ହସ୍ତଶିଳ୍ପ ତାଲିମ ଦେଇ କିନ୍ନରଙ୍କୁ ସ୍ବାବଲମ୍ବୀ କରାଇବ ଗଜପତି ଜିଲ୍ଲା ପ୍ରଶାସନ 

ପାରଳାଖେମୁଣ୍ଡି: ଗତ କିଛି ବର୍ଷ ହେଲା ତୃତୀୟ ଲିଙ୍ଗୀ ତଥା କିନ୍ନରମାନଙ୍କୁ ସମାଜରେ ସେମାନଙ୍କ ନ୍ୟାୟୋଚିତ ସ୍ଥାନ ଦେବା ପାଇଁ ନ୍ୟାୟାଳୟରୁ ଆରମ୍ଭ କରି ପ୍ରଶାସନ, ସାମାଜିକ ସ୍ତରରେ କିଛିଟା ପ୍ରୟାସ ହୋଇ ଆସୁଛି। ଏକଦା ନିଜର ଭିନ୍ନ ଶାରୀରିକ ଗଠନ ଓ ଜୀବନଯାପନ ହେତୁ ଏମାନଙ୍କୁ ସମସ୍ତେ ହୀନ ଦୃଷ୍ଟିରେ ଦେଖୁଥିଲେ। ହେଲେ ଧିରେ ଧିରେ ସ୍ଥିତି ବଦଳିବାରେ ଲାଗିଛି। ଆଉ ଏହାର ଏକ ନଜିର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ଯେଉଁଠି କିନ୍ନରମାନେ ପ୍ରଶାସନ ସହଯୋଗରେ ନିଜକୁ ଆର୍ଥିକ ସଶକ୍ତ ଓ ସ୍ବାବଲମ୍ବୀ କରାଇ ସମାଜରେ ସମ୍ମାନଜନକ ସ୍ଥାନ ହାସଲ କରିବା ଦିଗରେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ାଇ ଚାଲିଛନ୍ତି।

ପୂର୍ବରୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରୟାସକ୍ରମେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଦୋକାନ ଘର କିନ୍ନରମାନଙ୍କୁ ଯୋଗାଇ ଦିଆଯାଇଥିଲା। ସେଠାରେ ସେମାନେ ବିଭିନ୍ନ ସାମଗ୍ରୀ ବିକ୍ରି କରି ଆର୍ଥିକ ଲାଭବାନ ହେବା ସହ ଭିକ୍ଷାବୃତ୍ତି ପରି ଘୃଣ୍ୟ କାର୍ଯ୍ୟରୁ ନିଜକୁ ଦୂରେଇ ରଖିପାରିଥିଲେ। ଏବେ ଏ କ୍ଷେତ୍ରରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ଗଜପତି ଜିଲ୍ଲାପାଳ। କିନ୍ନରମାନେ ଯେପରି ନିଜେ ଶିଖିଥିବା କୌଶଳ ଜରିଆରେ ନୂଆ କାରିଗରୀ ସୃଷ୍ଟି ମାଧ୍ୟମରେ ନିଜ ପାଇଁ ଆୟ ଉପାର୍ଜନର ସମ୍ମାନଜନକ ପନ୍ଥା ବାହାର କରିପାରିବେ ତାହା ଉପରେ ଗୁରୁତ୍ବାରୋପ କରିଛି ଜିଲ୍ଲା ପ୍ରଶାସନ। ସେମାନଙ୍କୁ ହସ୍ତଶିଳ୍ପ ଦକ୍ଷତା ପ୍ରଶିକ୍ଷଣ ଦିଆଯାଉଛି। ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ଏବଂ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗ ମିଳିତ ପ୍ରୟାସକ୍ରମେ ପ୍ରଥମେ ୧୦ ଜଣ କିନ୍ନର ଟେରାକୋଟା, ଚାନ୍ଦୁଆ, ପଟ୍ଟଚିତ୍ର ଏବଂ କତା କାମ ତାଲିମ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ସମୟରେ  ଅବଶିଷ୍ଟ କିନ୍ନରଙ୍କୁ ଏଭଳି ତାଲିମ ଦିଆଯିବ। ପ୍ରଶିକ୍ଷଣ ପରେ କିନ୍ନରମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଲାଗି ଋଣ ଯୋଗାଇ ଦିଆଯିବ। ସେମାନେ ଯାହା ତାଲିମ ଗ୍ରହଣ କରିଛନ୍ତି ତାହାକୁ ଆଧାର କରି ଉପରୋକ୍ତ ହସ୍ତଶିଳ୍ପ ତଥା ଗୃହସଜ୍ଜା ସାମଗ୍ରୀ ତିଆରି ଓ ବିକ୍ରି କରି ଉପାର୍ଜନ କରିପାରିବେ। ଏହିଭଳି ତାଲିମ ଜରିଆରେ କିନ୍ନରମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସମାଜରେ ସମ୍ମାନର ସହ ବଞ୍ଚିପାରିବେ ବୋଲି ଗଜପତି ଜିଲ୍ଲାପାଳ କହିଛନ୍ତି। ଆଗ୍ରହୀ କିନ୍ନରମାନେ ସରକାର ଏବଂ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଏଥିପାଇଁ ସ୍ବତଃପ୍ରବୃତ୍ତ ଭାବେ ଆଗେଇ ଆସୁଥିବା ପରିଲକ୍ଷିତ ହେଉଛି।

ଉଲ୍ଲେଖଯୋଗ୍ୟ ଯେ ଗଜପତି ଜିଲ୍ଲା ପ୍ରଶାସନ ନିକଟ ଅତୀତରେ ଏକାଧିକ ସାମାଜିକ ଉତ୍ତରଦାୟିତ୍ଵ ନିର୍ବାହ କରି ଚର୍ଚ୍ଚାକୁ ଆସିଛି। ସେ ପୋଷ୍ୟ ସନ୍ତାନ ଗ୍ରହଣ ହେଉ ବା କୋଭିଡ୍ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ଅନାଥ ପାଲଟିଥିବା ସନ୍ତାନଙ୍କ ଉତ୍ତମ ଶିକ୍ଷା ଓ ଉନ୍ନତ ଭବିଷ୍ୟତ ଗଠନ ପ୍ରୟାସ ଅଥବା ”ବୁନିୟାଦୀ ଶିକ୍ଷା ଅଭିଯାନ” ଭଳି ନିଆରା ପଦକ୍ଷେପ ଗ୍ରହଣ କରିବା, ଏସବୁ କ୍ଷେତ୍ରରେ ଗଜପତି ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ପ୍ରଶଂସାର ପାତ୍ର ସାଜିଛି। ସାମାଜିକ ବିକାଶ ସାଙ୍ଗକୁ ସାମୂହିକ ଉନ୍ନତି ଦିଗରେ ଜିଲ୍ଲାକୁ ଆଗେଇ ନେବାକୁ ପ୍ରୟାସ ଜାରି ରଖିଛି ପ୍ରଶାସନ।

Comments are closed.