ପାତ୍ରପୁର: ଜ୍ୱାଇଁର ଠେଙ୍ଗା ମାଡ଼ ନେଲା ଶ୍ୱଶୁରଙ୍କ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ମୁଣ୍ଡକେରି ଗ୍ରାମରେ ବୁଧବାର ସକାଳୁ ଉତ୍ତ୍ୟକ୍ତ ଜ୍ବାଇଁର ଠେଙ୍ଗା ମାଡ଼ରେ ଶ୍ବଶୁରଙ୍କ ଜୀବନ ଯାଇଛି। ମୃତକ ହେଲେ ପାତ୍ରପୁର ବ୍ଲକ୍ ମୁଣ୍ଡକେରି ଗାଁର ୬୫ ବର୍ଷୀୟ ଆପନା ବେହେରା। କୌଣସି କାରଣକୁ ନେଇ ଶ୍ବଶୁର ଆପନା ଓ ଜ୍ବାଇଁ ଗଣପତି ବେହେରାଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଉତ୍ତ୍ୟକ୍ତ ଗଣପତି ଏକ ଠେଙ୍ଗାରେ ଶ୍ବଶୁରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ରକ୍ତାକ୍ତ ହୋଇ ଟଳି ପଡ଼ିଥିଲେ ଆପନା। ପରିବାର ଲୋକ ତାଙ୍କୁ ପାତ୍ରପୁର ଡାକ୍ତରଖାନାକୁ ଆଣିଥିଲେ ହେଁ ସେତେବେଳକୁ ତାଙ୍କର ଜୀବନ ଚାଲି ଯାଇଥିଲା। ଜରଡ଼ା ଥାନା ପୋଲିସ ଅଭିଯୁକ୍ତ ଜ୍ବାଇଁ ଗଣପତିକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଠେଙ୍ଗା ଜବତ କରିଛି। ଥାନାରେ କେସ୍ ନଂ ୨୮୭/୨୦୨୨ ରୁଜୁ କରି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି ପୋଲିସ।

Comments are closed.