ ଦେଖି ତାଙ୍କର ଚକ୍ଷୁ ଖୋଲିଗଲା। ରାଜା ବୃଷଭାନୁ ରାଣୀ କୀର୍ତ୍ତିଦା ଶିଶୁଟିର ନାଁ ଦେଇଥିଲେ ‘ରାଧା’। ‘ରା’ ର ଅର୍ଥ ଅଗ୍ନି, ‘ଧା’ ହେଉଛି ଧାବମାନ, ଭଗବାନଙ୍କ ଆଡକୁ ଧାବମାନର ସଂକେତ। ବୈଷ୍ଣବମାନଙ୍କ ମତାନୁସାରେ ସେମାନଙ୍କର ଆରାଧନାର ମୁଖ୍ଯ ଦେବୀ ହେଉଛନ୍ତି ରାଧା। ଆରାଧୟତି ଇତି ରାଧା। ଶ୍ରୀକୃଷ୍ଣଙ୍କୁ ଆରାଧନାର ପ୍ରକୃଷ୍ଟ ସାଧନ’ରାଧା’। ଅନ୍ଯ କେତେକଙ୍କ ମତରେ ‘ରା’ ର ଅର୍ଥ ଜୀବର ମର୍ମ, ‘ଧା’ ହେଉଛି ପରମ।
ପୌରାଣିକ ତଥ୍ଯାନୁଯାୟୀ ମନ୍ଦର ପର୍ବତରେ ସୂର୍ଯ୍ଯଦେବ ତପସ୍ଯାକାଳରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଲାଭକରି ବୈଶ୍ଯ କୂଳରେ ବୃନ୍ଦାବନ ରେ ବୃଷଭାନୁ ନାମନେଇ ଜନ୍ମ ହେଲେ ଏବଂଯଥା କାଳେ କୀର୍ତ୍ତିଦାଙ୍କୁ ବିବାହକଲେ।ସେମାନଙ୍କ କୋଳ ରେ ଯେଉଁ ଶିଶୁକନ୍ଯା ଟି ଜନ୍ମନେଲା ଦୁର୍ବାସା ଋଷି ତା’ର ନାମକରଣ କରିଥିଲେ ‘ରାଧା’। କୈଶୋରାବସ୍ଥାରେ ରାଧା, ଚନ୍ଦ୍ରସେଣା ନାମକ ଜଣେ ନପୁଂସକ ଗୋପାଳଙ୍କୁ ବିବାହ କରିଥିଲେ। ଜଟିଳା ତାଙ୍କ ଶାଶୁ, କୁଟିଳା ତାଙ୍କ ନଣନ୍ଦ। ବରସାନା ବା ତତ୍କାଳୀନ ଯାବଟ ତାଙ୍କର ପିତ୍ରାଳୟ। ମାତ୍ର ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଭକ୍ତି ହେତୁ ସମସ୍ତ ବାଧା ସତ୍ତ୍ବେ ସେ ଶ୍ରୀକୃଷ୍ଣଙ୍କର ନିକଟତର ହୋଇଯାଇଥିଲେ।ଅନ୍ଯ ଏକମତରେ ଶ୍ରୀକୃଷ୍ଣଙ୍କ ଦକ୍ଷିଣ ଅଂଶରୁ ଶ୍ରୀ ରାଧାଙ୍କ ଉତ୍ପତ୍ତି।
ସେଥିପାଇଁ ବୈଷ୍ଣବୀୟ ଶାସ୍ତ୍ରରେ କୁହାଯାଇଛି ଯିଏ ହିଁ ରାଧା ସିଏ ହିଁ କୃଷ୍ଣ। ଦୁଇ ବିଗ୍ରହ ଏକ ଆତ୍ମା।
