ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୯ତମ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ବର: ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ ଆଜି ବିଶ୍ଵର ଏକ ବଡ଼ ଆହ୍ବାନ । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବେଦନାର ସହିତ ଏହି ଆହ୍ବାନକୁ ସାମ୍ନା କରିବା ପାଇଁ ବିସ୍ତୃତ ରଣନୀତି ପ୍ରସ୍ତୁତ କରିଛି । ଏ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟର ୭ଟି ପ୍ରଦୂଷଣ ପ୍ରବଣ ଶିଳ୍ପାଞ୍ଚଳ ବା ସହର ଯଥା ଅନୁଗୁଳ , ତାଳଚେର , ବାଲେଶ୍ବର , ଭୁବନେଶ୍ବର , କଟକ , କଳିଙ୍ଗନଗର ଓ ରାଉରକେଲା ଠାରେ ଜାତୀୟ ସ୍ଵଚ୍ଛ ବାୟୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି । ଏହି ମିଶନର ଲକ୍ଷ୍ୟ ୨୦୧୭ ମସିହା ଠାରୁ ବାୟୁରେ ଭାସମାନ ବର୍ଜ୍ୟବସ୍ତୁ ଅବଶିଷ୍ଟାଶ କଣିକା ସ୍ତରକୁ ୨୦ରୁ ୩୦ ପ୍ରତିଶତକୁ ହ୍ରାସ କରିବା । ଏହି କ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସିଏସଇ , ନୂଆଦିଲ୍ଲୀ ଦ୍ବାରା ଭାରତର ସ୍ଵଚ୍ଛତା ସୂଚକାଙ୍କ ମୂଲ୍ୟାଙ୍କନରେ ଏକ ନମ୍ବର ସ୍ଥାନ ପାଇଛି । ଏହା ଆମ ପାଇଁ ଏକ ଗର୍ବର ବିଷୟ ବୋଲି ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ ଅମାତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୯ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଇ ପ୍ରକାଶ କରିଛନ୍ତି ।

ପୃଥ୍ବୀକୁ ପ୍ରଦୂଷିତ କରିବା ମଣିଷର ସବୁଠାରୁ ବଡ ଭୁଲ୍ । ଭବିଷ୍ୟତ ପିଢିଙ୍କ ପାଇଁ ଏକ ସୁନ୍ଦର ପୃଥିବୀ ଛାଡିଯିବା ହେଉଛି ଆମ ନୈତିକ ଦାୟିତ୍ଵ । ପରିବେଶ ପ୍ରଦୂଷଣକୁ ରୋକିବାକୁ ହେଲେ ସମସ୍ତଙ୍କର ମିଳିତ ସହଯୋଗ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଥିଲେ ।

ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୋଭିଡ୍ – ୧୯ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ସମଗ୍ର ଦେଶରେ ଉଚ୍ଚ ପ୍ରଶଂସିତ ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ୧୯୮୩ ମସିହାଠାରୁ ଏହା ନିରନ୍ତର ଓଡ଼ିଶାବାସୀଙ୍କୁ ସେବା ଯୋଗାଇଆସିଛି ବୋଲି ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି ।

ଏହି ଅବସରରେ ପାରଦ୍ବୀପ , ଗହୀରମଥା , ଧାମରା ଉପକୂଳର ୨୦୨୦ – ୨୨ ବର୍ଷର ବିବରଣୀ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଜଳ ଅଧ୍ୱନିୟମ – ୧୯୭୪ , ବାୟୁ ଅଧିନିୟମ – ୧୯୮୧ ଏବଂ ପରିବେଶ ସୁରକ୍ଷା ଅଧୂନିୟମ – ୧୯୮୬ ଅନୁଯାୟୀ କାର୍ଯ୍ୟ କରିବାକୁ ପଡ଼ିଥାଏ । ଆମେ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଦ୍ବାରା ହିଁ ପ୍ରଦୂଷଣକୁ ରୋକିପାରିବା ବୋଲି ବିଭାଗୀୟ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଆଶା ପୋଷଣ କରିଥିଲେ । ବୋର୍ଡର ବିବିଧ କାର୍ଯ୍ୟାବଳୀ ବିବରଣୀ ସମ୍ବନ୍ଧରେ ବିଭାଗୀୟ ସଦସ୍ୟ ସଚିବ ଡ . କେ . ମୁରୁଗେସନ ଅବଧାରଣା ଦେଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ବୋର୍ଡର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ପ୍ରଫେସର ଏମ.କେ.ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପ୍ରଦୂଷଣ ନିୟନ୍ତ୍ରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ପରିବେଶ ଯନ୍ତ୍ରୀ ଡ . ଏନ.ଆର.ସାହୁ ସ୍ବାଗତ ଭାଷଣ ଦେଇଥିଲା ବେଳେ ପ୍ରଶାସନିକ ଅଧିକାରୀ ଦେବଦତ୍ତ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏହି ଅବସରରେ ଆୟୋଜିତ ଏମ.କେ.ରାଉତ ସ୍ମୃତି ସମ୍ଭାଷଣରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ପ୍ରଫେସର ପ୍ରତାପ ମହାନ୍ତି ସାମୁଦ୍ରିକ ପ୍ରଦୂଷଣର କାରଣ ଓ ଏହାର ନିରାକରଣ ଉପରେ ବିଷଦ ଆଲୋକପାତ କରିଥିଲେ । ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ . ପ୍ରଦୀପ କୁମାର ରାଉତଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ , ନବନିଯୁକ୍ତ ୩୫ଜଣ ସହକାରୀ ପରିବେଶ ବୈଜ୍ଞାନିକ ଓ ଯନ୍ତ୍ରୀମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ ।

Comments are closed.