ପୁରୀରେ କାର୍ତ୍ତିକ ବ୍ରତ ପାଇଁ ଆଜିଠୁ ହବିଷ୍ୟାଳୀଙ୍କ ପଞ୍ଜୀକରଣ ଆରମ୍ଭ, ୨୯ ଯାଏଁ ଚାଲିବ ପ୍ରକ୍ରିୟା

ପୁରୀ -କୋରୋନା ମହାମାରୀ ପାଇଁ ଦୁଇବର୍ଷ ବନ୍ଦ ରହିଥିବା ହବିଷିଆଳି ଯୋଜନା ପୁଣି ଆରମ୍ଭ ହେବାକୁ ଯାଉଛି । ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି । ବ୍ରତ ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଆଗ୍ରହୀ ମା’ମାନେ ଆଜିଠୁ ଆସନ୍ତା ୨୯ ତାରିଖ ମଧ୍ୟରେ ପଞ୍ଜୀକରଣ କରିପାରିବେ ।

www.puri.nic.in ସାଇଟ୍‍କୁ ଯାଇ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ oritourpuri@gmail.com ରେ ଅନ୍‍ଲାଇନରେ ବା ଅଫ୍‍ଲାଇନରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ଦରଖାସ୍ତକାରୀଙ୍କ ନାମ, ବୟସ, ସ୍ଥାୟୀ ଓ ବର୍ତ୍ତମାନ ଠିକଣା, ଯୋଗାଯୋଗ ନମ୍ବର ବା ମେଲ୍‍ ଆଇଡି, ଜରୁରୀ ଆବଶ୍ୟକତା ପାଇଁ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବର, ଆଧାର ବା ଭୋଟର ପରିଚୟପତ୍ର ନମ୍ବର, ଆବେଦନପତ୍ରରେ ଗୋଟିଏ ଏବଂ ଅନ୍ୟ ଦୁଇଟି ପାସ୍‍ପୋର୍ଟ ସାଇଜ ଫଟୋ ସହ ଆବେଦନ କରିପାରିବେ। ଆବେଦନକାରୀ ଡବଲ ଡୋଜ୍‍ ଟିକା ନେଇଥିବା ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ପାଖରେ ରହି ହବିଷ କରିବାକୁ ହବିଷିଆଳୀମାନେ ପୁରୀ ଆସିଥାନ୍ତି। ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରତଧାରୀଙ୍କ ରହିବା, ମହାପ୍ରଭୁଙ୍କ ଦର୍ଶନ, ପୂଜାର୍ଚ୍ଚନା, ମହାପ୍ରସାଦ ସେବନ ଇତ୍ୟାଦିର ସୁବନ୍ଦୋବସ୍ତ ବିଗତ ବର୍ଷମାନଙ୍କରେ କରାଯାଇଥିଲା। ତେବେ କରୋନା ପାଇଁ ଦୁଇବର୍ଷ ଏହି ବ୍ୟବସ୍ଥା ବନ୍ଦ ରହିଥିବା ବେଳେ ଚଳିତବର୍ଷ ହବିଷିଆଳୀ ମା’ମାନଙ୍କ ପୁନଶ୍ଚ ଏହା କାର୍ଯ୍ୟକ୍ଷମ କରାଯାଇଛି। ସେମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିବିଧ ବ୍ୟବସ୍ଥା ସମ୍ପର୍କରେ ସୋମବାର ସର୍କିଟ ହାଉସରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି ସୁଚାରୂ ରୂପେ ଓ ଶୃଙ୍ଖଳିତ ଭାବେ ଏହାକୁ ସମ୍ପାଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

Comments are closed.