ଭିଜିଲାନ୍ସ ଦ୍ବାରା ଭେଜିପୁଟ ଫାଣ୍ଡି ଅଧିକାରୀ ଗିରଫ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ ସ୍ବାଇଁ ବ୍ରହ୍ମପୁର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ୧୫୦୦୦ ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଷ୍ଟାଫ୍ କାବୁ କରି ନେଇଥିଲେ। ଭିଜିଲାନ୍ସ ଟିମ୍ ଫାଣ୍ଡି ଅଧିକାରୀ ସନ୍ତୋଷଙ୍କ ଠାରୁ କେମିକାଲ୍ ବୋଳା ଟଙ୍କା ଜବତ କରି ତାଙ୍କୁ ହେପାଜତକୁ ନେଇଛନ୍ତି।

ଭେଜିପୁଟ ଫାଣ୍ଡି ଏଏସ୍ଆଇ ସନ୍ତୋଷ ସ୍ବାଇଁ ଗୁରାପଲ୍ଲୀ ଗ୍ରାମର ଭୁବନଙ୍କ ଠାରୁ ଲାଞ୍ଚ ମାଗିଥିଲେ। ଭୁବନ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷରୁ ଅଭିଯୋଗକୁ ନେଇ ମାମଲା ରୁଜୁ ହୋଇଥିଲା। ଗିରଫଦାରୀରୁ ଭୁବନଙ୍କୁ ଛାଡ଼ିବା ପାଇଁ ଫାଣ୍ଡି ଅଧିକାରୀ ସନ୍ତୋଷ ସ୍ବାଇଁ ଲାଞ୍ଚ ମାଗିଥିଲେ। ଏ ନେଇ ଭୁବନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୯.୩୦ରେ ଭୁବନ ଭେଜିପୁଟ ଫାଣ୍ଡିରେ ପହଞ୍ଚି ଲାଞ୍ଚ ଟଙ୍କା ଫାଣ୍ଡି ଅଧିକାରୀ ସନ୍ତୋଷଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢଉ କରିଥିଲା। ଭିଜିଲାନ୍ସ ଅଧିକାରୀମାନେ ଭେଜିପୁଟ ଫାଣ୍ଡି ଓ ସନ୍ତୋଷଙ୍କ ବାସଭବନରେ ଛାନଭିନ୍ ଚଳାଇଛି।

Comments are closed.