ରାଧାଷ୍ଟମୀ ବ୍ରତ~ ସାଧାରଣ ଗୃହସ୍ଥମାନେ ଉପବାସ ରହି ରାଧାଷ୍ଟମୀ ବ୍ରତ ପାଳନ କରିବା ସହ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା କରନ୍ତି। ଶ୍ରୀରାଧାଙ୍କ ସହ ଶ୍ରୀକୃଷ୍ଣଙ୍କୁ ପୂଜା ନ କଲେ ପୂଜା ଅପୂର୍ଣ୍ଣ ରହିଯାଏ ବୋଲି ବିଶ୍ବାସ ଅଛି। ସେମାନଙ୍କର ମତରେ ଶ୍ରୀକୃଷ୍ଣଭକ୍ତି ପ୍ରାପ୍ତିର ମାଧ୍ଯମ ହେଉଛି ଶ୍ରୀରାଧାଙ୍କ ସ୍ତୁତି ଓ ପୂଜନ। ଏହି ତିଥିରେ ଶ୍ରଦ୍ଧାଳୁ ମାନେ ପ୍ରାତଃ ସ୍ନାନକରି ଶ୍ରୀରାଧାକୃଷ୍ଣଙ୍କ ମୂର୍ତ୍ତିଙ୍କୁ ପଞ୍ଚାମୃତରେ ସ୍ନାନକରାଇ ନୂତନ ବସ୍ତ୍ର ପିନ୍ଧାଇ କାଷ୍ଠାସନରେ ଉପବେଶନ କରାନ୍ତି। ତତ୍ପରେ ଧୂପ, ଦୀପ ଜାଳି ଫୁଲ, ଫଳ ନୈବେଦ୍ଯ ନିବେଦନ ସହ ଶ୍ରୀରାଧାଙ୍କ ଜନ୍ମବୃତ୍ତାନ୍ତ ବ୍ଯତୀତ ବ୍ରତକଥା ପାଠ କରନ୍ତି। ସନ୍ଧ୍ଯାରେ ବ୍ରାହ୍ମଣଙ୍କୁ ଦକ୍ଷିଣାଦେଇ ବ୍ରତ ଉଦ୍ ଯାପନ କରନ୍ତି।
ରାଧାଷ୍ଟମୀ ବୈଷ୍ଣବଧର୍ମାବଲମ୍ବୀ ମାନଙ୍କର ମୁଖ୍ଯ ଉତ୍ସବ। ରାଧା ଅଷ୍ଟମୀ ବ୍ରତ ପାଳନ କଲେ ସମସ୍ତ ପାପ ଦୂର ହେବାସହ ସନ୍ତାନମାନଙ୍କର ମଙ୍ଗଳ ହୁଏ। ସତ୍ଯଯୁଗରେ ଲୀଳାବତୀ ନାମ୍ନୀ ବାରାଙ୍ଗନା ନିଜ ବାଟରେ ଏକ ମନ୍ଦିରରେ ବୈଷ୍ଣବ ସନ୍ନ୍ଯାସୀ ମାନଙ୍କ ରାଧାଷ୍ଟମୀ ପାଳନ ଦେଖି ଏହି ବ୍ରତପାଳନ କରିବାପାଇଁ ସଂକଳ୍ପ ନେଲା ଏବଂ ତତକ୍ଷଣାତ୍ ତା’ର ସମସ୍ତ ପାପ ନଷ୍ଟ ହୋଇଗଲା। ମୃତ୍ଯୁପରେ ତା’ର ବୈକୁଣ୍ଠ ପ୍ରାପ୍ତ ହେଲା।
ଏହି ପବିତ୍ରଦିନରେ ଦୁର୍ବାଘାସର ଉତ୍ପତ୍ତି ହୋଇ ଥିବାରୁ ଏହା ଦୁର୍ବାଷ୍ଟମୀ ଭାବେ ପାଳନ କରାଯାଉ ଥିଲା। ମାତ୍ର ଅପ୍ରଚାରିତ ହେବାଫଳରେ କ୍ରମେ ଏହା ରାଧାଷ୍ଟମୀ ପାଳନର ସ୍ଥାନ ନେଲା।ଦୁବଘାସ ଅତି ପବିତ୍ର ଏବଂ ପୁଣ୍ଯ। ଯେଉଁ ପୂଜାରେ ଦୁବଘାସ ଅର୍ପଣ କରାଯାଇ ନ ଥାଏ ସେ ପୂଜା ଅପୂର୍ଣ୍ଣ ରହିଯାଏ।
Comments are closed.