କୋଶଳ ମହାବନ୍ଦକୁ ସମ୍ବଲପୁରରେ ବିରୋଧ, ସବୁ ଖୋଲା ରଖିବାକୁ ଆହ୍ଵାନ

ସମ୍ବଲପୁର: ସମ୍ବଲପୁରୀ ର ଟେକ ତଥା ସ୍ବାଭିମାନ ରକ୍ଷା ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ନିଜର ଦାଯିତ୍ବ ପ୍ରତି ସଦା ସଚେତନ ଓ ତତ୍ପର ତେଣୁ ୭ ତାରିଖର ବନ୍ଦ ପ୍ରତି ସଂଘର ଆଦୌ ସମର୍ଥନ ନାହିଁ ବୋଲି ସଂଘ ସ୍ପଷ୍ଟ କରିବା ସହିତ ସମ୍ବଲପୁରରେ ସବୁ ଖୋଲା ରଖିବାକୁ ଆହ୍ବାନ ଜଣାଇଛି।

୭ ତାରିଖର ବନ୍ଦ ପ୍ରତି ଓକିଲ ସଂଘ ସମର୍ଥନ ଘୋଷଣା କରିଥିବା ବିଷୟ ଗତକାଲି ଏକ ସଂଗଠନର କତିପୟ ବ୍ଯକ୍ତି ଘୋଷଣା କଲାପରେ ଆଜି ସମ୍ବଲପୁରର ୬୫ ଟି ସଂଗଠନ ପକ୍ଷରୁ ବହୁ ପ୍ରତିନିଧି ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତାମାନଙ୍କୁ ଭେଟିବାକୁ ଯାଇଥିଲେ । ଏ ଅବସରରେ ଓକିଲ ସଂଘ କର୍ମକର୍ତ୍ତା ଓ ଏବଂ ୭ ତାରିଖର ବନ୍ଦ ବିରୋଧୀଙ୍କ ମଧ୍ଯରେ ବୈଠକ ହୋଇଥିଲା।

ଓକିଲ ସଂଘ ସଭାପତି ସୁରେଶ୍ଵର ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘ କର୍ମକର୍ତ୍ତାଗଣ ସ୍ପଷ୍ଟ କରିଥିଲେ ଯେ ୭ ତାରିଖର ବନ୍ଦକୁ ଓକିଲ ସଂଘ ସମର୍ଥନ ଘୋଷଣା କରିନାହିଁ। ବୈଧାନିକ ଦୃଷ୍ଟିରୁ ମହକିଲମାନଙ୍କର ଯେଭଳି ଅସୁବିଧା ନ ହୁଏ ସେଥିପାଇଁ ଓକିଲମାନେ କେବଳ କାର୍ଯ୍ୟରୁ ବିରତ ରହିବେ। କିନ୍ତୁ କୋର୍ଟ ପରିଚାଳନାରେ କୌଣସି ବାଧା ଦେବେ ନାହିଁ। ସେମାନେ ଆହୁରି କହିଥିଲେ ଯେ ସମ୍ବଲପୁରର ଅଧିକାଂଶ ସକ୍ରିୟ ସଂଗଠନ ଗୁଡିକର ଇଚ୍ଛା ପ୍ରତି ସମ୍ମାନ ଜଣାଇ ଓକିଲ ସଂଘ ସମ୍ବଲପୁରୀ ଭାଷା, ସଂସ୍କୃତି ର ସୁରକ୍ଷା ଓ ସମ୍ମାନ ପାଇଁ ସଦା ତତ୍ପର ରହିଆସିଛି।।

ଓକିଲ ସଂଘ କର୍ମକର୍ତ୍ତାଙ୍କ ଏହି ଘୋଷଣା ପରେ ସଭାସ୍ଥଳରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇଥିଲା ତଥା ହୀରାଖଣ୍ଡ ରାଜ୍ଯ ଓ ସମ୍ବଲପୁରୀ ଭାଷାକୁ ନେଇ ମିଳିତ ଭାବରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ରବି ପୂଜାରୀ, ପ୍ରଦୀପ ବହିଦାର, ବିଜିତେନ୍ଦ୍ରୀୟ ପ୍ରଧାନ, ଅତନୁ ଘୋଷ, ପ୍ରମୋଦ ଦାଶ, ସତ୍ଯ ନାରାୟଣ ପଣ୍ଡା, ପ୍ରମୋଦ ସରାଫ ଓ ଅନ୍ୟମାନେ ତଥା ବିଭିନ୍ନ ସଂଗଠନ ପକ୍ଷରୁ ସର୍ବଶ୍ରୀ ପରେଶ ଚନ୍ଦ୍ର ଦାନୀ, ପ୍ରଫୁଲ୍ଲ ହୋତା, ସରୋଜ ଦାଶ, ଦୀପକ କୁମାର ପଣ୍ଡା, ଅଖିଳ ପଟ୍ଟନାୟକ, ଆନନ୍ଦ ସାଗର ଦାଶ, ଶିବ ପ୍ରସାଦ ମେହେର, କମଳ ଲୋଚନ ପଣ୍ଡା, ତାପସ ଦାଶ, ରାଜେଶ କୁମାର ବେହେରା, ତର୍ପଣ କୁମାର ପ୍ରଧାନ, ସୁରେଖା ସାହୁ, ପଂକଜିନୀ ମେହେର, ସୈରିନ୍ଦ୍ରୀ ପଣ୍ଡା, କାନ୍ତି ମେହେର, ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

Comments are closed.