ଭଞ୍ଜନଗର: ବର୍ଷା ପାଣିରେ ଭାସିଗଲେ ମାଆ, ପୁଅ

ଭଞ୍ଜନଗର: ବାଇକ୍‌ରେ ତିନିହେଁ ମିଶି ଯାଉଥିଲେ। ଆଗରେ ବର୍ଷା ପାଣି ପ୍ରଖର ସୁଅରେ ଉପର ମୁଣ୍ଡରୁ ଗଡ଼ି ଆସୁଥିଲା। ହେଲେ ସମ୍ଭାବ୍ୟ ବିପଦକୁ ବେଖାତିର କରି ବାଇକ୍‌ରେ ପାଣିର ପ୍ରବଳ ସୁଅ କାଟି ଆଗକୁ ବଢ଼ିବାକୁ ଚେଷ୍ଟା କଲା ବେଳେ ଘଟିଗଲା ଅଘଟଣ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ନାରୀଗୋଚ୍ଛା ଗ୍ରାମ ନିକଟ ରାସ୍ତାରେ ୪ ଫୁଟ ଉଚ୍ଚର ବର୍ଷା ପାଣିରେ ଭାସି ଯାଇଛନ୍ତି ମାଆ ଓ ୧୦ ବର୍ଷର ପୁଅ। ଦୁହିଁଙ୍କ ପତ୍ତା ମିଳୁନି। ବାପା ମଧ୍ୟ ଭାସି ଯାଇଥିଲେ ହେଁ କିଛି ଦୂରରେ ପାଣି ମଧ୍ୟରେ ଥିବା ଏକ ବାଉଁଶ ବୁଦାକୁ କୌଣସି ମତେ ଧରି ରହିଛନ୍ତି। ଏଭଳି ଅଘଟଣ ଆଜି ବିଳମ୍ବିତ ସନ୍ଧ୍ୟାରେ ଘଟିଛି। ପ୍ରଖର ସୁଅ ସତ୍ତ୍ୱେ ବାଇକ୍ ଧରି ପାର ହେଉଥିଲେ ପେଙ୍ଗୁଝୋଳା ଗ୍ରାମର ରଞ୍ଜିତ ନାୟକ। ହେଲେ ପ୍ରବଳ ବେଗରେ ଭାସି ଆସୁଥିବା ବର୍ଷା ପାଣିରେ ସେମାନଙ୍କ ବାଇକ୍ ଭାରସାମ୍ୟ ହରାଇ ଭାସି ଯାଇଥିଲା। ପାଣି ଭିତରେ କେଉଁଠି ହଜି ଯାଇଛନ୍ତି ମାଆ ଓ ପୁଅ। ରଞ୍ଜିତ ବାଉଁଶ ବୁଦା ଧରି ରହି ଉଦ୍ଧାର ପାଇଁ ଚିତ୍କାର କରୁଥିବା ବେଳେ ଘଟଣାସ୍ଥଳରେ ଗ୍ରାମବାସୀ ରୁଣ୍ଡ ହୋଇ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରୟାସ ଚଳାଇଛନ୍ତି। ଭଞ୍ଜନଗର ଦମକଳ ବାହିନୀ ଓ ଗାଲେରୀ ଫାଣ୍ଡି ପୋଲିସ ମଧ୍ୟ ଏଥିରେ ସାମିଲ ହୋଇଛି। ଉକ୍ତ ରାସ୍ତାରେ ପାଣିର ପ୍ରଖର ସୁଅ ହେତୁ ଯାତାୟାତ ବନ୍ଦ ରହିଛି। ଉଭୟ ପାର୍ଶ୍ଵରେ ଗାଡ଼ି ମୋଟର ଓ ଲୋକେ ଅଟକି ରହିଛନ୍ତି।

Comments are closed.