ଫୁଲବାଣୀ: ନାରୀ ସଶକ୍ତୀକରଣ କ୍ଷେତ୍ରରେ ଚାମ୍ପିଅନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତିରେ ଅନୁପ୍ରାଣିତ ହୋଇଛନ୍ତି କନ୍ଧମାଳ ଜିଲ୍ଲାର ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା। ସରକାରଙ୍କ ପ୍ରୋତ୍ସାହନ ତଥା ପ୍ରଶାସନର ସମ୍ପୂର୍ଣ୍ଣ ସମର୍ଥନ ପାଇ ମହିଳା ଗୋଷ୍ଠୀ ସଭ୍ୟାମାନେ କେବଳ ଯେ ନିଜେ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିଛନ୍ତି ତାହା ନୁହେଁ, ଏଥିସହ ସାମାଜିକ ଦୃଷ୍ଟିରୁ ମଧ୍ୟ ସେମାନେ ସଶକ୍ତ ହୋଇପାରିଛନ୍ତି। ଆଦିବାସୀବହୁଳ ତଥା ପୁରୁଷ ପ୍ରଧାନ ସମାଜରେ ସେମାନେ ନିଜ ସଙ୍ଗଠିତ ଶକ୍ତିର ପରିଚୟ ପ୍ରତିଷ୍ଠା କରିପାରିଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ନାଥପଦର ଗ୍ରାମର ମହିଳା ଏସ୍ଏଚ୍ଜିଙ୍କ ମିଳିତ ପ୍ରୟାସ ଏହାର ଏକ ନଜିର ପାଲଟିଛି।
ଯେଉଁଠି ଦୁର୍ଗମ ଭୌଗୋଳିକ ଅବସ୍ଥିତି ବିକାଶ କ୍ଷେତ୍ରରେ ବାଧକ ସାଜୁଛି, ସେଠି କିନ୍ତୁ ନାରୀ ଶକ୍ତି ସୁସଙ୍ଗଠିତ ହୋଇ ସମାଜ ପରିବର୍ତ୍ତନର ବାର୍ତ୍ତାବହ ସାଜିଛନ୍ତି। ସେମାନଙ୍କ ସାମୂହିକ ପ୍ରୟାସ ଆଦିବାସୀବହୁଳ ଏହି ଜିଲ୍ଲାର ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ଆଣିବାରେ ଲାଗିଛି। ଏକାଧିକ ମହିଳା ଗୋଷ୍ଠୀ ମିଳିତ ଭାବେ ବିଭିନ୍ନ ପ୍ରକଳ୍ପ ହାତକୁ ନେଇ ସଫଳତାର ସହ ପରିଚାଳନା କରୁଛନ୍ତି। ପ୍ରଶାସନ ମଧ୍ୟ ସେମାନଙ୍କୁ ସହଯୋଗର ହାତ ବଢ଼ାଇ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରିବଟା ପାଇଁ ସୁଯୋଗ ସୃଷ୍ଟି କରୁଛି। ସେମାନଙ୍କ ସାମଗ୍ରୀର ବଜାର ପାଇଁ ପଲ୍ଲିଶ୍ରୀ ମେଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳାର ଆୟୋଜନ କରି ଆସୁଛି।
କନ୍ଧମାଳ ଜିଲ୍ଲାରେ ଏହି ଉପାନ୍ତ ନାଥପଦର ଗ୍ରାମର ୪ଟି ମହିଳା ଗୋଷ୍ଠୀ ମଧ୍ୟ ମିଳିତ ଯୋଜନା କରି ସଫଳତାକୁ ହାତ ପାଆନ୍ତାକୁ ଆଣି ପାରିଛନ୍ତି। ୨୦୧୮ ମସିହାରୁ ଏହି ୪ଟି ଏସ୍ଏଚ୍ଜି ଗଠିତ ହୋଇଥିଲା। ମାତ୍ର ୪ଟି ବର୍ଷରେ ଏହାର ସଦସ୍ୟମାନେ ନିଜକୁ ସଫଳ ଉଦ୍ୟୋଗୀ ପ୍ରତିପାଦିତ କରିବାକୁ ସମର୍ଥ ହୋଇଛନ୍ତି। ଜୟ ଜଗନ୍ନାଥ ଏସ୍ଏଚ୍ଜି, ଜଗତଜନନୀ ଏସ୍ଏଚ୍ଜି, ଗାନ୍ଧୀ ଏସ୍ଏଚଜି ଏବଂ ଦେବୀ ସୁଭଦ୍ରା ଏସ୍ଏଚ୍ଜି ମିଳିତ ଭାବେ ବାଉଁଶ କଳାକୃତିର ଉତ୍ପାଦନ, ବିକ୍ରିବଟା ଜରିଆରେ ନିଜ ବ୍ୟବସାୟକୁ ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲରୁ ସଂଗୃହିତ ବାଉଁଶରେ କୁଲା, ଚାଙ୍ଗୁଡ଼ି, ଝୁଡ଼ି, ତାଟ, ବିଞ୍ଚଣା, ପେଡ଼ି ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତିଆରି କରୁଛନ୍ତି। ପୂଜା ଚାଙ୍ଗୁଡ଼ି, ଫୁଲଦାନୀ, ପେନ୍ ଷ୍ଟାଣ୍ଡ୍, ଠାକୁରଙ୍କ ଖଟୁଲି ଆଦି ସାଜସଜ୍ଜା ତଥା ସୌଖୀନ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଏସ୍ଏଚ୍ଜି ସଦସ୍ୟାଗଣ। ଘର ପରିବାରରୁ ସମୟ ବାହାର କରି ନିଜ ହାତରେ ଏସବୁ ଜିନିଷକୁ ସୁନ୍ଦର ଭାବେ ପ୍ରସ୍ତୁତ କରୁଛନ୍ତି। ପୁଣି ତାହାକୁ ବଜାରରେ ବିକି ଉତ୍ତମ ଆୟ ମଧ୍ୟ କରିବାରେ ସକ୍ଷମ ହେଉଛନ୍ତି ଆଦିବାସୀ ମହିଳାଗଣ। ଲୋକେ ବାଉଁଶ ନିର୍ମିତ ହାତତିଆରି ଏଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସାଙ୍ଗକୁ ଏପରି ଘର ସଜ୍ଜା ଉପକରଣ ଖୁସି ମନରେ ଓ ସୁଲଭ ଦରରେ କିଣି ନେଉଛନ୍ତି। ଏହାର ସିଧାସଳଖ ଲାଭ ପାଉଛନ୍ତି ମହିଳା ଗୋଷ୍ଠୀ। ପାରମ୍ପରିକ ଜ୍ଞାନ ସହ ନିଜସ୍ବ ବୁଦ୍ଧି ଖଟାଇ ବିଭିନ୍ନ ସାମଗ୍ରୀ ଏମାନେ ତିଆରି କରୁଛନ୍ତି। ତାହାକୁ ସୁନ୍ଦର ରୂପ ଓ ଆକାର ଦେଇ ବଜାରରେ ବିକ୍ରି ପାଇଁ ଛାଡୁଛନ୍ତି। ବଜାରରେ ଏସବୁ ସାମଗ୍ରୀର ଚାହିଦା ଦେଖିବାକୁ ମିଳୁଛି। ଗାଁ ପାଖ ଜଙ୍ଗଲରୁ କଞ୍ଚାମାଲ ଆଣି ଘରେ ବସି ନିଜେ ଜାଣିଥିବା କାମ କରି ସେମାନେ ହଜାର ହଜାର ଟଙ୍କା ଉପାର୍ଜନ କରିବାକୁ ଏବେ ସକ୍ଷମ।
ଏହାଦ୍ଵାରା ଗୋଟିଏ ପଟେ ହସ୍ତଶିଳ୍ପର ବିକାଶ ମଧ୍ୟ ହେଉଛି। ବାଉଁଶରେ ହାତତିଆରି ସାମଗ୍ରୀ ପ୍ରସ୍ତୁତ କରିବାରେ ସେମାନଙ୍କ ଦକ୍ଷତା ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ବି ମଜବୁତ କରାଉଛି। ଅନ୍ୟ ଏସ୍ଏଚ୍ଜି ଗୁଡ଼ିକ ପାଇଁ ଏମାନେ ପ୍ରେରଣାଦାୟୀ ସାଜିଛନ୍ତି। ଏଥିରୁ ରୋଜଗାର ହେଉଥିବା ଟଙ୍କାରେ ଏହି ଆଦିବାସୀ ମହିଳାଙ୍କ ନିତ୍ୟ ନିୟମିତ ଜୀବନ ସରଳ ଓ ସହଜ ହେବା ସାଙ୍ଗକୁ ସେମାନଙ୍କ ପରିବାର ପାଇଁ ଖୁସି ଆଣି ଦେଉଛି। ଉଲ୍ଲେଖନୀୟ ଯେ ଏମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା ମିଶନ୍ ଶକ୍ତି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ଭଳି ଏହି ଆଦିବାସୀ ନାରୀମାନେ ଏବେ ରାଜ୍ୟର ଆର୍ଥିକ ସମୃଦ୍ଧିରେ ନିଜର ଯୋଗଦାନକୁ ନିଶ୍ଚିତ କରାଇ ପାରୁଛନ୍ତି।
Comments are closed.