ବୀମା କମ୍ପାନୀର ଅହେତୁକ ବିଳମ୍ବ, ସୋହେଲା- ଛତିଶଗଡ଼ ୫୩ ନଂ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ବରଗଡ଼ : ବରଗଡ଼ ଜିଲ୍ଲା ସୋହେଲା ଠାରେ ଚାଷୀମାନେ କରିଛନ୍ତି ରାସ୍ତା ଅବରୋଧ । ପ୍ରଧାନମନ୍ତ୍ରୀ ଫସଲ ବୀମା ଅହେତୁକ ବିଳମ୍ବ ଯୋଗୁଁ ଏଭଳି ପଦକ୍ଷେପ ନେଇଛନ୍ତି ଚାଷୀ ସମୂହ । ଏହି ରାସ୍ତା ରୋକ ଆଜି ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହେବ ବୋଲି କୁହାଯାଇଛି । ଏହି ରାସ୍ତା ରୋକକୁ ଅଞ୍ଚଳର ସମସ୍ତ ସଙ୍ଗଠନ ସହଯୋଗ କରିଥିଲେ ।

ସୂଚନା ମତେ ଏଚଡିଏଫସି ଏଗ୍ରୋ କଂପାନୀ ଆକଳନ ଅନୁସାରେ ବୀମା ଟଙ୍କା ପ୍ରଦାନରେ ଅହେତୁକ ବିଳମ୍ବ କରିବା ଓ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ପ୍ରତିବାଦରେ ଆଜି ସକାଳ ୮ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସୋହେଲା ମୁଖ୍ୟ ଛକ ଠାରେ ଚାଷୀଙ୍କ ରାସ୍ତା ଅବରୋଧ କରାଯାଇଥିଲା । ଏହା ସହ ସମସ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଇଥିଲା । ଏହି ରାସ୍ତା ଅବରୋଧ ଫଳରେ ଜାତୀୟ ରାଜପଥର ଉଭୟ କଡ଼ରେ ଶତାଧିକ ଯାନବାହନ ଅଟକି ରହିଛି।

Comments are closed.